ମଲରେ ଏକ୍ସଲେଟରେ ଯାଉଥିବା ବେଳେ ବାପାଙ୍କ ହାତରୁ ଖସି ୪୦ଫୁଟ ତଳକୁ ଖସି ପଡ଼ିଲା ଶିଶୁ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଛତିଶଗଡ଼ର ରାୟପୁରରେ ଗତ ମଙ୍ଗଳବାର ସିଟି ସେଣ୍ଟର ମଲରେ ଏକ ଦୁଃଖଦ ଘଟଣା ଘଟିଯାଇଛି।

ସୂଚନାଯୋଗ୍ୟ, ରାୟପୁରରେ ଥିବା ସିଟି ସେଣ୍ଟର ମଲକୁ ଗତ ମଙ୍ଗଳାବର ରାଜନ କୁମାର ତାଙ୍କର ୬ ବର୍ଷର ପୁଅ ଓ ବର୍ଷକର ପୁଅକୁ ଧରି ବୁଲିବାକୁ ଯାଇଥିଲେ। ଏହି ସମୟରେ ସେ ଏକ୍ସଲେଟରେ ତୃତୀୟ ମହଲାକୁ ତଳକୁ ଆସୁଥିଲେ।ଏତିକି ବେଳେ ବଡ଼ ପୁଅର ଗୋଡ଼ ଖସି ଯାଇଥିଲା। ବଡ଼କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ରାଜନଙ୍କ ହାତରୁ ସାନ ପୁଅ ଖସି ପଡ଼ିଥିଲା। ଆଖି ପିଛୁଳାକେ ବର୍ଷକର  ଶିଶୁ ୪୦ ଫୁଟ ତଳେ କଚାଡ଼ି ହୋଇ ପଡ଼ିଥିଲା।

ଶିଶୁକୁ ତଳେ କଚାଡ଼ି ହେବା ଦେଖି ବାପା ରାଜନ ସ୍ଥାଣୁ ପାଲଟି ଯାଇଥିଲେ। ନା କାହାକୁ କିଛି କହୁ ଥିଲେ ନା ପୁଅ ପାଖକୁ ଯାଇଥିଲେ। ପରେ କିଛିଲୋକ ତାଙ୍କୁ ଧରି ଗୋଟିଏ ସ୍ଥାନରେ ବସାଇ ପାଣି ଛିଞ୍ଚିଥିଲେ। ଏପଟେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶିଶୁକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣା ସମ୍ପର୍କରେ ଯେତେବେଳେ ରାଜନଙ୍କ ସ୍ତ୍ରୀ ଜାଣିଥିଲେ ସେ ପୁଅକୁ ହରାଇ ପାଗଳପ୍ରାୟ ହୋଇଯାଇଥିଲେ। ହସ୍ପିଟାଲରେ ପହଞ୍ଚି ସମସ୍ତଙ୍କୁ ଧରି ପୁଅକୁ ବଞ୍ଚାଇ ଦେବାକୁ ଅନୁରୋଧ କରୁଥିଲେ। ତେବେ ମା’ର ଏଭଳି କାନ୍ଦକୁ ଯିଏ ଦେଖୁଥିଲେ ତାଙ୍କ ଆଖି ଲୁହରେ ଭରି ଯାଉଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର