ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣରେ ସଂକ୍ରମିତ ପୁଲିସ କର୍ମଚାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ଏକ ଚିନ୍ତାର କାରଣ ପାଲଟିଛି। ରବିବାର ଜଣେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର (ଏଏସ୍ଆଇ)ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି। ମୃତ ପୁଲିସ କର୍ମଚାରୀଙ୍କ ନାମ ସୋଷମଣି ପାଣ୍ଡେୟ, ସେ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କିଛିଦିନ ତଳେ ସୋଷମଣି ପାଣ୍ଡେୟଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କୁ ସେନା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମଇ ୨୬ ତାରିଖରେ ତାଙ୍କର ରିପୋର୍ଟରେ କରୋନା ପଜିଟିଭ୍ ଆସିଥିଲା। ଏହାପରେ ଧୀରେଧୀରେ ତାଙ୍କର ଶରୀର ଅଧିକ ଅସୁସ୍ଥ ହୋଇ ପଡ଼ିଥିଲା। ଡାକ୍ତରଙ୍କ ବହୁ ଚେଷ୍ଟା ପରେ ବି ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଏହାପୂର୍ବରୁ ଦିଲ୍ଲୀ ପୁଲିସର କନେଷ୍ଟବଳ ଅମିତ ରାଣାଙ୍କର ବି କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିଲା। ସଂକ୍ରମଣ ଅଞ୍ଚଳ ଓ କଣ୍ଟେଟମେଣ୍ଟ ଅଞ୍ଚଳରେ ପୁଲିସକର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ଏହି କାଣରରୁ ଅନେକ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହେଉଛନ୍ତି ବୋଲି କୁହାଯାଉଛି। ଦିଲ୍ଲୀରେ ୧୨୨ଟି ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଏହାପୂର୍ବରୁ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଥିଲେ, କରୋନା ସଂକ୍ରମଣ ହେତୁ ସବୁକିଛି ବନ୍ଦ କରାଯାଇ ପାରିବ ନାହିଁ। ତେଣୁ ଲକ୍ଡାଉନ୍କୁ କିଛି ମାତ୍ରାରେ କୋହଳ କରାଯାଇଛି।
ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୫୪୯ରେ ପହଞ୍ଚି ଯାଇଛି। କରୋନା ଭାଇରସ୍ କାରଣରୁ ଏଯାବତ ୪୧୬ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସକ୍ରିୟ ମାମଲା ୧୦,୦୫୮ଟି ରହିଛି। ସେହିପରି ଏଯାବତ ୮,୦୭୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।