ମୋଦୀଙ୍କ ‘ଆତ୍ମନିର୍ଭର ଭାରତ ଅଭିଯାନ’, ୨୦ ଲକ୍ଷ କୋଟିର ପ୍ୟା‌େକଜ୍

ନୂଆ ରୂପରେ ଆସିବ ଲକ୍‌ଡାଉନ-୪

ନୂଆଦିଲ୍ଲୀ: ବିଶ୍ବ ମହାମାରୀ କରୋନା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏଥିଲାଗି ସେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟାରେ ଟେଲିଭିଜନ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଲକଡାଉନ୍ ଏବେ ସରିବାର ନାହିଁ। ତେବେ ୧୭ ତାରିଖ ପ‌ରେ‌ ଲକ୍ ଡାଉନ୍ ଭିନ୍ନ ରୂପରେ ଆସିବ ଏବଂ ଏଥିପାଇଁ ନୂଆ ଗାଇଡଲାଇନ୍ସ ‌ଜାରି କରାଯିବ। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ସଂପର୍କରେ ଆସନ୍ତା ୧୮ ତାରିଖ ପୂର୍ବରୁ ଘୋଷଣା କରାଯିବ।

ପ୍ରଧାନମନ୍ତ୍ରୀ କହିଲେ ଯେ ୨୦ ଲକ୍ଷ କୋଟିର ପ୍ୟାକେଜ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଏହାକୁ ଶକ୍ତିଶାଳୀ କରିବାରେ ସହାୟକ ‌ହେବ। ଏହାହେଉଛି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୦ ପ୍ରତିଶତ। ଆଗାମୀ ଦିନରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ୟାକେଜ୍ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ। ପ୍ୟାକେଜରେ ଜମି, ଶ୍ରମ, ନଗଦ ଅର୍ଥ ଏବଂ ଆଇନ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଶିଳ୍ପକୁ ସହାୟକ ହେବ ବୋଲି ସେ କହିଛନ୍ତି। ମାରାତ୍ମକ କରୋନା ଭୂତାଣୁ ଦେଶକୁ ଆତ୍ମ ନିର୍ଭରଶୀଳ ହେବାର ଶିକ୍ଷା ଦେଇଛି। କରୋନା ମହାମାରୀ ସମୟରେ ଭାରତର ଶ୍ରମିକମାନେ ଯେଉଁ ଧୈର୍ଯ୍ୟ ଦେଖାଇଛନ୍ତି ତାହାର ଜୋରଦାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ବର୍ତ୍ତମାନର ସଂକଟ ସମୟରେ ଭାରତକୁ ସ୍ଥାନୀୟ ଉତ୍ପାଦନ ସହାୟକ ହୋଇଛି। ସ୍ଥାନୀୟ ଉତ୍ପାଦନ ଆମକୁ ସହାୟକ ହେବ। କେବଳ ସ୍ଥାନୀୟ ସାମଗ୍ରୀକୁ କିଣନାହିଁ, ଅନ୍ୟମାନଙ୍କୁ ମଧ୍ୟ ଆମର ସ୍ଥାନୀୟ ଉତ୍ପାଦ କିଣିବା ପାଇଁ ପ୍ରବର୍ତ୍ତାଅ ବୋଲି ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବା ସମୟରେ ଦେଶରେ ଗୋଟିଏ ହେଲେ ବ୍ୟକ୍ତିଗତ ସୁରକ୍ଷା ସରଂଜାମ (ପିପିଇ) କିଟ୍ ଉତ୍ପାଦନ ହେଉ ନଥିଲା। ଅଳ୍ପ କିଛି ଏନ୍‌୯୫ ମାସ୍କ ଥିଲା। କିନ୍ତୁ ଭାରତ ଏବେ ଦୈନିକ ୨ ଲକ୍ଷ ପିପିଇ କିଟ୍‌ ଓ ୨ ଲକ୍ଷ ଏନ୍‌୯୫ ମାସ୍କ ଉତ୍ପାଦନ କରୁଛି ବୋଲି ‌ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏକବିଂଶ ଶତାବ୍ଦୀ ଭାରତର ହେବ ବୋଲି କେବଳ ଆମେ ସ୍ବପ୍ନ ଦେଖିବା ନାହିଁ, ଏହାକୁ ନିଶ୍ଚିତ ମଧ୍ୟ କରିବା। ସରକାରଙ୍କର ଗତ ୬ ବର୍ଷର ସଂସ୍କାର କାର୍ଯ୍ୟକ୍ରମ ଦେଶକୁ ସଶକ୍ତ କରିଛି। ଆଜି ଘୋଷଣା କରାଯାଇଥିବା ଅର୍ଥନୈତିକ ପ୍ୟାକେଜ ସମାଜର ବିଭିନ୍ନ ବର୍ଗ ପାଇଁ ସହାୟକ ହେବ। ପ୍ରତ୍ୟେକ ପରିସ୍ଥିତିରେ ଦେଶପାଇଁ ଦିନରାତି କାମ କରୁଥିବା ଦେଶର କୃଷକ, ଶ୍ରମିକ ଏହି ପ୍ୟାକେଜ ଦ୍ବାରା ଉପକୃତ ହେବେ। ସେହିଭଳି ସରକାରଙ୍କୁ ସଚ୍ଚୋଟତାର ସହିତ ଟିକସ ଦେଉଥିବା ଏବଂ ଦେଶର ବିକାଶରେ ଯୋଗଦାନ ରଖୁଥିବା ମଧ୍ୟବିତ୍ତ ଆୟବର୍ଗର ଲୋକମାନେ ମଧ୍ୟ ଏହାଦ୍ବାରା ଉପକୃତ ହେବେ। ‌ତେବେ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଦ୍ବାରା ଘୋଷଣା କରାଯାଇଥିବା ପଦକ୍ଷେପ, ଅର୍ଥମନ୍ତ୍ରୀଙ୍କ ଦ୍ବାରା ଘୋଷିତ ୧.୭ ଲକ୍ଷ କୋଟିର ପ୍ୟାକେଜକୁ ମିଶାଇ ମୋଟ ୨୦ ‌ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ମୋଦୀ କହିଛନ୍ତି। ଆମ ପାଖରେ ସମ୍ବଳ ଅଛି, ଶକ୍ତି ଅଛି ଏବଂ ବିଶ୍ବର ସର୍ବୋତ୍କୃଷ୍ଟ ମସ୍ତିଷ୍କ ମଧ୍ୟ ଆମ ନିକଟରେ ରହିଛନ୍ତି। ତେଣୁ ଆମେ ସର୍ବୋତ୍କୃଷ୍ଟ ଉତ୍ପାଦ ତିଆରି କରିପାରିବା, ଗୁଣବତ୍ତାରେ ଉନ୍ନତି ଆଣିପାରିବା ଓ ଯୋଗାଣ ଶୃଙ୍ଖଳର ଆଧୁନିକୀକରଣ କରିପାରିବା। ବିଶ୍ବରେ ୪୨ ଲକ୍ଷରୁ ଅଧିକ ଲୋକ କୋଭିଡ-୧୯ରେ ଆକ୍ରାନ୍ତ ହେଲେଣି। ୨.୭୫ ଲକ୍ଷ ଲୋକଙ୍କର ଜୀବନ ଗଲାଣି। ଭାରତରେ ମଧ୍ୟ ଅନେକ ପରିବାର ସେମାନଙ୍କ ସମ୍ପର୍କୀୟଙ୍କୁ ହରାଇଲେଣି। ଏଥିପାଇଁ ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। କରୋନା ଭୂତାଣୁ ବିରୋଧରେ ଆମେ ଲଢ଼େଇ କରୁଛେ। ଏହି ଭୂତାଣରୁ ଆମକୁ ବଞ୍ଚାଇବାକୁ ହେବ ଏବଂ ଆଗକୁ ବଢ଼ିବାକୁ ହେବ। ବିଶ୍ବ ପାଇଁ ଏହା ଏକ ଅପ୍ରତ୍ୟାଶିତ ସଂକଟ। କିନ୍ତୁ ଆମେ କ୍ଳାନ୍ତ ହେବା ନାହିଁ କିମ୍ବା ଛାଡ଼ି ଚାଲିଯିବା ନାହିଁ। କରୋନା ଏବଂ ଲକଡାଉନ୍ ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ମୋଦୀଙ୍କର ଏହା ଥିଲା ଚତୁର୍ଥ ଉଦ୍‌ବୋଧନ। ପ୍ରଥମେ ମାର୍ଚ୍ଚ ୧୯ ତାରିଖରେ ଉଦବୋଧନ ଦେଇ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ ପାଇଁ ଆହ୍ବାନ ଦେଇଥିଲେ। ଏହାପରେ ମାର୍ଚ୍ଚ ୨୪ ତାରିଖରେ ଉଦବୋଧନ ଦେଇ ଦେଶରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଏହାପରେ ଏପ୍ରିଲ ୧୪ରେ ସେ ଲକ୍‌ଡାଉନ୍ ବୃଦ୍ଧି ପାଇଁ ଏବଂ ଆଜି ପ୍ୟାକେଜ ଘୋଷଣା ପାଇଁ ଉଦ୍‌ବୋଧନ ଦେଇଛନ୍ତି।

ସମ୍ବନ୍ଧିତ ଖବର