ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଲାଲୁ ପରିବାରଙ୍କ ଘରେ ଚଢ଼ଉ, ନଗଦ କୋଟିଏ ଜବତ

୬୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ: ଇଡି

ନୂଆଦିଲ୍ଲୀ : ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ବଙ୍ଗଳା ମାତ୍ର ୪ ଲକ୍ଷ ଟଙ୍କାରେ କିଣାଯାଇଥିଲା। କିନ୍ତୁ ଏହି ବଙ୍ଗଳାର ବଜାର ଦର ଏବେ ୧୫୦ କୋଟି ଟଙ୍କା। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଏବଂ ଝିଅମାନଙ୍କ ଘରେ ଇଡି ଗତକାଲି ଚଢ଼ଉ କରିବାପରେ ଆଜି ଏହି ସୂଚନା ଦେଇଛି। ୪ ମହଲା ବିଶିଷ୍ଟ ଏହି ବଙ୍ଗଳା ଏବି ‌ଏକ୍ସପୋର୍ଟ‌୍‌ସ ପ୍ରାଇଭେଟ ଲିମିଟେଡ୍‌ ନାମରେ ପଂଜୀକରଣ ହୋଇଛି। ଏବେ ଏହା ତେଜସ୍ବୀ ଯାଦବ ଏବଂ ତାଙ୍କ ପରିବାରର ମାଲିକାନାରେ ରହିଛି। ଏହି ସମ୍ପତ୍ତି କିଣିବାରେ ବଡ଼ ଧରଣର ଦୁର୍ନୀତି ଏବଂ ହେରଫେର ହୋଇଛି ବୋଲି ସନ୍ଦେହ କରାଯାଉଛି। କାଗଜପତ୍ରରେ ଏହି ସମ୍ପତ୍ତି ଏବି ଏକ୍ସପୋର୍ଟ‌୍‌ସ ଏବଂ ଏକେ ଇନଫୋସିଷ୍ଟମ୍‌ସର ବୋଲି ଘୋଷଣା ହୋଇଛି। କିନ୍ତୁ ‌େତଜସ୍ବୀ ଯାଦବ ଏହି ଘରେ ରହୁଛନ୍ତି।

‘ଚାକିରି ପାଇଁ ଜମି ଦୁର୍ନୀତି’ ମାମଲାରେ ଇଡି ଗତକାଲି ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀଙ୍କ ବାସଭବନ ସମେତ ୨୪ଟି ସ୍ଥାନରେ ଚଢ଼ଉ କରିବା ପରେ ଆଜି ଏହି ସୂଚନା ଦେଇଛି। ଗତକାଲିର ଚଢ଼ଉ ସମୟରେ ଇଡି ତେଜସ୍ବୀ ଏବଂ ତାଙ୍କ ଭଉଣୀମାନଙ୍କ ଘରୁ ନଗଦ ୧ କୋଟି ଟଙ୍କା, ୧୯୦୦ ଆମେରିକୀୟ ଡଲାର ସମେତ ଅନ୍ୟାନ୍ୟ ବିଦେଶୀ ମୁଦ୍ରା ଏବଂ ଦେଢ଼ କିଲୋରୁ ଅଧିକ ସୁନା ଗହଣା ଜବତ କରିଥିବା କହିଛି।

ଦେଢ଼ କିଲୋ ସୁନା ଗହଣା ଜବତ
ସନ୍ଦେହରେ ୨୦୦ କୋଟିର ଜମି
ଇଡି ମିଛ କହୁଛି: ତେଜସ୍ବୀ

ତେବେ ଇଡିର ଏହି ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ତେଜସ୍ବୀ। ସେ ଅଭିଯୋଗ କରିଛନ୍ତି ଯେ ଇଡି ମନଗଢ଼ା କାହାଣୀ ଶୁଣାଉଛି। ତାଙ୍କ ଘରୁ ନଗଦ କୋଟିଏ ଟଙ୍କା ଏବଂ ଶହ ଶହ କୋଟି ଟଙ୍କାର ବେଆଇନ ସଂପତ୍ତି ଜବତ ସଂପର୍କରେ ଇଡି ଯାହା କହୁଛି ‌େସଥିରେ କୌଣସି ସତ୍ୟତା ନାହିଁ। ଇଡି ଯଦି ଏତେ ଜିନିଷ ଜବତ କରିଛି, ତାହେଲେ ଏହି ଜବତ ତାଲିକା ପ୍ରକାଶ କରୁ ବୋଲି ସେ ଚାଲେଞ୍ଜ କରିଛନ୍ତି।

ଅନ୍ୟପକ୍ଷରେ ଇଡି ପକ୍ଷରୁ କୁହାଯାଇଛି ଯେ ଅନେକ ବେନାମୀ ସମ୍ପତ୍ତିର କାଗଜପତ୍ର ଜବତ କରିଛି। ଯାଦବ ପରିବାରର ସଦସ୍ୟଙ୍କ ନାମରେ କିଛି ସମ୍ପତ୍ତି ଥିବା ବେଳେ ଅନ୍ୟ କିଛି‌ ବେନାମୀ ସମ୍ପତ୍ତି କାଗଜପତ୍ର ରହିଛି। ଚଢ଼ଉ ସମୟରେ ୬୦୦ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ସେଥିମଧ୍ୟରୁ ୩୫୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୨୫୦ କୋଟି ଟଙ୍କା ବିଭିନ୍ନ ବେନାମୀ ସୂତ୍ରରୁ କାରବାର ‌ହୋଇଛି। ସେଥିମଧ୍ୟରୁ ୨୦୦ କୋଟିର ଜମି କାରବାର ସନ୍ଦେହଘେରରେ ରହିଛି।

ପାଟନା ଏବଂ ଅନ୍ୟ ପ୍ରମୁଖ ସ୍ଥାନମାନଙ୍କରେ ବିଭିନ୍ନ ଜାଗା ଯାଦବ ପରିବାର ନାମରେ କରାଯାଇଛି। ରେଳବାଇରେ ଚାକିରି ଲୋଭ ଦେଖାଇ ତତ୍କାଳୀନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅନେକ ଜମି ବେଆଇନ ଭାବେ ପାଇଥିବା ଅଭିଯୋଗ ରହିଛି। ସେହି ଅଭିଯୋଗକୁ ଆଧାର କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲାଲୁ ଓ ତାଙ୍କ ପରିବାର ସଭ୍ୟଙ୍କୁ ପଚରାଉଚରା କରିବା ସହିତ ଚଢ଼ଉ କରିଛି।

୧୨ ଘଣ୍ଟା ଜେରା ପରେ ତେଜସ୍ବୀଙ୍କ ପତ୍ନୀ ବେହୋସ

ନୂଆଦିଲ୍ଲୀ : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ତେଜସ୍ବୀ ଯାଦବଙ୍କୁ ଆଜି ହାଜର ହେବା ପାଇଁ ସିବିଆଇ ସମନ୍‌ କରିଥିଲା। ପତ୍ନୀଙ୍କ ଅସୁସ୍ଥତା ପାଇଁ ତେଜସ୍ବୀ ଆଜି ସିବିଆଇରେ ହାଜର ହୋଇପାରିନାହାନ୍ତି ଏବଂ ଅନ୍ୟ ଏକ ଦିନ ହାଜର ହେବାପାଇଁ ସେ ତାରିଖ ମାଗିଛନ୍ତି।

ତେଜସ୍ବୀଙ୍କ ପତ୍ନୀ ରାଜଶ୍ରୀ ଏବେ ଗର୍ଭବତୀ ଅଛନ୍ତି। ଗତକାଲି ତେଜସ୍ବୀଙ୍କ ଦିଲ୍ଲୀ ବାସଭବନରେ ଚଢ଼ଉ ଏବଂ ୧୨ ଘଣ୍ଟା କାଳ ଇଡି ଜେରା କରିବାପରେ ରାଜଶ୍ରୀ ହଠାତ୍‌ ବେହୋସ ହୋଇପଡ଼ିଥିଲେ। ରକ୍ତଚାପ ଜନିତ ସମସ୍ୟା ଦେଖାଦେବାରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ତେଜସ୍ବୀଙ୍କୁ ସିବିଆଇର ଏହା ଦ୍ବିତୀୟ ସମନ୍‌ ଥିଲା। ଫେବ୍ରୁଆରି ୪ରେ ତେଜସ୍ବୀଙ୍କୁ ପ୍ରଥମେ ସମନ୍‌ କରାଯାଇଥିଲା। ସେଦିନ ବି ସେ ସିବିଆଇରେ ହାଜର ହୋଇପାରିନଥିଲେ। ପୂର୍ବରୁ ସିବିଆଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ମା’ ରାବଡ଼ି ଦେବୀଙ୍କୁ ଏହ‌ି ମାମଲାରେ ପୃଥକ୍‌ ଭାବେ ଜେରା କରିଥିଲା। ଅନ୍ୟପକ୍ଷେ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତକାଲି ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନ ସମେତ ଏନ୍‌ସିଆର, ପାଟନା, ରାଞ୍ଚି ଏବଂ ମୁମ୍ବାଇର ୨୪ଟି ସ୍ଥାନରେ ଚଢ଼ଉ କରିଥିଲା।

ତେଜସ୍ବୀ ଯାଦବଙ୍କ ଘରେ ଇଡି ଚଢ଼ଉ ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଏହି ଚଢ଼ଉ ରାଜ‌ନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ନୀତୀଶ କହିଛନ୍ତି। ୨୦୧୭ରେ ଜେଡିୟୁ ଏବଂ ଆର୍‌ଜେଡି ମେଣ୍ଟରେ ଥିବାବେଳେ ସମାନ ଢଙ୍ଗରେ ଚଢ଼ଉ ହୋଇଥିଲା। ୫ ବର୍ଷ ପରେ ଆମେ ପୁଣିଥରେ ମେଣ୍ଟ ସରକାର ଗଠନ କରିବାପରେ ପୁଣିଥରେ ଏହି ଚଢ଼ଉ ହୋଇଛି ବୋଲି ନୀତୀଶ କହିଛନ୍ତି।

ସମ୍ବନ୍ଧିତ ଖବର