ପୁଣି ଧରାପଡ଼ିଲା ବିଏସ୍‌କେୱାଇ କେଳେଙ୍କାରୀ, ୨୩ଟି ଅସ୍ତ୍ରୋପଚାରରେ ଡାକ୍ତରଙ୍କର ଜାଲ୍‌ ଦସ୍ତଖତ

ମାହାଙ୍ଗା ସାଇ ଆରୋଗ୍ୟ ହସ୍ପିଟାଲର ଅନୁବନ୍ଧନ କଟିଲା

କଟକ : କଟକରେ ପୁଣି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ଚାଲିଥିବା କେଳେଙ୍କାରୀ ଧରା ପଡିଛି। ଦୁଇ ଜଣ ଡାକ୍ତରଙ୍କ ଜାଲ୍‌ ଦସ୍ତଖତ ଦେଇ, ସେମାନଙ୍କ ସିଲ୍‌, ରେଜିଷ୍ଟ୍ରେସନ ନମ୍ବର ପକାଇ ଅସ୍ତ୍ରୋପଚାର କରାଯାଇ ସେ ବାବଦକୁ ଟଙ୍କା ଉଠାଇବାକୁ ବିଲ୍ ପୈଠ କରାଯାଇଛି। ଗୋଟିଏ କି ଦୁଇଟି ନୁହେଁ ଏଭଳି ୨୩ଟି ଅସ୍ତ୍ରୋପଚାର ୨ ଜଣ ଡାକ୍ତରଙ୍କ ଜାଲ୍ ଦସ୍ତଖତରେ କରାଯାଇଛି। କଟକ ଜିଲ୍ଲା ମାହାଙ୍ଗାର ସାଇ ଆରୋଗ୍ୟ ହସ୍ପିଟାଲ ଆଣ୍ଡ ଡାଇଗ୍ନୋଷ୍ଟିକ ନାମକ ଘରୋଇ ନର୍ସିଂହୋମରେ ଏଭଳି କେଳେଙ୍କାରୀ ଧରା ପଡିବା ପରେ ତାହାର ଅନୁବନ୍ଧନକୁ କାଟି ଦିଆଯାଇଛି। କଟକରେ ପୂର୍ବରୁ ସାଉଥ୍ ପଏଣ୍ଟ ନର୍ସିଂହୋମ ଓ ଆଠଗଡର ପଣ୍ଡା ନର୍ସିଂହୋମ ବିଏସକେୱାଇ କେଳେଙ୍କାରୀରେ ଧରା ପଡିବା ପରେ ସେମାନଙ୍କ ଅନୁବନ୍ଧନ କାଟି ଦିଆଯାଇଥିଲା। ଏହି କ୍ରମରେ ଜିଲ୍ଲାର ତୃତୀୟ ଘରୋଇ ନର୍ସିଂହୋମ ଧରାପଡିଛି।

ସାଇ ଆରୋଗ୍ୟ ପକ୍ଷରୁ ଦାଖଲ ବିଲ୍‌ରେ ଦୁଇ ଜଣ ଡାକ୍ତରଙ୍କ ଦସ୍ତଖତ ସମାନ ଅକ୍ଷରରେ ଲେଖାଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଥିଲା। ଏହାର ଖୋଳତାଡ଼ ପରେ ଘଟଣା ଜଣାପଡିବା ସହ ଉକ୍ତ ନର୍ସିଂହୋମକୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ହେଲେ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ଦେଇ ନପାରିବା ଫଳରେ ଏହାକୁ ବିଏସକେୱାଇ ହସ୍ପିଟାଲ ଅନୁବନ୍ଧିତ ତାଲିକାରୁ ବାଦ ଦିଆଯାଇଛି।

ପ୍ରାଥମିକ ଛାନଭିନ୍‌ରୁ ହସ୍ପିଟାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ଚିତ୍ତରଞ୍ଜନ ବେହେରା ଓ ସର୍ଜରି ବିଭାଗ ଡାକ୍ତର ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଦ୍ବାରା ହୋଇଥିବା ୨୩ଟି ଅସ୍ତ୍ରୋପଚାରର କାଗଜପତ୍ର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ବିଲ ପାଇବା ପାଇଁ ପଠାଯାଇଥିଲା। ସେଥିରେ ଡାକ୍ତରଙ୍କ ଜାଲ୍‌ ଦସ୍ତଖତ ପଡିଥିବାବେଳେ ସେମାନଙ୍କ ସିଲ ଓ ରେଜିଷ୍ଟ୍ରେସନ ନମ୍ବରକୁ ବି ପକାଇ ଦିଆଯାଇଥିଲା। ସମାନ ଅକ୍ଷରର ଦସ୍ତଖତ ଓ ପ୍ରସ୍ତୁତ କାଗଜପତ୍ରକୁ ନେଇ ସନ୍ଦେହ ହେବାରୁ ଉକ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ରେଜିଷ୍ଟ୍ରେସନ ନମ୍ବର ତାଙ୍କର କିନ୍ତୁ ଦସ୍ତଖତ ସେମାନଙ୍କ ନୁହେଁ ଓ ସେମାନେ ଏସବୁ ଅସ୍ତ୍ରୋପଚାର କରି ନଥିବା ସ୍ପଷ୍ଟ କରିବା ପରେ ଏଭଳି କେଳେଙ୍କାରୀ ଧରା ପଡିଥିଲା।

ସମ୍ବନ୍ଧିତ ଖବର