ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ପୀଠକୁ ପ୍ରତ୍ୟହ ୫୦,୦୦୦ ତୀର୍ଥଯାତ୍ରୀ ହିଁ ଦର୍ଶନ ନିମନ୍ତେ ଯାଇପାରିବେ। ପ୍ରଦୂଷଣ କମାଇବା ସହ କୌଣସି ଅପ୍ରୀତିକର ସ୍ଥିତିକୁ ଆଡ଼ କରିବା ପାଇଁ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଆଜି ଏହି ନୂଆ କଟକଣା ଜାରି କରିଛନ୍ତି। ଅପରପକ୍ଷେ, ତୀର୍ଥଯାତ୍ରୀଙ୍କ ସଂଖ୍ୟା ୫୦,୦୦୦ରୁ ଅଧିକ ହେଲେ ସେମାନଙ୍କୁ ଅର୍ଦ୍ଧକୁଓ୍ଵାରି ଏବଂ କଟରା ସହରରେ ଅଟକାଇ ଦିଆଯିବ ବୋଲି ଏନ୍‌ଜିଟି ସ୍ପଷ୍ଟ କରିଛନ୍ତି। ସେହିପରି ପଥଚାରୀ ଏବଂ ବ୍ୟାଟେରି ଚାଳିତ ଗାଡ଼ି ପାଇଁ ବୈଷ୍ଣୋଦେବୀ ପୀଠକୁ ନଭେମ୍ବର ୨୪ ସୁଦ୍ଧା ଏକ ନୂଆ ରାସ୍ତା ଖୋଲିବ ବୋଲି ଏନ୍‌ଜିଟି କହିଛନ୍ତି।
ଅଧ୍ୟକ୍ଷ ଜଷ୍ଟିସ୍‌ ସାଓ୍ଵନ୍ତର କୁମାରଙ୍କୁ ନେଇ ଗଠିତ ଏନ୍‌ଜିଟି ଖଣ୍ଡପୀଠ ଦେବୀ ମା’ଙ୍କ ମନ୍ଦିର ପରିସରରେ କୌଣସି ଘୋଡ଼ା କିମ୍ବା ଗଧଙ୍କ ବ୍ୟବହାରକୁ ବିରୋଧ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଥାଉ କି, କଟରାରୁ ବୈଷ୍ଣୋଦେବୀ ମନ୍ଦିରକୁ ଯାତ୍ରୀମାନଙ୍କ ସହ ବିଭିନ୍ନ ସାମଗ୍ରୀ ନେବାଆଣିବା ପାଇଁ ବ୍ୟାପକ ପରିମାଣର ଘୋଡ଼ା, ଗଧ ଆଦି ବ୍ୟବହାର ଦ୍ୱାରା ପ୍ରଦୂଷଣ ମାତ୍ରା ବଢ଼ୁଛି ଏବଂ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଏହା ଘୋର ବିପଦ ସୃଷ୍ଟି କରୁଛି। ବିଶେଷ କରି ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ଦର୍ଶାଇ ଆବେଦନକାରୀ ଗୌରୀ ମୌଲେଖ ଗଧ ଏବଂ ଘୋଡ଼ାଙ୍କ ବ୍ୟବହାର ବନ୍ଦ ପାଇଁ ଆବେଦନ କରିଥିଲେ।
ଅପରପକ୍ଷେ, ୪୦ କୋଟି ଟଙ୍କା ବିନିମୟରେ ନିର୍ମାଣାଧୀନ ନୂଆ ରାସ୍ତାଟି ନଭେମ୍ବର ୨୪ ତାରିଖରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବ। ତେବେ ଏହି ନୂଆ ରାସ୍ତାରେ କୌଣସି ଘୋଡ଼ା ଏବଂ ଗଧ ଯାଇପାରିବେନି। ଧୀରେଧୀରେ ପୁରୁଣା ରାସ୍ତାରୁ ମଧ୍ୟ ସେମାନଙ୍କୁ ବାଦ୍‌ ଦିଆଯିବ ବୋଲି ଏନ୍‌ଜିଟି କହିଛନ୍ତି। କଟରା ସହରରେ ରାସ୍ତାରେ ପାନ ଛେପ ପକାଇଲେ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି।