ଦିଲ୍ଲୀରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଲା: ୧୪ ଦିନରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ୬୦% ବୃଦ୍ଧି

ବିମାନରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ମାତ୍ର ୧୪ ଦିନରେ ଦିଲ୍ଲୀରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇଛି। ଅଗଷ୍ଟ ୧ ପରେ ହସ୍ପିଟାଲ୍‌ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ଦ୍ବିଗୁଣା ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ଏବେ ୧୯.୨୦ ପ୍ରତିଶତ। ଏହା ୨୦୦ ଦିନରେ ସର୍ବାଧିକ। ତେବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଟିକା ନେଇନାହାନ୍ତି। ମଙ୍ଗଳବାର ଦିନ ସର୍ବାଧିକ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଦିନ ଦିଲ୍ଲୀରେ ୯୧୭ ନୂଆ ମାମଲା ଚିହ୍ନଟ ହୋଇଥିଲା। ସେଥି ମଧ୍ୟରୁ ୫୬୩ ଜଣ ଗତକାଲି ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଦିଲ୍ଲୀ ରାଜ୍ୟ ସ୍ବାସ୍ଥ୍ୟ ବୁଲେଟିନର ତଥ୍ୟ ଅନୁଯାୟୀ ଅଗଷ୍ଟ ୧ ପରଠାରୁ ଦିଲ୍ଲୀରେ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଦିଲ୍ଲୀରେ କରୋନା ରୋଗୀଙ୍କ ପାଇଁ ଥିବା ମୋଟ୍‌ ୯,୪୦୫ ବେଡ୍‌ରୁ ୩୦୭ ଟି ବେଡ୍‌ (୩.୨୬ ପ୍ରତିଶତ) ଅଗଷ୍ଟ ୧ରେ ଭର୍ତ୍ତି ହୋଇଥିଲା। ଅଗଷ୍ଟ ୨ରେ ଏହି ସଂଖ୍ୟା ୩.୭୫ ପ୍ରତିଶତ ଏବଂ ଅଗଷ୍ଟ ୧୬ରେ ୬.୨୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଲାନସେଟ କମିସନର ଜଣେ ସଦସ୍ୟ ତଥା ସରକାରୀ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲା ଗର୍ଗ କହିଛନ୍ତି, ଦିଲ୍ଲୀରେ ଆରୋଗ୍ୟ ହାର ଭଲ ଅଛି। କିନ୍ତୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏବେ ୫୦୦ରୁ ଅଧିକ ବେଡ୍‌ରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ୨,୧୨୯ ଆଇସିୟୁ ବେଡ୍‌ରୁ ୨୦ଟି ବେଡ୍‌ରେ ଏବେ ରୋଗୀ ଅଛନ୍ତି। ୬୫ ଜଣ ଭେଣ୍ଟିଲେଟରରେ ଅଛନ୍ତି। ପଜିଟିଭ ହାର ବୃଦ୍ଧି ସତ୍ତ୍ବେ ଦିଲ୍ଲୀ ସରକାର ଗ୍ରାପ୍‌ (ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ୍‌) କାର୍ଯ୍ୟକାରୀ କରିନାହାନ୍ତି। ଦିଲ୍ଲୀରେ ସଂକ୍ରମଣ ବଢ଼ିବାରୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପ‌କ୍ଷେ ଦେଶରେ ଆଜି ୯,୦୬୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୪,୪୨,୮୬,୨୫୬ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୨୭,୧୩୪ ରହିଛି। ସକ୍ରିୟ ମାମଲା ଏବେ ୫,୨୭,୧୩୪ ରହିଥିବା ବେଳେ ଏହା ମୋଟ୍‌ ସଂକ୍ରମଣ ମାମଲାର ୦.୨୪ ପ୍ରତିଶତ। ଏହା ସହିତ ଆରୋଗ୍ୟ ହାର ୯୮.୫୭ ପ୍ରତିଶତ ରହିଛି ।

ବିମାନରେ ମାସ୍କ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ କରୋନା କଟକଣା ମଧ୍ୟ ପୁଣିଥରେ ଫେରୁଛି। ବିମାନରେ ମାସ୍କ ବାଧ୍ୟତାମୂଳକ କରିବା ସହ ଅନ୍ୟାନ୍ୟ କଟକଣା କଡ଼ାକଡ଼ି କରିବାପାଇଁ ଆଜି ଡିଜିସିଏ ପକ୍ଷରୁ ଏୟାରଲାଇନ୍ସଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀମାନେ ଯେଭଳି ବିମାନ ମଧ୍ୟରେ ମାସ୍କ ପିନ୍ଧିବେ ଏବଂ ହାତ ସଫା ରଖିବେ ସେ ଦିଗରେ କଡ଼ା ନଜର ରଖିବାକୁ ହେବ। ଯଦି କୌଣସି ଯାତ୍ରୀ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌ରେ ଜାରି ହୋଇଥିବା ନିର୍ଦ୍ଦେଶାବଳିକୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ଡିଜିସିଏ ଏକ ବିବୃତି ଜାରି କରି କହିଛନ୍ତି। ଦେଶବ୍ୟାପୀ ସମସ୍ତ ବିମାନରେ ଏନେଇ କଡ଼ାକଡ଼ି ଭାବେ ଯାଞ୍ଚ ହେବ ବୋଲି ଡିଜିସିଏ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର