ପୁନର୍ବାର ବିଜେପି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ ଏନ ବୀରେନ ସିଂ, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଇମ୍ଫାଲ୍‌: ମଣିପୁରରେ ବିଜେପି ବିଧାୟକ ଦଳ ବୈଠକରେ ଏନ ବୀରେନ ସିଂ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ବୀରେନ ସିଂ ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଉପସ୍ଥିତ ଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସମସ୍ତଙ୍କ ସହମତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ନିର୍ବାଚନ ଫଳାଫଳ ଆସିବା ପରେ ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କ ନେତୃତ୍ବରେ ବିଜେପି ସରକାର ଗଠନ ହେବା ସ୍ପଷ୍ଟ ହୋଇଯାଇଥିଲା। ମଣିପୁର ବିଧାନସଭାର ୬୦ ଆସନରୁ ବିଜେପି ମେଣ୍ଟ ୩୨ ଆସନରେ ବିଜୟୀ/ଆଗୁଆ ଥିବା ବେଳେ ଏନ୍‌ପିପି ୭, ଜେଡିୟୁ ୬, କଂଗ୍ରେସ ୫ ଏବଂ ଅନ୍ୟମାନେ ୧୦ଟି ଆସନରେ ବିଜୟୀ/ଆଗୁଆ ରହିଥିଲା। ୨୦୧୬ରେ କଂଗ୍ରେସ ଛାଡ଼ିଥିବା ଏନ୍‌ ବୀରେନ୍‌ ସିଂହ ବିଜେପିରେ ଯୋଗଦେବା ପରେ ୨୦୧୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏଥର ମଧ୍ୟ ବିଜେପି ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିଲା। ୨୦୧୭ରେ କଂଗ୍ରେସ ବିଜେପିଠାରୁ ଅଧିକ ଆସନ ହାସଲ କରିଥିଲେ ମଧ୍ୟ ବିଜେପି ଅନ୍ୟ ଦଳକୁ ମନାଇ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା। ମଣିପୁରରେ ଏଥର ଜେଡିୟୁ ଖାତା ଖୋଲିବା ଏବଂ ୭ ଆସନ ହାସଲ କରିବା ଦଳ ପାଇଁ ବହୁତ ବଡ଼ ସଫଳତା ବୋଲି କୁହାଯାଇଛି। ଏଥର ମଣିପୁର ନିର୍ବାଚନରେ ଏନ୍‌ପିପି ଏବଂ ଏନ୍‌ପିଏଫ୍‌ କୌଣସି ଦଳ ସହ ମେଣ୍ଟ ନକରି ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ। ତେବେ ମଣିପୁରରେ ଜେଡିୟୁ ତୃତୀୟ ବଡ଼ ଶକ୍ତି ଭାବେ ଉଭା ହୋଇଥିବାରୁ ଆଗକୁ ଏଠାରେ ରାଜନୈତିକ ସମୀକରଣ ବଦଳିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର