ନିଯୁକ୍ତି ପ୍ରକ୍ରିୟାକୁ ରୋଜଗାର ମେଳା ସଂସ୍ଥାଗତ ରୂପ ଦେଇଛି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ ପରିକଳ୍ପନାରେ ଆୟୋଜନ କରାଯାଉଥିବା ରୋଜଗାର ମେଳା ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ସଂସ୍ଥାଗତ ରୂପ ଦେଇଛି ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ।

କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟର ୯ ବର୍ଷର ଉପଲବ୍ଧି ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରି ଡକ୍ଟର ସିଂ କହିଛନ୍ତି ଯେ, ପ୍ରଶାସନିକ ଏବଂ ସରକାରୀ ବ୍ୟବସ୍ଥାରେ ସଂସ୍କାର ଆଣିବା ସମୟରେ ଯୁବକମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ରୋଜଗାର ମେଳା ଏକ ପ୍ରମୁଖ ତଥା ସାହସିକ ପଦକ୍ଷେପ। ଏହାବ୍ୟତୀତ ବିଭିନ୍ନ ଯୋଜନାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବର୍ତ୍ତମାନର ସରକାରଙ୍କ ପରିଚୟ ପାଲଟିଛି। କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ରୋଜଗାର ମେଳା ଜରିଆରେ କେନ୍ଦ୍ର ସରକାର ଏବଂ ସହଯୋଗୀ ରାଜ୍ୟ ସରକାର ମିସନ୍‌ ମୋଡ୍‌ରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ।

ଡକ୍ଟର ସିଂ ଆହୁରି କହିଥିଲେ ଯେ, ମେ ୨୦୨୩ରେ ଶେଷ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ଗତ ୯ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରାଥମିକତା ଦେଇ ଏହାକୁ ଦ୍ରୁତ, ପାରଦର୍ଶୀ ଓ ନିରପେକ୍ଷ କରିଛନ୍ତି। ପୂର୍ବରୁ କର୍ମଚାରୀ ଚୟନ ବୋର୍ଡ ଦ୍ୱାରା ନୂଆ ନିଯୁକ୍ତି ପାଇଁ ପ୍ରାୟ ୧୫ରୁ ୧୮ ମାସ ଲାଗୁଥିଲା ଯାହାକି ଏବେ ୬ରୁ ୮ ମାସକୁ ହ୍ରାସ ପାଇଛି। ଯୁବ କୈନ୍ଦ୍ରିକ ନିଯୁକ୍ତି ପ୍ରକ୍ରିୟାକୁ ଆପଣାଯାଇ ଗ୍ରୁପ୍‌‌ ବି ଅଣଗେଜେଟେଡ୍‌ ଏବଂ ତା’ଠାରୁ ନିମ୍ନ ପଦବି ପାଇଁ ସାକ୍ଷାତ୍‌କାର ଉଚ୍ଛେଦ କରାଯାଇଛି। କାଗଜ ଆଧାରିତ ପରୀକ୍ଷା ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯାଉଛି। ବିଭିନ୍ନ ଏସଏସସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆଞ୍ଚଳିକ ଭାଷାର ପ୍ରୟୋଗ କାରଣରୁ ଅଧିକ ସଂଖ୍ୟାରେ ଯୁବବର୍ଗ ସରକାରୀ ଚାକିରି କରିବା ପାଇଁ ଆବେଦନ କରୁଛନ୍ତି।

ସମ୍ବନ୍ଧିତ ଖବର