ପୁଲଓ୍ଵାମା: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ କରାଯାଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କଶ୍ମୀର ପୁଲିସ୍ ଶନିବାର ଅପରାହ୍ନରେ ପିପୁଲ୍ ଡେମୋକ୍ରାଟିକ୍ ପାର୍ଟି(ପିଡିପି)ର ଜମ୍ମୁସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିବା ସହ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରି ଦେଇଥିବା ଜାଣିବାକୁ ମିଳିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ପିଡିପି ନେତ୍ରୀ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହାବୁବା ମୁଫ୍ତି ନିକଟରେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ, ମେହେବୁବା ମୁଫ୍ତି ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ମୁଖ୍ୟ କାର୍ଯ୍ୟାଳୟକୁ ଜମ୍ମୁ-କଶ୍ମୀର ପୁଲିସ୍ ପ୍ରଶାସନ ସିଲ୍ କରିଦେବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସଂଗକ୍ରମେ ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀର ଉପତ୍ୟାକାରେ ଆତ୍ମଗୋପନ କରି ରହିଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ(ଜେହାଦି)ମାନଙ୍କୁ ମେହେବୁବା ତଥା ତାଙ୍କ ନିୟନ୍ତ୍ରଣାଧୀନ ପିଡିପି ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇ ଆସୁଥିଲା ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଉଠିଥିଲା। ତେବେ, ବର୍ତ୍ତମାନ ପରିସ୍ଥିତିରେ ପିଡିପିର ମୁଖ୍ୟ କାର୍ଯ୍ୟାଳୟକୁ କାହିଁକି ଓ କେଉଁ ଉଦେଶ୍ୟରେ ଜମ୍ମୁ-କଶ୍ମୀର ପୁଲିସ୍ ସିଲ୍ କରିଛି ତାହାର ନିର୍ଦ୍ଦିଷ୍ଟ କାରଣ ଏଯାବତ୍ ସ୍ପଷ୍ଟ ହୋଇପାରି ନାହିଁ।