ଫିଲ୍ମ ନିର୍ମାତାଙ୍କ ବିବାଦୀୟ ବୟାନ : ଦୁଷ୍କର୍ମକାରୀ କବଳରୁ ଜୀବନ ବଞ୍ଚାଇବା ଲାଗି ତା’ର ଯୌନ ଇଚ୍ଛାକୁ ପୂରଣ କରିବା ଦରକାର

ନୂଆଦିଲ୍ଲୀ:  ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହ ଘଟିଥିବା ଘଟଣା ଏବେ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାକୁ ନେଇ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶବାସୀ ଏକତ୍ରିତ ହୋଇଥିବା ବେଳେ ଜଣେ ଫିଲ୍ମ ନିର୍ମାତା କରିଥିବା ଫେସବୁକ୍ ପୋଷ୍ଟ ଏବେ ବିବାଦୀୟ ହେବାରେ ଲାଗିଛି। ନିଜ ପୋଷ୍ଟରେ ଡାନିଏଲ ଶ୍ରବଣ ନାମକ ଫିଲ୍ମ ନିର୍ମାତା ଦୁଷ୍କର୍ମ ଭଳି ଅପରାଧକୁ ବେଆଇନ ବୋଲି ନ କହି ଏହାକୁ ଆଇନଗତ କରିବା ପାଇଁ ଦାବି କରିଛନ୍ତି। ମହିଳାମାନଙ୍କୁ ଦୁଷ୍କର୍ମ ଭଳି ସ୍ଥିତି ସହ ଲଢ଼ିବା ପାଇଁ ସେ ଯେଉଁ ଉପଦେଶ ଦେଇଛନ୍ତି, ତାହା ତାଙ୍କୁ ବିବାଦରେ ଛନ୍ଦିଛି।

ସେ କରିଥିବା ପୋଷ୍ଟରେ ଲେଖାଯାଇଛି କି, ଦୁଷ୍କର୍ମ ଭଳି ପରିସ୍ଥିତିରେ ପୁଲିସକୁ ଫୋନ କରିବା ପରିବର୍ତ୍ତେ ନିଜ ସହ କଣ୍ଡୋମ ନେଇ ଘରୁ ବାହାରିବା ଦରକାର। ଏହା ସହ ନିଜର ଜୀବନ ବଞ୍ଚାଇବା ପାଇଁ ଦୁଷ୍କର୍ମକାରୀର ଯୌନ ଇଚ୍ଛାକୁ ପୂରଣ କରିବା ଦରକାର। ଜଣେ ଯୁବକର ଯୌନ ଇଚ୍ଛା ପୂରଣ ହେବା ପରେ ସେ କେବେ ହେଲେ ମହିଳାଙ୍କୁ ହତ୍ୟା କରିବ ନାହିଁ, ଏହା ଅତ୍ୟନ୍ତ ସାଧାରଣ କଥା। ସରକାରଙ୍କୁ ଏ ବିଷୟରେ ଚିନ୍ତା କରିବା ଦରକାର ବୋଲି ସେ ଲେଖିଥିଲେ। ତେବେ ନିଜର ଏଭଳି ପୋଷ୍ଟକୁ ସେ ହଟାଇ ପୁଣି ଥରେ ନୂଆ ପୋଷ୍ଟ କରିଥିଲେ। କିନ୍ତୁ ସେ‌ତେବେଳେକୁ ତାଙ୍କର ପ୍ରଥମ ପୋଷ୍ଟଟି ଭାଇରାଲ ହୋଇ ସାରିଥିଲା। ତାଙ୍କର ଏଭଳି ପୋଷ୍ଟର ସ୍କ୍ରିନସଟ୍ ନେଇ ଅନେକ ମହିଳା ଏବେ ତାଙ୍କୁ ବିରୋଧ କରିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର