ଏଣିକି ଆଉ ହନିପ୍ରୀତ ନୁହେଁ, ଏହି ନୂଆ ନାମରେ ପରିଚିତ ହେବେ ରାମରହୀମଙ୍କ ପୋଷ୍ୟ କନ୍ୟା

ନାମ ବଦଳାଇଲେ ରାମରହୀମ

ଚଣ୍ଡୀଗଡ଼:ଦୁଷ୍କର୍ମ ଓ ନରହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଧ୍ୟାତ୍ମିକ ନେତା ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମରହୀମ ସିଂ ଏବେ ପାରୋଲରେ ଆସିଛନ୍ତି | ଆଜି ସେ ତାଙ୍କ “ପୋଷ୍ୟ କନ୍ୟା” ହନିପ୍ରୀତଙ୍କର ଏକ ନୂତନ ନାମ ଘୋଷଣା କରିଛନ୍ତି। ଭବିଷ୍ୟତରେ ହନିପ୍ରୀତ “ରୁହାନି ଦିଦି” ଭାବରେ ପରିଚିତ ହେବେ | ଗୁରୁମିତ ରାମରହୀମ ଏହି ଘୋଷଣା କରିଛନ୍ତି। ଏହା ଉଚ୍ଚାରଣ କରିବା ସହଜ ବୋଲି ସେ କହିଛନ୍ତି। ରାମରହୀମ କହିଛନ୍ତି, “ଆମ ଝିଅକୁ ହନିପ୍ରୀତ କୁହାଯାଏ। ଯେହେତୁ ସମସ୍ତେ ତାଙ୍କୁ ‘ଦିଦି’ ବୋଲି ଡାକନ୍ତି, ଏହା ଦ୍ଵନ୍ଦ ସୃଷ୍ଟି କରେ। ସେଥିପାଇଁ ଆମେ ବର୍ତ୍ତମାନ ତାଙ୍କ ନାମ ‘ରୁହାନି ଦିଦି’ ରଖିଛୁ। ଆପଣ ମଧ୍ୟ ‘ରୁହ ଦିଦି’ ବୋଲି ଡାକିପାରିବେ, କାରଣ ଏହି ଉଚ୍ଚାରଣ ମଧ୍ୟ ଆଧୁନିକ ଭଳି ଲାଗୁଛି। ଉଲ୍ଲେଖ ଥାଉ କି ଗୁରୁମିତ ରାମରହୀମ ଗିରଫ ହେବାର କିଛି ଦିନ ପରେ ହନିପ୍ରୀତଙ୍କୁ ମଧ୍ୟ ଜେଲକୁ ପଠାଯାଇଥିଲା।

ଡେରା ସମର୍ଥକଙ୍କ ବିରୋଧ ସମୟରେ ହିଂସା ପାଇଁ ହନିପ୍ରୀତଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ପୁଲିସ କହିଥିଲା ଯେ ହିଂସାରେ ୩୮ ଜଣଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ୪୧ ବର୍ଷୀୟ ହନିପ୍ରୀତ ସୋସିଆଲ ମିଡିଆରେ ନିଜକୁ “ପାପା କି ପରୀ” ବୋଲି କହୁଛନ୍ତି। ସେ ଡେରା ମୁଖ୍ୟଙ୍କୁ ଖସିଯିବାକୁ ଏବଂ ଦଙ୍ଗା ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ହନିପ୍ରୀତଙ୍କୁ ରାମରହୀମ ନିଜର ପୋଷ୍ୟ କନ୍ୟା କହୁଥିବାବେଳେ ସେମାନଙ୍କ ସମ୍ପର୍କକୁ ନେଇ ଅତୀତରେ ଅନେକ ପ୍ରଶ୍ନ ଉଠିଥିଲା। ୨୦୧୭ରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଧାର୍ମିକ ନେତା ରାମରହୀମଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି | ଗୁରୁମିତ ରାମ ରହୀମ ବର୍ତ୍ତମାନ ୪୦ ଦିନ ପାରୋଲରେ ଅଛନ୍ତି।

ସମ୍ବନ୍ଧିତ ଖବର