ମିଛ କହିଥିଲେ କଣ୍ଡକ୍ଟର, ଉତ୍ତୀର୍ଣ୍ଣ ହୋଇନାହାନ୍ତି ୟୁପିଏସସି ମେନ ପରୀକ୍ଷା

ବାଙ୍ଗାଲୋର: କିଛି ଦିନ ତଳେ ବାଙ୍ଗାଲୋରର ଜଣେ ବସ କଣ୍ଡକ୍ଟର ୟୁପିଏସସି ବା ସଂଘୀୟ ଲୋକସେବା ଆୟୋଗ ପରୀକ୍ଷାର ପ୍ରି ଓ ମେନ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ନେଇ ଖବର ପ୍ରକାଶ ପାଇଥିଲା | ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ବାଙ୍ଗାଲୋର ବିଏମ୍‌ଟିସି(ବାଙ୍ଗାଲୋର ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ) ର ଜଣେ ବସ୍‌ କଣ୍ଟକ୍ଟର ଭାବେ କାମ କରୁଥିବା ୨୯ ବର୍ଷୀୟ ମଧୁ ୟୁପିଏସ୍‌ସି ପରୀକ୍ଷାର ପ୍ରି ଓ ମେନ ପରୀକ୍ଷା ପାସ୍‌ କରିଥିବା ନେଇ ଖବର ଆସିଥିଲା | କିନ୍ତୁ ଏବେ ଏହି ଖବର ମିଛ ବୋଲି ଜଣାପଡିଛି | ମଧୁ ପରୀକ୍ଷାରେ ଯୋଗ୍ୟତା ହାସଲ କରିନଥିବାବେଳେ ଗଣମାଧ୍ୟମକୁ ବିଭ୍ରାନ୍ତ କରିଥିବାର ଜଣାପଡିଛି |

ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୧୪ ତାରିଖ ୨୦୨୦ରେ ୟୁପିଏସସି ନୋଟିସରେ ଉଲ୍ଲେଖ ଥିବା ସାକ୍ଷାତକାର ତାଲିକାରେ ମଧୁଙ୍କ ନାମ ନଥିଲା | ଏହି ସାକ୍ଷାତକାର ଆଇଏଏସ, ଆଇପିଏସ, ଆଇଏଫଏସ ଓ ଅନ୍ୟ କେନ୍ଦ୍ର ଅଧିକାରୀଙ୍କ ନିଯୁକ୍ତି ପାଇଁ ନିଆଯାଇଥାଏ | ମଧୁ ଯେଉଁ ସାର୍ଟିଫିକେଟ ଦେଖାଇଥିଲେ ତାହା ତାଙ୍କର ନଥିଲା ବୋଲି ଜଣାପଡିଛି | ଏହି ସାର୍ଟିଫିକେଟ ମଧୁ କୁମାରୀ ନାମକ ଜଣେ ଯୁବତୀଙ୍କର ହୋଇଥିବାବେଳେ ମଧୁ ଚଂଚକତା କରି ସମସ୍ତଙ୍କୁ ମିଛ କଥା କହିଥିଲେ | ଏହି ମିଛ ଖବରକୁ ନେଇ ବାଙ୍ଗାଲୋର ମିରରର ସମ୍ପାଦକ ରବି ଯୋଶୀ କ୍ଷମା ପ୍ରାର୍ଥନା କରିଛନ୍ତି | କାରଣ ପ୍ରଥମେ ଏହି ଖବରଟି ବାଙ୍ଗାଲୋର ମିରରରେ ପ୍ରକାଶ ପାଇଥିଲା ଓ ଧୀରେ ଧୀରେ ଏହା ଭାଇରାଲ ହୋଇଥିଲା |


ଅନ୍ୟପକ୍ଷରେ କିଭଳି କଣ୍ଡକ୍ଟର ଜଣକ ସମସ୍ତଙ୍କୁ ଭୁଆଁ ବୁଲାଇଥିଲେ ବିଏମଟିସି ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି | ଏଠାରେ ସୂଚନା ଥାଉ କି ମାର୍ଚ୍ଚ ୨୫ ତାରିଖରେ ତାଙ୍କର ଇଣ୍ଟରଭ୍ୟୁ ଅଛି ବୋଲି ମଧୁ କହିଥିଲେ | ଏସବୁ ଭଗବାନଙ୍କ ଆର୍ଶୀବାଦ ସହିତ ତାଙ୍କର ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହେତୁ ଏହା ସମ୍ଭବ ହୋଇପାରିଛି ବୋଲି ବସ୍‌ କଣ୍ଡକ୍ଟର ମଧୁ କହିଥିଲେ, ଯାହାକି ମିଛ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର