ଗ୍ଵାଦର ସହର ଚାରିପଟେ ପ୍ରାଚୀର ବୁଲାଇ ଚୀନ୍‌ ସାମରିକ ଘାଟି ନିର୍ମାଣ କରୁଥିବାରୁ ବାଲୋଚିସ୍ତାନ୍‌ରେ ଅସନ୍ତୋଷ

ନୂଆଦିଲ୍ଲୀ: ‘ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡର୍‌’ (ସିପିଇସି) ପ୍ରକଳ୍ପ ତଦାରଖ ନିମନ୍ତେ ପାକିସ୍ତାନ ଏବଂ ଚୀନ୍‌ ସରକାରଙ୍କ ମିଳିତ ପ୍ରତିଷ୍ଠାନ ‘ସିପିଇସି’ କର୍ତ୍ତୃପକ୍ଷ ଗ୍ଵାଦର ସହର ଚାରି ପଟେ ପ୍ରାଚୀର ବୁଲାଇବାରୁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି। ୧୦ ଫୁଟ୍‌ ଉଚ୍ଚ ଏହି ପ୍ରାଚୀର ୩୦ କିଲୋମିଟର ଅଞ୍ଚଳକୁ ଆବଦ୍ଧ କରିବ।

ମାନବ ଅଧିକାରକର୍ମୀମାନେ ଦର୍ଶାଇଛନ୍ତି କି, ପ୍ରକଳ୍ପ ସମ୍ବନ୍ଧୀୟ ଗୋପନୀୟତା ରକ୍ଷା କରିବା ବ୍ୟତୀତ ଗ୍ଵାଦର ପ୍ରାଚୀରର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଏହି ବନ୍ଦର ନଗରୀ ମଧ୍ୟକୁ ପ୍ରବେଶ ଓ ନଗରୀରୁ ପ୍ରସ୍ଥାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ନିୟନ୍ତ୍ରଣ କରିବା। ତେଣୁ ଏହି ପ୍ରାଚୀରର ଦୁଇଟି ସ୍ଥାନରେ ପ୍ରବେଶ ପଥ ଖୋଲା ଯିବାର ବ୍ୟବସ୍ଥା କରାଯାଇଛି।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଜନସାଧାରଣଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଏହି ସହରରେ ‘ସିପିଇସି’ ୫୦୦ ଏଚ୍‌ଡି କ୍ୟାମେରା ଲଗାଇବା ପାଇଁ ଯୋଜନା କରୁଛି।

Image Courtesy of The Times of India

ଉଲ୍ଲେଖଯୋଗ୍ୟ କି, ଏହି ପ୍ରକଳ୍ପକୁ ପହରା ଦେବା ଏବଂ ଚୀନ୍‌ ଶ୍ରମିକମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ୯୦୦୦ ପାକିସ୍ତାନୀ ଏବଂ ୬୦୦୦ ଚୀନା ସୈନିକ ସମ୍ବଳିତ ‘ସ୍ପେସାଲ୍‌ ସିକ୍ୟୁରିଟି ଡିଭିଜନ୍‌’ର ୧୫୦୦୦ ସୈନିକ ନିୟୋଜିତ ହୋଇଛନ୍ତି।

ନିରାପତ୍ତା ବିଶେଷଜ୍ଞମାନେ କହୁଛନ୍ତି କି, ଗ୍ଵାଦରରେ ସାମରିକ ଘାଟି ସ୍ଥାପନ କରିବାକୁ ଚୀନ୍‌ର ‘ପିପୁଲ୍ସ୍‌ ଲିବରେସନ୍‌ ଆର୍ମି’ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚଳାଇଛି। ଏହାଛଡ଼ା ଯୁଦ୍ଧପୋତ ଏବଂ ଲଢୁଆ ବିମାନ ଯାତାୟାତ ପାଇଁ ଚୀନ୍‌ ଗ୍ଵାଦର ବନ୍ଦର ଏବଂ ଗ୍ଵାଦର ଆନ୍ତର୍ଜାତିକ ବିମାନ ବନ୍ଦରକୁ ବ୍ୟବହାର କରୁଛି। ଅବିଳମ୍ବେ ସାମରିକ ଘାଟି କାର୍ଯ୍ୟକ୍ଷମ ହେବାର ସଙ୍କେତ ଦେଉଛି ଏହି ପ୍ରାଚୀର।

ପ୍ରାଚୀର ପ୍ରକଳ୍ପକୁ ପାକିସ୍ତାନୀ ବୁଦ୍ଧିଜୀବୀ ଏବଂ ଶିକ୍ଷିତ ମହଲରେ ତୀବ୍ର ବିରୋଧ କରାଯାଉଛି।

ସମ୍ବନ୍ଧିତ ଖବର