କାବୁଲ ବିସ୍ଫୋରଣରୁ ବର୍ତ୍ତିଲେ ବ୍ରିଟିଶ ନୌସେନାର ପ୍ରାକ୍ତନ କର୍ମଚାରୀ; ୨୦୦ କୁକୁର ଓ ବିରାଡ଼ିଙ୍କୁ ଧରି ବିମାନଯାତ୍ରା ପାଇଁ ଅପେକ୍ଷା କରିଥିଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ୍‌ରେ ‘ନାଓଜାଡ୍‌’ ନାମରେ ପ୍ରାଣୀ ଆଶ୍ରୟ ନିବାସ ସ୍ଥାପନ କରି ଚଳାଉଥିବା ‘ବ୍ରିଟିଶ୍‌ ରୟାଲ୍‌ ମେରାଇନ୍‌’ର ପ୍ରାକ୍ତନ କର୍ମଚାରୀ ପଲ୍‌ ‘ପେନ୍‌’ ଫାର୍ଦିଙ୍ଗ୍‌ ଗୁରୁବାର ସନ୍ଧ୍ୟାରେ କାବୁଲ୍ ବିମାନ ବନ୍ଦର ବିସ୍ଫୋରଣରୁ ବର୍ତ୍ତିଯାଇଥିବା କଥା କହିଛନ୍ତି। ଆବଶ୍ୟକ ଦସ୍ତାବିଜ୍‌ ନିୟମରେ ପରିବର୍ତ୍ତନ ଯୋଗୁଁ ତାଙ୍କୁ ବିମାନ ବନ୍ଦର ମଧ୍ୟକୁ ଛଡ଼ା ଯାଇ ନ ଥିଲା।

ଏଥିପାଇଁ ୫୨ ବର୍ଷିୟ ପଲ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଦାୟୀ କରି କହିଛନ୍ତି, ନରକ ପଥ ଦେଇ ତାଙ୍କୁ ବିମାନ ବନ୍ଦରରେ ପହଞ୍ଚିବାକୁ ପଡ଼ିଥିଲା କିନ୍ତୁ, ମାତ୍ର ୨ ଘଣ୍ଟା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ସରକାର କାଗଜପତ୍ର ନିୟମ ପରିବର୍ତ୍ତନ କରିଦେଇଥିବାରୁ ତାଙ୍କୁ ଫେରାଇ ଦିଆଗଲା। ସେ ବାହାରେ ପ୍ରତୀକ୍ଷା କରିଥିବା ବେଳେ ସେଠାରେ ଭୟାବହ ବିସ୍ଫୋରଣ ଘଟି ଶତାଧିକ ଜନତାଙ୍କର ମୃତ୍ୟୁ ଘଟିଥିଲା।

୨୦୦ ଜନ୍ତୁ ଥିବା ପ୍ରାଣୀ ଆଶ୍ରୟ ନିବାସ ସହ ସେଥିରେ କାର୍ଯ୍ୟରତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ କାବୁଲ୍‌ରୁ ସ୍ଥାନାନ୍ତର କରିବା ନିମନ୍ତେ ପେନ୍‌ ଫାର୍ଦିଙ୍ଗ୍ ଚଳିତ ମାସ ପ୍ରାରମ୍ଭରୁ ବ୍ୟାପକ ଅଭିଯାନ ଚଳାଇଥିଲେ। ସ୍ଥାନାନ୍ତରଣ ବ୍ୟବସ୍ଥାରେ ସାମିଲ ହେବାକୁ ସେ କାବୁଲ୍ ବିମାନ ବନ୍ଦରରେ ପହଞ୍ଚିବା ଲାଗି ୫ ଲକ୍ଷ ଡଲାର୍‌ ମୂଲ୍ୟରେ ଗୋଟାଏ ବିମାନ ଭଡ଼ାସୂତ୍ରରେ ନେଇଥିଲେ।

Image Courtesy of The Guardian

ଆଜି ସକାଳେ ଫାର୍ଦିଙ୍ଗ୍‌ ଟୁଇଟ୍‌ କରି କହିଛନ୍ତି ଯେ, ଜୀବଜନ୍ତୁମାନଙ୍କ ସହ ସେ ଏବଂ ତାଙ୍କର ସମଗ୍ର ଦଳ ନିରାପଦରେ ବିମାନ ବନ୍ଦର ପେରିମିଟର୍‌ ମଧ୍ୟରେ ଥିବା ବେଳେ ତାଙ୍କୁ ସୂଚାଇ ଦିଆଗଲା କି, ଦେଶ ଛାଡ଼ିବା ନିମନ୍ତେ ବାଇଡେନ୍‌ ‘ନୀତି ପରିବର୍ତ୍ତନ’ କରିଦେଇଛନ୍ତି। ତେଣୁ, ତାଙ୍କୁ ବିମାନ ବନ୍ଦରରୁ ଫେରାଇ ଦିଆଗଲା ଏବଂ ସେ ବିପନ୍ନ ବିସ୍ଫୋରଣଜନିତ ବିଶୃଙ୍ଖଳିତ ପରିସ୍ଥିତିରେ ଫସି ରହିଗଲେ।

ବ୍ରିଟିଶ୍‌ ସରକାର ତାଙ୍କୁ ଫେରାଇ ନେବାରେ ସହାୟତା କଲେ ନାହିଁ କାହିଁକି ବୋଲି ପଚରା ଯିବାରୁ ସେ କହିଲେ, ଅଭ୍ୟନ୍ତରୀଣ ଭାବେ କାବୁଲ୍ ବିମାନ ବନ୍ଦରକୁ ଆମେରିକା ନିୟନ୍ତ୍ରଣ କରୁଛି। ତେଣୁ, ବ୍ରିଟିଶ୍‌ ଦସ୍ତାବିଜ୍ ଉପରେ ସେମାନଙ୍କର ନିୟମର ବିଜୟ ହେବା ସ୍ବାଭାବିକ କଥା।

ଗଣମାଧ୍ୟମ ‘ବିବିସି’କୁ ସେ କହିଛନ୍ତି, ବିସ୍ଫୋରଣ ପରେ ସତେ ଅବା ସେଠାରେ ନରକଦ୍ବାର ଉନ୍ମୁକ୍ତ ହୋଇଗଲା। କି ଭୟାବହ ସେ ପରିସ୍ଥିତି! ମୁଁ ନିରୁପାୟ ହୋଇଗଲି। କର୍ମଚାରୀମାନେ ମତେ ଫେରି ଆସିବାକୁ କହିଲେ। ଯେତେ ପାରି ସେତେ କୁକୁର ଓ ବିରାଡ଼ିଙ୍କୁ ସାଙ୍ଗରେ ନେଇ ଫେରିବାକୁ କର୍ମଚାରୀମାନେ ମତେ କହିଲେ ମଧ୍ୟ ସେମାନଙ୍କୁ ନେଇ ମୁଁ ‘ତାଲିବାନ୍ ଚେକ୍‌ ଗେଟ୍‌’ ସବୁ ଟପି ପାରିଲି ନାହିଁ। କେବଳ ଜୋ ବାଇଡେନ୍‌ ଅଟକାଇବାରୁ ପ୍ରାଣୀମାନଙ୍କୁ ଆଫଗାନିସ୍ତାନରୁ ବାହାରକୁ ନେବା ପାଇଁ ମୁଁ ଚଳାଇଥିବା ଅଭିଯାନ ବ୍ୟର୍ଥ ହେଲା।

ସମ୍ବନ୍ଧିତ ଖବର