ବରିଷ୍ଠ  ଆଇଏଏସ୍ ଅଧିକାରୀଙ୍କ ଘରେ ଚାଲୁଥିଲା ‘ଜବ୍ସ ଫର ସେକ୍ସ’ ରାକେଟ୍ ! ୨୦ରୁ ଊର୍ଦ୍ଧ୍ବ ମହିଳା ହୋଇଛନ୍ତି ଶିକାର

ଏସଆଟି କରୁଛି ତଦନ୍ତ

ପୋର୍ଟ ବ୍ଲେୟାର: ଜଣେ ଅସହାୟ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଶୁକ୍ରବାର ଆଣ୍ଡାମାନ ଏବଂ ନିକୋବରର ପୂର୍ବତନ ମୁଖ୍ୟ ସଚିବ ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ  ଜିତେନ୍ଦ୍ର ନାରାୟଣଙ୍କୁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ପଚରାଉଚରା କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଇତିମଧ୍ୟରେ ତାଙ୍କ ନାମରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି। ନିଜ ପଦବୀର ଅପବ୍ୟବହାରକରି ସେ ‘ଜବ୍ସ ଫର୍ ସେକ୍ସ’ ରକେଟ୍ ଚଳାଇ ଥିଲେ ବୋଲି ଜାତୀୟ ଗଣମାଧ୍ୟମ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ପ୍ରକାଶ କରିଛି। ରିପୋର୍ଟ ଅନୁସାରେ ପ୍ରାୟ ୨୦ ଜଣ ଯୁବତୀ ଦେହଦାନ କରିବା ଲାଗି ତତ୍କାଳୀନ ମୁ୍ଖ୍ୟସଚିବ ନାରାୟଣଙ୍କ ପୋର୍ଟବ୍ଲେୟାରସ୍ଥିତ ଘରକୁ ଆସିଥିଲେ। ଏମାନଙ୍କ ମଧ୍ୟରୁ କେତେକ ସରକାରୀ ଚାକିରି ପାଇଥିବା ସୂଚନା ମିଳିଛି।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବାସିନ୍ଦା ଜଣେ ୨୧ ବର୍ଷୀୟା ମହିଳାଙ୍କୁ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ମୁଖ୍ୟ ସଚିବଙ୍କ ବାସଭବନକୁ ନିଆଯିବା ପରେ ସେଠାରେ ନାରାୟଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାର ଯାଞ୍ଚ ପାଇଁ ପୁଲିସ ଏକ ଏସଆଇଟି ଗଠନ କରିଛି। ଏହି ଘଟଣା ଜଣାପଡ଼ିବା ପରେ ଅକ୍ଟୋବର ୧୭ରେ ଗୃହ ମନ୍ତ୍ରାଳୟ ଆଇଏଏସ୍ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ।

ଶ୍ରମ କମିଶନର ଆର ଏଲ୍ ଋଷି ମଧ୍ୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲାବେଳେ ଜଣେ ପୁଲିସ୍ ଇନ୍ସପେକ୍ଟର ଏବଂ ହୋଟେଲ ମାଲିକ ଏହି ଅପରାଧରେ ସହଯୋଗୀ ଭାବରେ ନାମିତ ହୋଇଥିଲେ।

ପୁଲିସ ଇନ୍ସପେକ୍ଟରଙ୍କୁ ମଧ୍ୟ ଶୁକ୍ରବାର ଦିନ ଏସଆଇଟି ପଚରାଉଚରା କରିଥିଲା। ଅଧିକାରୀ କହିଛନ୍ତି ଯେ ନାରାୟଣଙ୍କୁ ୮ ଘଣ୍ଟା ଧରି ପଚରାଉଚରା ପାଇଁ ସକାଳେ ପୋଲିସ ଲାଇନକୁ ଅଣାଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ପୂର୍ବତନ ମୁଖ୍ୟ ସଚିବଙ୍କ ବିରୋଧରେ ପ୍ରଦର୍ଶନ ଓ ବିକ୍ଷୋଭ ଆରମ୍ଭ ହୋଇଛି। ବିକ୍ଷୋଭକାରୀଙ୍କୁ ଏଡାଇବା ପାଇଁ ତାଙ୍କୁ ପୋର୍ଟ ବ୍ଲେୟାରର ପୁଲିସ୍ ଲାଇନକୁ ପଛଦ୍ବାରରେ ନିଆଯାଇଥିଲା। ନାରାୟଣଙ୍କୁ ‘ଦୁଷ୍କର୍ମକାରୀ’ ବୋଲି ଲେଖାଥିବା ପ୍ଲାକାର୍ଡ ଧରି ବହୁ ଲୋକ “ମହିଳାଙ୍କ ବିରୋଧରେ ଏକ ଜଘନ୍ୟ ଅପରାଧ ହୋଇଛି ।ଆମେ ତାଙ୍କ ପାଇଁ ନ୍ୟାୟ ଚାହୁଁଛୁ” ବୋଲି କହିଛନ୍ତି।  ଏଠାରେ ଏକ ଘରୋଇ ରିସର୍ଟରେ ରହୁଥିବା ନାରାୟଣଙ୍କୁ ଶନିବାର ଦିନ ପୁଣି ଜେରା କରାଯିବାର ସମ୍ଭାବନା ରହିଛି ବୋଲି ଏକ ସୂତ୍ରରୁ ପ୍ରକାଶ। ତେବେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ପରେ ନାରାୟଣଙ୍କ ଗିରଫଦାରୀ ଉପରେ ସାମୟିକ ରହିତାଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର