ବିଏମ୍‌ସି ପାଲଟିଛି ଥଇଥାନ କେନ୍ଦ୍ର: ଗଳାବାଟ‌ରେ ଚାଲିଛି ନିଯୁକ୍ତି

୪ ମାସରେ ଚାକିରି ପାଇଲେଣି ଶହେ, ପୁଣି ଠିକାରେ ନିଯୁକ୍ତ ହେବେ ୨୬ ଇଞ୍ଜିନିୟର, ଖୋଲିବ ପିଏମ୍‌ୟୁ ସେଲ୍‌

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଏକ ଥଇଥାନ କେନ୍ଦ୍ର ପାଲଟିଛି। ପୂର୍ବରୁ ବରିଷ୍ଠ ଅଧିକାରୀମାନେ ଖୋଲି ଦେଇଯାଇଥିବା ଗଳାବାଟରେ ମନଇଚ୍ଛା ନିଯୁକ୍ତି ଦିଆଚାଲିଛି। ଠିକାସଂସ୍ଥା ଜରିଆରେ ଅଧିକାରୀମାନେ ତାଙ୍କର ସ୍ବାର୍ଥ ସାଧନ କରୁଛନ୍ତି। ସେମାନଙ୍କର ସମ୍ପର୍କୀୟ ନିଯୁକ୍ତି ପାଉଥିବା ବେଳେ ଆଉ କେତେକଙ୍କ ଠାରୁ ମୋଟା‌ ଅଙ୍କର ହାତଗୁଞ୍ଜା ନିଆଯାଇ ନିଯୁକ୍ତି ଦିଆ ଯାଉଥିବା ଅଭିଯୋଗ ରହିଛି। ପ୍ରଥମେ ନିଯୁକ୍ତି ଦିଆଯିବା ପରେ ଏହି କେଳେଙ୍କେରୀ ଅଠାକୁ କର୍ପୋରେସନ ବୈଠକରେ କର୍ପୋରେଟରଙ୍କ ମୁଣ୍ଡରେ ବୋଳି ଦିଆଯାଉଛି। କର୍ପୋରେସନ ଅଗୋଚର‌ରେ ଅଧିକାରୀ ନେଇଥିବା ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ସ୍ବୀକୃତ କରାଯାଉଛି। କିଛି ହାତଗଣତି କର୍ପୋରେଟର ଏହାକୁ କର୍ପୋରେସନ ବୈଠକରେ ବି‌ରୋଧ କରୁଥିବା ବେଳେ ନିଜ ସ୍ବାର୍ଥରେ ବାଧା ହେବା ଭୟରେ ଅନ୍ୟ କେତେକ କର୍ପୋରେଟରମାନେ ଅଧିକାରୀମାନଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିପାରୁ ନାହାନ୍ତି। ଏହାର ସୁଯୋଗ ନେଇ ଅଧିକାରୀମାନେ ନିଯୁକ୍ତି କରି ଚାଲିଛନ୍ତି। ୪ ମାସ ମଧ୍ୟରେ ଶହେରୁ ଅଧିକ ନିଯୁକ୍ତି ଦିଆ ସରିଥିବା ବେଳେ ଏବେ ୨୬ କନିଷ୍ଠ ଯନ୍ତ୍ରୀଙ୍କୁ ଠିକା ସଂସ୍ଥା ଜରିଆରେ ନିଯୁକ୍ତି ଦେବା ପାଇଁ ଯୋଜନା ଚାଲିଛି।

ବିଏମ୍‌ସିରେ ଡିଇଓ(ଡାଟା ଏଣ୍ଟ୍ରି ଅପରେଟର) ଭାବେ କାମ କରୁଥିବା ୫୮ ଜଣ ଡିଇଓଙ୍କୁ ବିଦା କରିବାପରେ ବିଏମ୍‌ସି ଅନ୍ୟ ଏକ ଠିକା ସଂସ୍ଥା ଜରିଆରେ ନାଁ ବଦଳାଇ ନିଯୁକ୍ତି ଦେଇଥିଲା। ଏହାକୁ ନେଇ ବିବାଦ ହୋଇଥିଲା। ଏମାନଙ୍କୁ ସାନିଟାରି ମଲ୍ଟି ଟାସ୍କିଂ ଆସିଷ୍ଟାଣ୍ଟ ଭାବରେ ନିଯୁକ୍ତି ମିଳିଥିଲା। କିନ୍ତୁ ଏମାନେ ପୂର୍ବରୁ ଯେଭଳି ଡାଟା ଏଣ୍ଟ୍ରି କାମ କରୁଥିଲେ ସେଭଳି କାମରେ ନିୟୋଜିତ ହୋଇଥିଲେ। ଏହାପରେ ପ୍ରତି ୱାର୍ଡରେ ଜଣେ ଜଣେ ସାନିଟାରି ଇନ୍‌ସ୍‌ପେକ୍ଟର ଆବଶ୍ୟକ ଥିବା ଦର୍ଶାଇ ବିଏମ୍‌ସି ୩୦ରୁ ଉର୍ଦ୍ଧ୍ବ ସାନିଟାରି ଇନ୍‌ସ୍‌ପେକ୍ଟରଙ୍କୁ ନିଯୁକ୍ତି ଦେଇଛି। ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ଆଶାରେ ଏଭଳି ନିଯୁକ୍ତି ଦିଆଯାଇଥିବା ବିଏମ୍‌ସି ଦର୍ଶାଇଛି। ଏଥିରେ ମଧ୍ୟ କୌଣସି ପରୀକ୍ଷା କରାଯାଇ ନାହିଁ। କର୍ମଚାରୀ ଆବଶ୍ୟକ ଥିବା ଦର୍ଶାଇ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲୋକାଲ୍‌ ସେଲ୍ଫ ଗଭର୍ଣମେଣ୍ଟକୁ ବିଏମ୍‌ସି ଚିଠି ଲେଖିବା ପରେ ସମ୍ପୃକ୍ତ ସଂସ୍ଥା ଏହି ନିଯୁକ୍ତି ଦେଇଛି। କାହାର କ’ଣ ଯୋଗ୍ୟତା?

ପୂର୍ବରୁ ପରିମଳ ବ୍ୟବସ୍ଥା ଯାଞ୍ଚ କରିଥିବା ଅଭିଜ୍ଞତା ଅଛି କି ନାହିଁ? ଏ ସବୁ ଉପରେ କୌଣସି ସୂଚନା ନାହିଁ। ଏଥିରେ ଅଧିକାରୀମାନଙ୍କର ସମ୍ପର୍କୀୟ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି। ଗତ କର୍ପୋରେସନ ବୈଠକରେ ଏହାକୁ ନେଇ ପ୍ରବଳ ହୋ’ହଲ୍ଲା ହୋଇଛି। କର୍ପୋରେଟର ଛବି ଦାସ ଏହି ନିଯୁକ୍ତି ଉପରେ ଆଙ୍ଗୁଠି ଉଠାଇବା ସହ ଏମାନେ କ’ଣ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେମାନଙ୍କୁ କେଉଁ ଆଧାରରେ ନିଯୁକ୍ତି ଦିଆଯାଇଛି? ସେମାନେ କି ପ୍ରକାରର ‘ଇନୋଭେଟିଭ୍‌ ଆଇଡିଆ’ ବିଏମ୍‌ସିକୁ ଦେଇଛନ୍ତି? ଏମାନଙ୍କର ନିଯୁକ୍ତି ପ୍ରକ୍ରିୟା ଓ କଣ କରୁଛନ୍ତି ସେ ବାବଦରେ ଏକ ସମ୍ପୂର୍ଣ୍ଣ ବିବରଣୀ ଆସନ୍ତା ବୈଠକରେ ଉପସ୍ଥାପନ କରିବାକୁ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ଏବେ ୨୬ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦେବାପାଇଁ ଯୋଜନା ହୋଇଛି। ପବ୍ଲିକ୍‌ ୱାର୍କସ୍‌ ଷ୍ଟାଣ୍ଡିଂ କମିଟି ସୁପାରିସ କରିବା ପରେ ବିଏମ୍‌ସି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ବିଏମ୍‌ସିରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାମ ତଦାରଖ କରିବା ପାଇଁ ଏହି ନିଯୁକ୍ତି କରିବାକୁ ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିବା ଜଣାପଡ଼ିଛି। ଅଭିଯୋଗ ହେଉଛି ଯେ ଷ୍ଟାଣ୍ଡିଂ କମିଟି ନିଯୁକ୍ତି ପାଇଁ ସୁପାରିସ କରିପାରିବ ନାହିଁ। ବରଂ, ବିଏମ୍‌ସି ଅଞ୍ଚଳରେ କି କି ପ୍ରକାର ଉନ୍ନତିମୂଳକ କାର୍ଯ୍ୟର ଆବଶ୍ୟକତା ଅଛି ତାହା ସୁପାରିସ କରିବ ବୋଲି ପୌର ଆଇନ୍‌ରେ ବ୍ୟବସ୍ଥା ଅଛି। ଏହା ବାଦ୍‌ ଇଞ୍ଜିନିୟରିଂ ସେକ୍ସନ୍‌ରେ ଏକ ପିଏମ୍‌ୟୁ ସେଲ୍‌ ଖୋଲିବା ପାଇଁ ମଧ୍ୟ ଯୋଜନା ହୋଇଛି। ପୂର୍ବରୁ ବିଏମ୍‌ସି ଓ ବିଡିଏରେ ରହିଥିବା ପିଏମ୍‌ୟୁ ସେଲ୍‌ଗୁଡ଼ିକ ଆଖିଦୃଶିଆ କାମ କରୁନାହାନ୍ତି, ବରଂ ଏମାନଙ୍କର ମୋଟା ଅଙ୍କର ଦରମା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଅଭିଯୋଗ ରହିଛି। ଏବେ ଇଞ୍ଜିନିୟରିଂ ସେଲ୍‌ରେ ଏଭଳି ଏକ ପିଏମ୍‌ୟୁ ସେଲ୍‌ ଖୋଲାଯାଇ ନିଯୁକ୍ତି ଦିଆଯିବାକୁ ସ୍ଥିର କରାଯାଇଛି।

ସମ୍ବନ୍ଧିତ ଖବର