୩୦ବର୍ଷ ତଳେ ରାମ ମନ୍ଦିର ପ୍ରତିଷ୍ଠା ହେବା ଯାଏ ମୌନ ରହିବାକୁ ନିଷ୍ପତ୍ତି ନେଇଥିଲେ, ଏବେ ଭାଙ୍ଗିବେ ବ୍ରତ

ନୂଆଦିଲ୍ଲୀ: ଦେଶରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଥିବା ବେଳେ ଲୋକମାନେ ଅଯୋଧ୍ୟାରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି। ଏମଧ୍ୟରେ ଜଣେ ବୃଦ୍ଧାଙ୍କ କାହାଣୀ ସାମ୍ନାକୁ ଆସିଛି। ଝାଡ଼ଖଣ୍ଡର ଜଣେ ବୃଦ୍ଧା ୩୦ବର୍ଷ ପରେ ନିଜର ମୌନ ବ୍ରତ ଭାଙ୍ଗିବାକୁ ଯାଉଥିବା ଜଣାପଡ଼ିଛି। ୩୦ବର୍ଷ ତଳେ ବାବ୍ରି ମସଜିଦ୍ ଭଙ୍ଗାଯିବା ‌ପରେ ବୃଦ୍ଧା ନିଷ୍ପତ୍ତି ନେଇଥିଲେ ଯେ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ସେ ମୌନ ରହିବେ। ଗତ ୩୦ବର୍ଷ ହେଲା ସେ ନିଜ ନିଷ୍ପତ୍ତିରେ ଅଟଳ ଥିବା ବେଳେ ଏବେ ତାଙ୍କର ବ୍ରତ ଭାଙ୍ଗିବାର ସମୟ ଆସିଛି।

ଜାନୁଆରି ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏହି ଦିନ ନିଜର ମୌନ ବ୍ରତ ଭାଙ୍ଗିବେ ବୃଦ୍ଧା। ଏଥିପାଇଁ ସେ ଅଯୋଧ୍ୟାକୁ ଯାତ୍ରା ଆରମ୍ଭ କରିସାରିଥିବା ଜଣାଯାଇଛି। ବୃଦ୍ଧାଙ୍କ ନାମ ସରସ୍ବତୀ ଦେବୀ ହୋଇଥିବା ବେଳେ ତାଙ୍କୁ ଏବେ ୮୫ବର୍ଷ। ସୋମବାର ସେ ଧନବାଦରୁ ଅଯୋଧ୍ୟା ଯାଇଥିବା ଜଣାପଡ଼ିଛି। ସରସ୍ବତୀ ଦେବୀଙ୍କ ସାନ ପୁଅ ହରେ ରାମ ଅଗ୍ରୱାଲ କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଶିଷ୍ୟମାନେ ବୃଦ୍ଧାଙ୍କୁ ନିମନ୍ତ୍ରଣ କରିଥିଲେ।

‘ମୌନୀ ମାତା’ ନାମରେ ଜଣାଶୁଣା ସରସ୍ବତୀ ଦେବୀ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ବିଷୟରେ ଜାଣିବା ପରଠାରୁ ଖୁସ‌ିରେ ଥିବା କହିଛନ୍ତି ପରିବାର ଲୋକେ।

ସମ୍ବନ୍ଧିତ ଖବର