ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ତଥ୍ୟରେ ଅମେଳ, ଦିବ୍ୟାଙ୍ଗ ଛାତ୍ରଛାତୀଙ୍କ ସଂଖ୍ୟା ୩ ନା ୧୦ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ ମୋଟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ କେତେ ପ୍ରତିଶତ ? ଏହି ହାରକୁ ନେଇ ଲୋକସଭାରେ ସାଂସଦ ଓ ମନ୍ତ୍ରୀଙ୍କ ମଧ୍ୟରେ ତଥ୍ୟରେ ଅମେଳ ଦେଖାଦେଇଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟାର ତିନି ପ୍ରତିଶତ ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିବା ବେଳେ ଏହି ସଂଖ୍ୟା ୧୦ ପ୍ରତିଶତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକସଭାର ଶ୍ରୀମତୀ ଷଡ଼ଙ୍ଗୀଙ୍କ ମୂଳ ପ୍ରଶ୍ନ ଉପରେ ହୋଇଥିବା ଆଲୋଚନାରେ ଏହା ଦେଖିବାକୁ ମିଳିଥିଲା।

ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ପ୍ରଥମ ପ୍ରଶ୍ନର ଆଲୋଚନାରେ ତଥ୍ୟ ରଖି କହିଲେ, ଦେଶରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ତିନି ପ୍ରତିଶତ। ତେବେ ଏହି ତିନି ପ୍ରତିଶତରୁ ୦.୫ ରୁ ୦.୬ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ପାଠ ପଢ଼ିବାପାଇଁ ଅଣାଯାଉଛି ବୋଲି ଉଲ୍ଲେଖ କରିଥିଲେ। ପ୍ରଥମ ପ୍ରଶ୍ନର ଉତ୍ତର କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଦେଇଥିଲେ। ଏହା ପରେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଦ୍ବିତୀୟ ପ୍ରଶ୍ନ ଥିଲା, ଭାରତୀୟ ଥଇଥାନ ପରିଷଦ ସହଯୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦିବ୍ୟାଙ୍ଗଙ୍କ ଶିକ୍ଷାଦାନ ପାଇଁ ସ୍ବତନ୍ତ୍ର ଶିକ୍ଷାଦାତାଙ୍କୁ ପ୍ରଶିକ୍ଷଣ ପ୍ରଦାନ ତଥା ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଯୋଗ୍ୟ ସଂସ୍ଥାଗୁଡ଼ିକୁ ସ୍ବୀକୃତି ପ୍ରଦାନ ପାଇଁ ରଣନୀତି ପ୍ରସ୍ତୁତ କରିବା ନେଇ ଚିନ୍ତା କରିବେ କି ?

ଏହାର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ବ ନେବା ପରେ ଏହି ପ୍ରସଙ୍ଗକୁ ନୂ୍ଆ ରୂପରେ ପରିଭାଷିତ କରାଯାଇଛି। ଦିବ୍ୟାଙ୍ଗ ପିଲାମାନଙ୍କୁ କିଭଳି ଶିକ୍ଷିତ କରାଯିବ ତାହା ସବୁଠାରୁ ବଡ଼ ଆହ୍ବାନ। ବିଶେଷଜ୍ଞମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଦିବ୍ୟାଙ୍ଗମାନଙ୍କ ପାଇଁ କିଭଳି ଅଧିକ ସଂଖ୍ୟକ ଶିକ୍ଷକ ଓ ବିଦ୍ୟାଳୟ ସୃଷ୍ଟି ହୋଇପାରିବ ସେଥି ପାଇଁ ସେ ସଦନର ପରାମର୍ଶ ନେବେ। ଆମ ସମସ୍ତଙ୍କୁ ମିଳିମିଶି ଏହି ଆହ୍ବାନର ସାମନା କରିବାକୁ ପଡ଼ିବ ଓ ସମସ୍ତ ବର୍ଗଙ୍କୁ ଶିକ୍ଷିତ କରିବାକୁ ପଡ଼ିବ। ତାଙ୍କ ମତରେ ଦେଶରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ ପ୍ରତିଶତ ବୋଲି ଧର୍ମେନ୍ଦ୍ର କହିଥିଲେ। ଏଥି ପାଇଁ ସମସ୍ତଙ୍କୁ ମିଳିତ ଭାବେ କାମ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ ଉତ୍ତରରେ କହିଥିଲେ।

ସମ୍ବନ୍ଧିତ ଖବର