ଆଫଗାନିସ୍ତାନରେ ମହିଳାଙ୍କୁ ବିଶ୍ବବିଦ୍ୟାଳୟ ମନା

ଜଣେ ଝିଅର ବାପା ଭାବେ ଏଭଳି ବିଶ୍ବ ସଂପର୍କରେ ଚିନ୍ତା କରିପାରୁନି: ସୁନକ, ସୁନକଙ୍କ ବିବୃତିକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା

ନୂଆଦିଲ୍ଲୀ : ଆଫଗାନିସ୍ତାନର ତାଲିବାନ ସରକାର ପୁଣି ଏକ ମହିଳା ବିରୋଧୀ ପଦକ୍ଷେପ ନେଇଛି। ବିଶ୍ବବିଦ୍ୟାଳୟଗୁଡ଼ିକରେ ମହିଳାମାନଙ୍କ ପାଠପଢ଼ାକୁ ନିଷିଦ୍ଧ କରିଛି। ଦେଶର ଉଚ୍ଚଶିକ୍ଷାମନ୍ତ୍ରୀ ଗତକାଲି ଏହି ନିଷ୍ପତ୍ତି ନେବା ସହିତ ଏହାକୁ ତତ୍କାଳ କାର୍ଯ୍ୟକାରୀ କରାଯିବା ନେଇ ଘୋଷଣା କରିଛନ୍ତି। ତେବେ ଏହାକୁ ବିରୋଧ କରି ବୁଧବାର ଦିନ କିଛି ମହିଳା ରାଜଧାନୀ କାବୁଲରେ ପ୍ରତିବାଦ କରିଛନ୍ତି। ଦେଶରେ ମହିଳା ବିଶ୍ବବିଦ୍ୟାଳୟ ବନ୍ଦ ବିରୋଧରେ ସ୍ବର ଉତ୍ତୋଳନ କରିବା ଲାଗି ଆମେମାନେ ରାସ୍ତାକୁ ଓହ୍ଲାଇଛୁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

ଆଫଗାନିସ୍ତାନର ମହିଳା ଛାତ୍ରୀମା‌ନେ ଏହାକୁ କଡ଼ା ନି‌ନ୍ଦା କରିଛନ୍ତି। ଭବିଷ୍ୟତ ପାଇଁ ଯୋଡ଼ିହେବାର ଏକମାତ୍ର ସେତୁକୁ ସରକାର ନଷ୍ଟ କରିଦେଇଛନ୍ତି ବୋଲି କାବୁଲ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ କହିଛନ୍ତି। ଅନ୍ୟ ଜଣେ ଛାତ୍ରୀ କହିଛନ୍ତି ସେ ସବୁକିଛି ହରାଇ ଦେଇଛନ୍ତି। ସଂପୃକ୍ତ ଛାତ୍ରୀ ଜଣକ ସାରିଆ ଇସଲାମିକ ଆଇନ ପାଠ ପଢ଼ୁଛନ୍ତି। ତାଙ୍କ କହିବାନୁଯାୟୀ, ଇସଲାମ ଏବଂ ଆଲ୍ଲା ଦେଇଥିବା ଅଧିକାରକୁ ତାଲିବାନ ସରକାର କ୍ଷୁଣ୍ଣ କରୁଛି। ଜାତିସଂଘ ସମେତ ବିଭିନ୍ନ ଦେଶ ପକ୍ଷରୁ ତାଲିବାନର ଏପରି ଆଦେଶକୁ ନିନ୍ଦା କରାଯାଇଛି। ଆଫଗାନିସ୍ତାନରେ ଅବସ୍ଥାପିତ ଜାତିସଂଘର ସ୍ବତନ୍ତ୍ର ରାପୋର୍ଟିୟର କହିଛନ୍ତି, ସମାନ ଶିକ୍ଷା ଅଧିକାରକୁ ଏହା ଉଲ୍ଲଂଘନ କରୁଛି। ଆମେରିକା କହିଛି ତାଲିବାନକୁ ଏପରି ନିଷ୍ପତ୍ତି ପାଇଁ ପରିଣାମ ଭୋଗିବାକୁ ପଡ଼ିବ। ଆଫଗାନିସ୍ତାନରେ ରହୁଥିବା ସବୁ ଲୋକଙ୍କୁ ସମ୍ମାନ ନଦେବା ପର୍ଯ୍ୟନ୍ତ ତାଲିବାନ ଅନ୍ତର୍ଜାତୀୟ ସମୁଦାୟର ଆଇନଗତ ସଦସ୍ୟ ହେବା ନେଇ ଆଶା ରଖିପାରିବ ନାହିଁ ବୋଲି ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି।

ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଏକ ଟ୍ବିଟ କରି ତାଙ୍କ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଜଣେ ଝିଅର ବାପା ଭାବରେ ଏଭଳି ଏକ ବିଶ୍ବ ସଂପର୍କରେ ଚିନ୍ତା କରିପାରୁନି ଯେଉଁଠି ସେମାନଙ୍କୁ ଶିକ୍ଷା ମନା କରାଯାଇଛି। ଆଫଗାନିସ୍ତାନର ମହିଳାମାନେ ଅନେକ କିଛି ଯୋଗଦାନ ଦେଇପାରିବେ। ସେମାନଙ୍କୁ ବିଶ୍ବବିଦ୍ୟାଳୟ ଶିକ୍ଷା ମନା କରିବା ଏକ ପଶ୍ଚାଦଗାମୀ ପଦ‌‌କ୍ଷେପ। ସାରା ବିଶ୍ବ ଏହା ଉପରେ ନିଜର ରଖିଛି। ଆମେ ତାଲିବାନକୁ ‌‌ତାର କାର୍ଯ୍ୟ ଅନୁସାରେ ବିଚାର କରିବୁ ବୋଲି ସୁନକ କହିଛନ୍ତି। ଏଭଳି ନିଷ୍ପତ୍ତିକୁ ୟୁରୋପୀୟ ସଂଘ ଏବଂ ସାଉଦି ଆରବ ମଧ୍ୟ ନିନ୍ଦା କରିଛି।

କିନ୍ତୁ ଋଷି ସୁନକଙ୍କ ଟ୍ବିଟ ଉପରେ ଅନେକ ଲୋକ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଜଣେ ଲେଖିଛନ୍ତି ଏଭଳି ରାଜନେତା କେବଳ ବିଦେଶ ବ୍ୟାପାରରେ ଏଭଳି ମନ୍ତବ୍ୟ ଦେଇଥାନ୍ତି। କିନ୍ତୁ ନିଜ ଦେଶରେ ତାହାକୁ କାର୍ଯ୍ୟକାରୀ କରି ନଥାନ୍ତି। ୱର୍କସୟାରର ସାଂସଦ ଜନ ରେଡଉଡ୍ କହିଛନ୍ତି ଜାନୁଆରିରେ ଆରମ୍ଭ ହୋଇଥିବା ବ୍ରିଟେନ ଗୃହ ମନ୍ତ୍ରାଳୟର ଆଫଗାନ ନାଗରିକ ଥଇଥାନ ଯୋଜନା (ଏସିଆରଏସ)ରେ ଜଣେ ହେଲେ ବ୍ୟକ୍ତିଙ୍କୁ ଗ୍ରହଣ କରାଯାଇନାହିଁ। ସେହିଭଳି ଅନ୍ୟଜଣେ ବ୍ୟକ୍ତି କହିଛନ୍ତି, ତାଲିବାନ ସରକାରର ଏଭଳି ନିର୍ଦ୍ଦେଶକୁ ବିରୋଧ କରି ଅନେକ ବିବୃତି ପଢ଼ିଲିଣି। ଯଦି ଆଫଗାନ୍‌ର ଲୋକ ଏବଂ ମହିଳାଙ୍କ ପ୍ରତି ବାସ୍ତବରେ ଦୟା ରହିଛି ତାହେଲେ ଆତଙ୍କବାଦୀଙ୍କୁ ସପ୍ତାହକୁ ପଠାଯାଉଥିବା ୪୦ ନିୟୁତ ଡଲାରର ଅର୍ଥକୁ ବନ୍ଦ କରାଯାଉ। ଅନ୍ୟ ଜଣେ ମହିଳା ଲେଖିଛନ୍ତି ବ୍ରିଟେନରେ ବାସ କରୁଥିବା ଅଗଣିତ ମହିଳା ଯେଉଁମାନେ ଜାତିଆଣ ଦୁର୍ବ୍ୟବହାର ଏବଂ ଇସଲାମ ଭୟରେ ବିଶ୍ବବିଦ୍ୟାଳୟରୁ ପାଠ ଛାଡ଼ୁଛନ୍ତି ସେ‌ମାନଙ୍କ ଅବସ୍ଥା କ’ଣ। ଆପଣଙ୍କ ନିଜ ଦେଶରେ ଘଟୁଥିବା ଏଭଳି ଘଟଣା ସଂପର୍କରେ ଆପଣ କ’ଣ କହିବେ? ଅନ୍ୟ ଜଣେ ଲେଖିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ନିର୍ବାଚିତ କରିବା ବଡ଼ ଭୁଲ। କାରଣ ସେସବୁ ବେଳେ ପାକିସ୍ତାନ ଓ ଆଫଗାନିସ୍ତାନ ସମସ୍ୟା ଉପରେ ଧ୍ୟାନ ଦେବେ। ଜି-୭ର ସଦସ୍ୟ ହୋଇ ମଧ୍ୟ ବ୍ରି‌ଟେନରେ ଅନେକ ପିଲା ଖାଲି ପେଟରେ ବିଦ୍ୟାଳୟକୁ ଏବଂ ଶୋଇବାକୁ ଯାଉଥାନ୍ତି ବୋଲି ଅନ୍ୟ ଜଣେ ଲେଖିଛନ୍ତି।

ଆଫଗାନିସ୍ତାନର ଜଣେ ଖ୍ୟାତନାମା ମହିଳା ସବନମ ନସିମି ଲେଖିଛନ୍ତି, ପୁରୁଷ ବିଶ୍ବବିଦ୍ୟାଳୟର ଛାତ୍ରମାନେ ଏଭଳି ନିଷ୍ପତ୍ତି ପ୍ରତିବାଦରେ ପରୀକ୍ଷା ହଲରୁ ବାହାରି ଆସିଛନ୍ତି। ଅନେକ ପୁରୁଷ ପ୍ରଫେସର ମଧ୍ୟ ଇସ୍ତଫା ଦେଇଛନ୍ତି। ସାରା ଦେଶରେ ଏହା ହେବା ଆବଶ୍ୟକ ବୋଲି ସେ ଲେଖିଛନ୍ତି। ରିଚାର୍ଡ ନାମକ ବ୍ରିଟେନର ଜଣେ ବ୍ୟକ୍ତି ଲେଖିଛନ୍ତି ଅନ୍ୟ ଦେଶର କଥାରେ ମୁଣ୍ଡ ଖେଳାଇବା ପୂର୍ବରୁ ଆଗେ ନିଜ ଦେଶର ସମସ୍ୟା ସମାଧାନ କର। ତେବେ କିଛି ଲୋକ ସୁନକଙ୍କୁ ତାଙ୍କର ମନ୍ତବ୍ୟ ପାଇଁ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର