ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରଶ୍ନରେ ଖଡ଼ଗେଙ୍କ ଜବାବ:‘ବକ୍‌ରିଦରେ ବଞ୍ଚିଲେ ମହରମ୍‌ରେ ନାଚିବି’

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ଲଢ଼ୁଥିବା ବରିଷ୍ଠ ‌ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପ୍ରଶ୍ନରେ କହିଛନ୍ତି- ବକ୍‌ରିଦ ମେ ବଚେଙ୍ଗେ ତୋ ମହରମ୍‌ମେ ନାଚେଙ୍ଗେ (ବକ୍‌ରିଦରେ ବଞ୍ଚିଲେ ମହରମ୍‌ରେ ନାଚିବି)। ତାଙ୍କର ଏଭଳି ବୟାନ ଆଜି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। କଂଗ୍ରେସ ସଭାପତି ନିର୍ବାଚନରେ ସେ ନିଜକୁ ବଳିର ବୋଦା ବୋଲି କହିଥିବା ନେଇ ଆଲୋଚନା ହେଉଛି। ଖଡ଼ଗେ କହିଛନ୍ତି, ମୁଁ ଦଳର ପ୍ରାର୍ଥୀ ବୋଲି ଗଣମାଧ୍ୟମ ଦ୍ବାରା ଏକ ଧାରଣା ସୃଷ୍ଟି କରାଯାଇଛି, କିନ୍ତୁ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯାଇନି।

ପ୍ରତିନିଧି ଏବଂ ବରିଷ୍ଠ ନେତାଙ୍କ ଅନୁରୋଧକ୍ରମେ ମୁଁ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ୁଛି ବୋଲି ଖଡ଼ଗେ କହିଛନ୍ତି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆଙ୍କୁ ଭେଟିଥିବା କଥାକୁ ଖଡ଼ଗେ ଖଣ୍ଡନ କରିଛନ୍ତି। ଖଡ଼ଗେ କହିଛନ୍ତି, ସୋନିଆଙ୍କୁ ସେ ଭେଟିନାହାନ୍ତି କି ସୋନିଆ ଅନ୍ୟ କାହାକୁ ମଧ୍ୟ ଭେଟିନାହାନ୍ତି। ଖଡ଼ଗେ କହିଛନ୍ତି, ‌ସେ ରାଜସ୍ଥାନ ସଙ୍କଟ ସମୟ‌ରେ ଏକ ରିପୋର୍ଟ ଦାଖଲ କରିବାପାଇଁ ସୋନିଆଙ୍କୁ ଭେଟିଥିଲେ। କିନ୍ତୁ ସୋନିଆ ତାଙ୍କୁ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାପାଇଁ କହିନାହାନ୍ତି କି ଅନ୍ୟ କାହାକୁ ମଧ୍ୟ କହିନାହାନ୍ତି। ଖଡ଼ଗେଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ନେତା ଶଶି ଥରୁର କଂଗ୍ରେସ ଦଳରେ ପରିବର୍ତ୍ତନ ପାଇଁ ନିର୍ବାଚନ ଲଢ଼ୁଛନ୍ତି ବୋଲି କହିଛନ୍ତି। ଥରୁରଙ୍କ ଟିପ୍ପଣୀ ସଂକ୍ରାନ୍ତରେ ଖଡ଼ଗେଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ତାଙ୍କ ସହ ମତେ ତୁଳନା କରନାହିଁ। ବ୍ଲକ୍‌ ସଭାପତିରୁ ମୁଁ ଆଜି ଏହି ସ୍ତରକୁ ଆସିଛି। ସେ ସମୟରେ ଥରୁର ଥିଲେ କି ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର