ଝଗଡ଼ା ଭୁଲି ମିଶିଗଲେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ : ବିଶ୍ବର ଅନ୍ୟତମ ଧନୀ ପରିବାର ହିନ୍ଦୁଜା ପରିବାରରେ ଯେଉଁ ଝଗଡ଼ା ଲାଗିଥିଲା ତାହା ଶେଷ ହୋଇଛି। ଏହି ପରିବାରର ଚାରି ଭାଇ ଗୋପୀଚାନ୍ଦ, ପ୍ରକାଶ, ଶ୍ରୀଚାନ୍ଦ ଓ ଅଶୋକ ହିନ୍ଦୁଜା ସବୁ ପ୍ରକାର ଝଗଡ଼ାକୁ ଭୁଲି ପରସ୍ପର ସହ ମିଳାମିଶା କରିବାକୁ ରାଜି ହୋଇଛନ୍ତି। ୨୦୧୪ରେ ହୋଇଥିବା ଏକ ଚୁକ୍ତିକୁ ନେଇ ଏହି ଚାରି ଭାଇଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ସେହି ଚୁକ୍ତିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ ‘ସବୁ କିଛି ସମସ୍ତଙ୍କର ଏବଂ କାହାର କିଛି ବି ନୁହେଁ’।

କିନ୍ତୁ ଚାରି ଭାଇଙ୍କ ମଧ୍ୟରୁ ଶ୍ରୀଚାନ୍ଦ ହିନ୍ଦୁଜାଙ୍କ ସନ୍ତାନମାନେ ଅଭିଯୋଗ କରିଥିଲେ ଯେ ବ୍ୟବସାୟରେ ସେମାନଙ୍କ ପରିବାରକୁ ଅଣଦେଖା କରାଯାଉଛି। ସେହିଠାରୁ ଝଗଡ଼ା ଆରମ୍ଭ ହୋଇଥିଲା। ୨୦୧୪ରେ ହୋଇଥିବା ଚୁକ୍ତି ବଳରେ ସ୍ବିଜରଲ୍ୟାଣ୍ଡ୍‌ରେ ଥିବା ହିନ୍ଦୁଜା ବ୍ୟାଙ୍କକୁ ନିଜ ନିୟନ୍ତ୍ରଣରେ ରଖିବା ଲାଗି ଶ୍ରୀଚାନ୍ଦଙ୍କ ଅନ୍ୟ ତିନି ଭାଇ ଉଦ୍ୟମ କରିଥିଲେ। କିନ୍ତୁ ବ୍ୟାଙ୍କଟି ଶ୍ରୀଚାନ୍ଦଙ୍କ ନାମରେ ଥିଲା। ଏକଥା ତାଙ୍କ ପିଲାମାନେ ସହିପାରିନଥିଲେ। ଏବେ ସେହି ଝଗଡ଼ା ବନ୍ଦ ହୋଇଛି। ହିନ୍ଦୁଜା ଭ୍ରାତାଙ୍କ ମଧ୍ୟରୁ ଗୋପୀଚାନ୍ଦ ଓ ଶ୍ରୀଚାନ୍ଦ ଲଣ୍ଡନରେ ବାସ କରୁଥିବା ବେ‌ଳେ ପ୍ରକାଶ ମୋନାକୋରେ ଏବଂ ଅଶୋକ ମୁମ୍ବାଇରେ ରହୁଛନ୍ତି। ଚାରି ଭାଇଙ୍କ ପାଖରେ ୧୫୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ରହିଛି। ହିନ୍ଦୁଜା ପରିବାର ହେଉଛି ବିଶ୍ବ ଧନୀ ତାଲିକାରେ ୧୧୦ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର