ପ୍ରଶାନ୍ତି ଟ୍ୟାବ୍‌ଲେଟ୍‍

ଆନନ୍ଦ ହେବ ଅନନ୍ତ ଚିରସ୍ଥାୟୀ। ଏଭଳି ଏକ ସୁଚିନ୍ତାରୁ ବହୁ ଭାବନା, ମନ୍ତ୍ରଣା, ଆଲୋଚନା ପରେ ସୁଖ ମନ୍ତ୍ରାଳୟ ପ୍ରତିଷ୍ଠିତ ହେଲା। ଏ ବିଭାଗର ଅନେକ କାମ। ଅନ୍ୟାନ୍ୟ ମନ୍ତ୍ରାଳୟ ସବୁ ସୁଖ ମନ୍ତ୍ରାଳୟ ସହିତ ପ୍ରତିଯୋଗିତାରେ ପାରିଉଠନ୍ତି ନାହିଁ। ବହୁ କାମ ଭିତରେ ସୁଖ ମନ୍ତ୍ରାଳୟର କର୍ତ୍ତାମାନେ ପ୍ରତି ନାଗରିକଙ୍କ ଘରକୁ ଯାଇ ସେମାନଙ୍କ ମନମିଜାଜ୍‌ ଭଲ କରିବା ପାଇଁ ଔଷଧ ବାଣ୍ଟି ଆସନ୍ତି। ଔଷଧ କହିଲେ ଗୋଟେ ଟ୍ୟାବ୍‍ଲେଟ୍‍, ନାଁ: ପ୍ରଶାନ୍ତି ଟ୍ୟାବ୍‍। ଖାଇଲା ମାତ୍ରେ ମନମିଜାଜ୍‌ ଫୁର୍‍ଫୁର୍‍ ହୋଇଯାଏ, ଦୁଃଖ କୁଆଡ଼େ ଉଭେଇଯାଏ।

ସୁଖ ମନ୍ତ୍ରାଳୟର ସ୍ୱପ୍ନ: ସବୁ ମଣିଷର ଦୁଃଖ ଦୂର କରିବେ। ସେମାନଙ୍କ ଆହ୍ୱାନ: ସମସ୍ତଙ୍କୁ ସୁଖୀ ହେବା ପାଇଁ ପଡ଼ିବ। କେବଳ ସୁଖ ପାଇଁ ଉତ୍ସାହିତ ହେବା ନୁହେଁ, ଜଣେ ଦୁଃଖୀ ହେବନାହିଁ ଏମିତି ଆଇନ ମଧ୍ୟ କରାଗଲା। ବାଧ୍ୟତାମୂଳକ ଏକ ପ୍ରକଳ୍ପ ମାଧ୍ୟମରେ ଦେଶର ସବୁ ନାଗରିକଙ୍କର ଦୁଃଖ ଦୂର କରିଦେବାର ପ୍ରତିଶ୍ରୁତି ଦେଇ ସେହି ଅନୁସାରେ ସେବା ପ୍ରଦାନ ଆରମ୍ଭ ହେଲା। କିଏ ସୁଖରେ ରହୁନାହିଁ ତାହା ତଦାରଖ କରିବା ପାଇଁ ସୁଖ ପୋଲିସ୍‌ ନିଯୁକ୍ତ ହେଲେ।
କିନ୍ତୁ ଗୋଟେ ଦେଶରେ ଏମିତି ଲୋକ ତ ନିହାତି ରହିବେ ଯେଉଁମାନେ ଟିକିଏ ଭିନ୍ନ। ଯେଉଁମାନେ ଦୁଃଖୀ ହେବା ପାଇଁ ଚାହାନ୍ତି। ଏମିତି ଲୋକମାନଙ୍କ ଭିତରୁ ଜଣେ ହେଲା ଜମାଲ୍‌ ଅହମଦ୍‌। ତା’ ମନ ଭିତରେ ସବୁବେଳେ ଗୋଟେ ବିଦ୍ରୋହ ବିଦ୍ରୋହ ଭାବ। ତାକୁ ସୁଖୀ ହେବା ପାଇଁ କହିଲେ ସେ ଦୁଃଖୀ ହେବା ପାଇଁ ଚାହେଁ। କଷ୍ଟରେ ସେ ଆନନ୍ଦ ପାଏ। ଜମାଲ୍‌ର ପ୍ରତିବେଶୀମାନେ ଯେତେବେଳେ ଉତ୍ସବ ପାଳନ ଭଳି ଉତ୍ସାହିତ ହୋଇ ମୁଠାମୁଠା ପ୍ରଶାନ୍ତି ଟ୍ୟାବ୍‌ଲେଟ୍‍ ଗିଳି ପକେଇବାକୁ ଆରମ୍ଭ କଲେ, ଜମାଲ୍‌ ସେତେବେଳେ ସେ ଟ୍ୟାବ୍‌ଲେଟ୍‍କୁ ନ ଖାଇ ଚୁପ୍‍କରି ତାକୁ ପକେଟ୍‌ରେ ପୂରେଇ ରଖିଦେଉଥିଲା।
ଦିନେ ପ୍ରତିବେଶୀ ଚାଚୀଙ୍କ ସହିତ ତା’ର ଦେଖାହେଲା। ସେ ଉଚ୍ଛ୍ବସିତ ହୋଇ କହିଲେ, ଆରେ ଜମାଲ୍‍, ତୁମେ ଆଜି କେମିତି ଦୁଃଖୀ ଦୁଃଖୀ ମନେହେଉଛ। ତୁମେ କ’ଣ ଆଜି ପ୍ରଶାନ୍ତି ଟ୍ୟାବ୍‌ଲେଟ୍‍ ଖାଇନ କି?
– କ’ଣ କହୁଛନ୍ତି ଚାଚୀ। ଏମିତି ସୁଖ ଟ୍ୟାବ୍‌ଲେଟ୍‍ ମୁଁ କ’ଣ ନ ଖାଇ ରହିପାରିବିି? ଖାଇଛି। ଆପଣ ମୋତେ ଦେଖିବାରେ ଭୁଲ୍‍ କରୁଛନ୍ତି। ଆପଣ କେମିତି ଅଛନ୍ତି ଚାଚୀ କୁହନ୍ତୁ। ବହୁତ ଦିନ ହେଲା ଆପଣଙ୍କ ସହିତ ଦେଖା ବି ହୋଇନି।
ଚାଚୀ ଟିକିଏ ହସିଲେ। କହିଲେ, ତୁମେ ଜାଣିଛ ଜମାଲ୍‌, ମୁଁ କେବେ ସେ ଟ୍ୟାବ୍‍ଲେଟ୍‌ ମିସ୍‍ କରେନି। ତୁମର ବିଶ୍ୱାସ ହେଉନି ନା। ମୁଁ ଏବେ କୌଣସି ଦୁଃଖ ଅନୁଭବ ହିଁ କରେ ନାହିଁ। ତୁମ ଚାଚା ତ ଚାଲିଯାଇଛନ୍ତି ଦୁଇବର୍ଷ ହେଲା। ତାଙ୍କ ପେନ୍‌ସନ୍‌ ବାବଦକୁ ସାମାନ୍ୟ ଯେତିକି ଟଙ୍କା ପାଏ ସେତିକିରେ ମୋର ପେଟ ପୂରେନି। କିନ୍ତୁ ମୋର କୌଣସି କଷ୍ଟ ନାହିଁ। ତୁମେ ଚିନ୍ତା କରିପାରୁଛ, ସରକାର କେଡ଼େ ସୁନ୍ଦର କାମ କରିଛନ୍ତି!
ଜମାଲ୍‌ ଟିକିଏ ସାବଧାନ ହେଲା। ତା’ ଆଖିରେ ମୁହଁରେ ଟିକେ ହସ ଫୁଟେଇବାକୁ ଚେଷ୍ଟା କଲା। ଚାଚୀ ଆଖିରେ ଗୋଟେ ସୂକ୍ଷ୍ମ ସନ୍ଦେହ ଦେଖିପାରିଛି ସେ। ସେ କହିଲା, ଚାଚୀ, ମୋର ମନେହୁଏ ଯେ ଦୁଃଖର ବି ଗୋଟେ ନିର୍ଦ୍ଦିଷ୍ଟ ଆକର୍ଷଣ ଅଛି। ଆପଣ କ୍ରମାଗତ ସୁଖୀ ରହି ରହି କ୍ରମଶଃ ବିଷଣ୍ଣ ଆଉ ବିରକ୍ତ ହୋଇ ଯିବେନି ତ।
ଏ କଥାଟା କହି ସାରିଲା ମାତ୍ରେ ସେ ବୁଝିପାରିଲା ଯେ, ସେ ବଡ଼ ଭୁଲ୍‌ଟିଏ କରିଛି।
– ଆରେ ଇଏ କ’ଣ ଇଆଡୁସିଆଡୁ କଥା କହୁଛ ତୁମେ। ସରକାର ଆମକୁ ସୁଖର ପ୍ରତିଶ୍ରୁତି ଦେଇଛନ୍ତି। ତା’ଛଡା ଆଇନ କହୁଛି ଯେ ଦୁଃଖୀ ହୋଇ ରହିବା ଦେଶଦ୍ରୋହୀ କାମ।
ଜମାଲ୍‌ ସ୍ମିତ ହସ ହସିଲା। କିନ୍ତୁ ଚାଚୀ ବୁଝି ପାରିଲେ ଯେ ଜମାଲ୍‌ ପ୍ରଶାନ୍ତି ଟ୍ୟାବ୍‌ଲେଟ୍‌ ଖାଉନାହିଁ।
x x
ଜମାଲ୍‌ ଔଷଧ ନ ଖାଇବା ଖବର କ୍ରମଶଃ ବିସ୍ତାରିଗଲା। କେହି କେହି ତାକୁ ଅସୁସ୍ଥ ଏବଂ ବୋକା ମନେକଲେ ବି ଅଧିକାଂଶ ଲୋକ ଜମାଲ୍‌ ଯେ ଆଦେଶ ଅମାନ୍ୟ କରିଛି ସେ ଖବରକୁ ଗୋପନ ରଖିଲେ। ଜମାଲ୍‌ର ସାହସ ପାଇଁ ପ୍ରତିବେଶୀମାନଙ୍କ ମନରେ ତା ପ୍ରତି ଗୋଟେ ଭଲପାଇବା ବି ଜନ୍ମ ନେଲା।
କିନ୍ତୁ ସେମାନେ ନିଜେ ଜମାଲ୍‌ ହେବା ପାଇଁ ସାହସ ପାଆନ୍ତି ନାହିଁ। ଦିନେ ସନ୍ଧ୍ୟାରେ ଜମାଲ୍‌ ତା’ ଘର ବାରଣ୍ଡାରେ ବସି ବିଷଣ୍ଣ ସୂର୍ଯ୍ୟାସ୍ତର ଶାନ୍ତ ସୌନ୍ଦର୍ଯ୍ୟ ଦେଖୁଥିଲା। ଏତିକିବେଳେ କିଏ ତା’ କବାଟରେ ଠକ୍‍ ଠକ୍‍ କଲା। ସେ କବାଟ ଖୋଲି ଦେଖେ ତ ପ୍ରତିବେଶୀମାନଙ୍କ ଭିତରୁ ଅନେକେ ବାହାରେ ଠିଆ ହୋଇଛନ୍ତି। ଗୋଟେ ଛୋଟକାଟ ଭିଡ଼। ସେମାନଙ୍କ ଆଖିରେ, ମୁହଁରେ କୌତୂହଳ ଓ ଭୟ। ଭିଡ଼ ଦେଖି ଜମାଲ୍‌ ବିରକ୍ତ ହେଲେ ବି ନିଜକୁ ସମ୍ଭାଳି ନେଲା।
ଏପଟ ସେପଟ ଚାହିଁ ଜଣେ ତରୁଣ ତାକୁ ପ୍ରଶ୍ନକଲା, ଜମାଲ୍‌ଭାଇ, ତୁମେ ଏ ସାହସ ପାଅ କେମିତି? ସୁଖ ପୋଲିସ୍‍ ଯଦି ଆସିଯାଏ ତା’ହେଲେ କ’ଣ ହେବ? ତମକୁ ସେମାନେ ମାରି ପକେଇବେନି ତ?
– ମୁଁ ଏମିତି କ’ଣ କଲି! ମୁଁ ତ କେବଳ ମୋ ନିଜ ଭଳିଆ ରହିବା ପାଇଁ ଚାହେଁ, ଜମାଲ୍‌ ନିର୍ଲିପ୍ତ ଭାବରେ ଉତ୍ତର ଦେଲା।
– ତୁମେ ଯେ ବାସ୍ତବତା ଅନୁଭବ କର, ତାହା କେମିତି କର? ତୁମେ ଜାଣ ଜମାଲ୍‌ଭାଇ ଆମେ ଏବେ ଆଉ ବାସ୍ତବତାକୁ ଅନୁଭବ କରୁନା, ଆଉ ଜଣେ ଫିସ୍‍ ଫିସ୍‍ ହୋଇ କହିଲା।
x x
ସମସ୍ତଙ୍କୁ ଦେଖି ଜମାଲ୍‌ର ଆଦେଶ ଅମାନ୍ୟ କରିବାର ଉଦ୍ଦୀପନା ବଢ଼ିଗଲା। ତା’ ମନରେ ଗୋଟେ ଭିନ୍ନ ପ୍ରକାର ସାହସ ଆସିଲା। ସେ ଗୋଟେ ଆନ୍ଦୋଳନ ଆରମ୍ଭ କଲା। ଗୋପନରେ ସଭାକରି ଦୁଃଖ ଭାଗକରି ନେବାଠୁ ହସ ଥଟ୍ଟାମଜାରେ ଜୀବନ କଟେଇବା ଯେ ମନୁଷ୍ୟତ୍ୱର ଲକ୍ଷଣ, ସେ ସମସ୍ତଙ୍କୁ ଏହା ବୁଝେଇବା ପାଇଁ ଲାଗିଲା। ଅନ୍ୟ ଲୋକମାନେ କ୍ରମଶଃ ସୁଖ ପୁଲିସର ନଜର ଏଡ଼େଇ ପ୍ରଶାନ୍ତି ଟ୍ୟାବ୍‍କୁ ଲୁଚେଇ ପକେଇବା ପାଇଁ ଲାଗିଲେ। ସମସ୍ତେ ଆନନ୍ଦ, ଦୁଃଖ, ଭୟ ଓ ପ୍ରେମ ଏସବୁ କିଛି ପୁଣି ଥରେ ବୁଝିବାକୁ, ଅନୁଭବ କରିବାକୁ ଆରମ୍ଭ କଲେ।
ସୁଖ ପୁଲିସ ଏସବୁ କିଛି ବୁଝି ପାରୁନାହାନ୍ତି ଦେଖି ସୁଖ ମନ୍ତ୍ର‌ାଳୟ ଟିକିଏ ବିଭ୍ରାନ୍ତ ହେଲା। ଅନନୁମୋଦିତ ଅନୁଭୂତିଗୁଡ଼ିକୁ ନେଇ ପ୍ରତିବେଦନ ପରେ ପ୍ରତିବେଦନ ତିଆରି କରୁ କରୁ ସେମାନେ ଜମାଲ୍‌ର ସନ୍ଧାନ ପାଇଲେ।
ସୁଖ ଏଜେଣ୍ଟ୍‌ମାନଙ୍କୁ ଜମାଲ୍‌ ପାଖକୁ ପଠାଗଲା। ଏଜେଣ୍ଟ୍‌ମାନେ ଯାଇ ସେଠି କେହି ଦୁଃଖିତ ଥିବା ଖୋଜି ପାଇଲେନି ବରଂ ଗୋଟେ ଜୀବନ୍ତ ସମାବେଶ ଦେଖିଲେ ଯେଉଁଥିରେ ହସ, ଲୁହ ଏବଂ ଅସଜଡ଼ା ଗଳ୍ପ ତରଙ୍ଗାୟିତ ହଉଛି। ସେମାନଙ୍କ ଭ୍ରୂଲତା କୁଞ୍ଚିତ।
ଏଜେଣ୍ଟ୍‌ମାନେ ସେମାନଙ୍କୁ ପ୍ରଶାନ୍ତି ଟ୍ୟାବ୍‍ ଖାଇବା ପାଇଁ ଦେଲେ। କେହି ସେ ଟ୍ୟାବ୍‌ଲେଟ୍‍ ନବା ପାଇଁ ଚାହିଁଲେ ନାହିଁ। ଏଜେଣ୍ଟ୍‌ମାନେ ବିଭ୍ରାନ୍ତ ହୋଇ ଫେରିଗଲେ। ସେମାନଙ୍କର ଭ୍ରୂଲତା ଟିକିଏ ବଙ୍କିଗଲା। ଭ୍ରୂଲତା ବଙ୍କିବା ଏତେ ମୁକ୍ତିଦାୟକ ଏହା ପୂର୍ବରୁ ଏଜେଣ୍ଟ୍‌ମାନେ ବୁଝିପାରି ନ ଥିଲେ। ମନ୍ତ୍ରାଳୟର ସୁଖ ବାଧ୍ୟତାମୂଳକ କରିବାର ଚେଷ୍ଟା ବ୍ୟର୍ଥ ହେଲା। ଆବେଗର ପାଲରେ ଲାଗିଲା ପବନ, ଦୁଃଖ ଦାବିରେ ରାଜପଥ ପ୍ରତିଧ୍ୱନିତ ହେଲା। ସ୍ଲୋଗାନ୍‌ ଉଠିଲା- ଆମକୁ ଦୁଃଖିତ ହେବା ପାଇଁ ଦିଅ ଯେମିତି ଆମେ ଆନନ୍ଦ ପାଇପାରୁ।
ଠିକ୍‍ ସେହି ସମୟରେ ଗୋଟେ ଗୁଳିଫୁଟିବା ଶବ୍ଦ ଶୁଭିଲା। ଜମାଲ୍‌ର ନିସ୍ପନ୍ଦ ଶରୀର ରାଜପଥରେ ଲୋଟି ପଡ଼ିଲା।

ସଞ୍ଚାର ମାର୍ଗ, ଢେଙ୍କାନାଳ- ୭୫୯୦୦୧
ମୋ: ୯୪୩୭୦୨୬୧୯୪

ମୂଳ ବଙ୍ଗଳା: ଇକ୍‌ରାମ୍‌ କବୀର
ଓଡ଼ିଆ ଅନୁବାଦ: ମୃଣାଳ

ସମ୍ବନ୍ଧିତ ଖବର