ଅପରେସନ ‘ଅକ୍ଟୋପସ ୨.୦’ ୮ ରାଜ୍ୟରେ ପୁଣି ଚଢ଼ଉ, ୧୭୦ ଗିରଫ

ଦିଲ୍ଲୀରେ ଉତ୍ତେଜନା, ଧାରା ୧୪୪ ଜାରି

ନୂଆଦିଲ୍ଲୀ: ଇସଲାମିକ ଚରମପନ୍ଥୀ ସଂଗଠନ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ଦ୍ବିତୀୟ ପର୍ଯ୍ୟାୟରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା‌) ଅପରେସନ ଅକ୍ଟୋପସ୍‌ ୨.୦ ଅନ୍ତର୍ଗତ ଗତକାଲି ମଧ୍ୟରାତ୍ରିରେ ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପିଏଫ୍‌ଆ‌ଇ ସଂଚାଳକଙ୍କ ଉପରେ ଚଢ଼ଉ କରିଛି। ମଙ୍ଗଳବାର ଦିଲ୍ଲୀ, କର୍ଣ୍ଣାଟକ,ଆସାମ, ମହାରା‌ଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ତେଲେଙ୍ଗାନାରେ ଚଢ଼ଉ ହୋଇଛି। ୮ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୭୦ରୁ ଅଧିକ ପିଏଫ୍‌ଆଇ ସଦସ୍ୟ ଅଟକ ରହିଛନ୍ତି। ଦିଲ୍ଲୀରେ ଶାହିନ ବାଗ୍‌, ନିଜାମୁଦ୍ଦିନ ଏବଂ ଜାମିଆ‌ ନଗରରେ ଚଢ଼ଉ ହୋଇଛି। ଏଠାରେ ୩୦ ଜଣ ଅଟକ ରହିଛନ୍ତି। ତଦନ୍ତକାରୀ ସଂସ୍ଥା ସହ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ଏବଂ ସ୍ଥାନୀୟ ପୁଲିସ ଚଢ଼ଉରେ ସାମିଲ ଥିଲେ। ନଭେମ୍ବର ୧୭ ପର୍ଯ୍ୟନ୍ତ ଜାମିଆ ନଗରରେ ୧୪୪ ଜାରି ହୋଇଛି। ଏହି ଅଂଚଳରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚାଲିଥିବାରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

କର୍ଣ୍ଣାଟକରେ ୭୫ ପିଏଫ୍‌ଆଇ ସଦସ୍ୟ ଅଟକ ରହିଛନ୍ତି। ବିଦର, ମାଙ୍ଗାଲୁରୁ, କୋଲାର, ବିଜୟପୁରା, ବଗଲକୋଟ, ଚିତ୍ରଦୁର୍ଗ, ବେଲାରୀ, ଚାମରାଜନଗରରେ ବଡ଼ ଧରଣର ଚଢ଼ଉ ହୋଇଛି। ଆସାମର ୮ ଜିଲ୍ଲାରେ ପ୍ରାୟ ୨୫ ଜଣ ପିଏଫ୍ଆଇ ସଦସ୍ୟ ଅଟକ ରହିଛନ୍ତି। ମହାରାଷ୍ଟ୍ରର ପୁନେରେ ପୁଲିସ ୬ ପିଏଫ୍‌ଆଇ ସମର୍ଥକଙ୍କୁ ଅଟକ ରଖିଛି। ଗୁଜରାଟରେ ୧୦ ଜଣ ଅଟକ ଥିବା ବେଳେ ମଧ୍ୟପ୍ରଦେଶରେ ରାଜ୍ୟ ପୁଲିସର ଏଟିଏସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୧ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପ୍ରାୟ ୧୦ ଜଣ ପିଏଫ୍‌ଆଇ ସମର୍ଥକ ଅଟକ ରହିଛନ୍ତି। ଉତ୍ତରପ୍ରଦେଶର ଲ‌କ୍ଷ୍ନୌରେ ପିଏଫ୍‌ଆଇ ସହ ସମ୍ପୃକ୍ତ ୧୦ ଜଣ ବ୍ୟକ୍ତି ବକ୍ସି ତଲବ ଏବଂ ଇତୌଞ୍ଜାରେ ଅଟକ ରହିଛନ୍ତି। ଉଲ୍ଲେଖଯୋଗ୍ୟ. ସେପ୍ଟେମ୍ବର ୨୨ରେ ଏନ୍‌ଆଇଏ ଏବଂ ଇଡି (ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ) ପିଏଫ୍‌ଆଇ ବିରୋଧରେ ୧୫ ରାଜ୍ୟର ୯୩ ସ୍ଥାନରେ ଚଢ଼ଉ କରିଥିଲେ।

ସମ୍ବନ୍ଧିତ ଖବର