ଡୋକ୍‌ଲାମ୍‌ ପରେ ତିବ୍ଦତରେ ଚୀନ୍‌ ଦାଦାଗିରି, ଲଢ଼ୁଆ ବିମାନ ସହ ସାମରିକ ବଳ ବଢ଼ାଇ ଚାଲିଛି

ନୂଆଦିଲ୍ଲୀ: ଗତବର୍ଷ ବିବାଦୀୟ ଅଞ୍ଚଳ ଡୋକ୍‌ଲାମ୍‌ରେ ନିଜର ସାମରିକ ବଳ ଠୁଳ କରିବା ସହ ନିର୍ମାଣ କାର୍ଯ୍ୟ ଚଳାଇ ଅପ୍ରୀତିକର ପରିସ୍ଥିତିକୁ ଆହ୍ଵାନ କରିଥିବା ଚୀନ୍‌ ଏବେ ତିବ୍ଦତରେ ମଧ୍ୟ ନିଜର ବାହୁବଳ ଦେଖାଇବା ଆରମ୍ଭ କରିଛି। ସେଠାରେ ଚୀନ୍‌ ବ୍ୟାପକ ସଂଖ୍ୟାରେ ନିଜ ସ୍ଥଳସେନାର ଯବାନମାନଙ୍କୁ ମୁତୟନ କରିବା ସହ ଏବେ ସେହି ଅଞ୍ଚଳକୁ ଲଢ଼ୁଆ ବିମାନ ମଧ୍ୟ ପଠାଇ ଚାଲିଛି। କୌଣସି ବିଶେଷ ସମରାଭ୍ୟାସର ସୂଚନା ନଥାଇ ସୀମାରେ ହଠାତ୍‌ ଏପରି ଚୀନ୍‌ ସାମରିକ ବଳର ପରିବର୍ଦ୍ଧିତ ଉପସ୍ଥିତିର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି।

ସୂଚନାନୁଯାୟୀ, ତିବ୍ଦତ ସୀମାର ଲାସା-ଗଁକା ଅଞ୍ଚଳରେ ୮ଟି ଚୀନ୍‌ ଲଢ଼ୁଆ ବିମାନ ସମେତ ୨୨ଟି ଚାଳକ ବିହୀନ ଏମ୍‌ଆଇ-୧୭ ହେଲିକପ୍ଟର ଏବଂ ଆକାଶରୁ ସତର୍କ ସୂଚନା ଦେଉଥିବା କେଜେ-୫୦୦ ବିମାନ ମଧ୍ୟ ମୁତୟନ ଥିବା ଜଣାଯାଇଛି। ସେହିପରି ହୋପିଂ-ରିକାଜେ ଅଞ୍ଚଳରେ ୧୮ଟି ଯୁଦ୍ଧ ବିମାନ ସମେତ ୧୧ଟି ଏମ୍‌ଆଇ-୧୭ ବିମାନ ଦେଖିବାକୁ ମିଳିଛି। ତିବ୍ଦତର କାଶି ଅଞ୍ଚଳରେ ମଧ୍ୟ ୧୨ଟି ଯୁଦ୍ଧ ବିମାନ ମୁତୟନ ରହିଛି। ଏଥି ସହିତ ତିନିଟି ଯାକ ଇଲାକାରେ ଚୀନ୍‌ ନିଜର ସ୍ଥଳଭାଗରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ମଧ୍ୟ ଖଞ୍ଜି ରଖିଥିବା ଜାଣିବାକୁ ମିଳିଛି। ଭାରତର ସିକ୍କିମ୍‌ ସୀମା ଆର ପଟେ ମଧ୍ୟ ଚୀନ୍‌ର ଅନୁରୂପ ଯୁଦ୍ଧ ବିମାନ ସାଙ୍ଗକୁ ଚାଳକବିହୀନ ବିମାନର ଚଳାଚଳ ଦେଖିବାକୁ ମିଳିଛି।

ତେବେ ଭାରତ ସୀମା ଆରପଟେ ତିବ୍ଦତରେ ଚୀନ୍‌ ଯୁଦ୍ଧ ବିମାନଗୁଡ଼ିକର ଏଭଳି ଉପସ୍ଥିତି ଭିନ୍ନ ସନ୍ଦେଶ ଆଣିଛି। ସାଧାରଣତଃ ଶୀତ ଋତୁରେ ତିବ୍ଦତରେ ଚୀନ୍‌ ବାୟୁସେନା ପକ୍ଷରୁ ସ୍ୱାଭାବିକ ଭାବେ ଉଡ଼ାଣ ବନ୍ଦ ଥିବା ବେଳେ ସମ୍ପ୍ରତି ସଂଖ୍ୟାଧିକ ବିମାନର ଗତିବିଧି ଭାରତର ମୁଣ୍ଡବଥା ବଢ଼ାଇଛି। କୌଣସି ଆଶୁ ଅପ୍ରୀତିକର ସ୍ଥିତିର ସମ୍ଭାବ୍ୟ ମୁକାବିଲା ପାଇଁ ଭାରତୀୟ ସେନାବାହିନୀ ମଧ୍ୟ ନିଜ ସୀମାରେ ଅନୁରୂପ ସାମରିକ ବଳ ଠୁଳ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର