ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

ସୁନ୍ଦରଗଡ଼: ୨୦୧୯ରେ ହେମଗିର ଥାନା ଲୁଆବାହାଲ ଗାଁରେ ଯୌତୁକଜନିତ ନିର୍ଯାତନାରୁ ନବବିବାହିତା ସହିସ୍ତା ବାନୋଙ୍କ ମୃତ୍ଯୁ ମାମଲାର ଶୁଣାଣି କରିଛନ୍ତି ସୁନ୍ଦରଗଡ଼ ଅତିରିକ୍ତ ଦୌରାଜଜ। ଅଭିଯୁକ୍ତ ସ୍ବାମୀ ଆରିଫ କ୍ବୁରେସି, ଶ୍ବଶୁର ଚାନ୍ଦ ଓରଫ୍ ବସିର ଅହମ୍ମଦ କ୍ବୁରେସି, ଶାଶୂ ସୀତାରା ବାନୋଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଲେଖାଏ କାରାଦଣ୍ଡ ଓ ୫ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଜରିମାନା ଅନାଦାୟରେ ଅଧିକ ୩ ମାସ କାରାବାସ ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀ ଅନୁସାରେ, ଉତ୍ତରପ୍ରଦେଶ କୌସମ୍ବି ଜିଲ୍ଲା କୋଖରାଜ ଥାନା ଅନ୍ତର୍ଗତ ବଡ଼ଗାଁର କାରିମାନ ବାନୋଙ୍କ ଝିଅ ସହିସ୍ତା ବାନୋଙ୍କୁ ୫/୬/୨୦୧୯ରେ ହେମଗିର ଥାନା ଲୁଆବାହାଲର ଚାନ୍ଦ କ୍ବୁରେସିଙ୍କ ପୁଅ ଅରିଫ ବିବାହ କରିଥିଲେ। ବିବାହ ସମୟରେ ଝିଅ ଘର ପରିବାର ଉପହାରରେ ସୁନାଗହଣା ସହ ନଗଦ ୧ ଲକ୍ଷ ଟଙ୍କା ଦେଇଥିଲେ।

କିଛି ଦିନ ଠିକଠାକ ଚାଲିବା ପରେ ସ୍ବାମୀ ଆରିଫ ଅଧିକ ଟଙ୍କା ଦାବି କରିଥିଲେ। ୨.୧୨.୨୦୧୯ରେ କାରିମାନ ଝିଅ ଘର ଲୁଆବାହାଲକୁ ଆସି ୫ ଦିନ ରହି ଫେରିବା ପରେ ଆରିଫ ଦେଢ଼ ଲକ୍ଷ ଟଙ୍କା ଦାବି କରି ସହିସ୍ତାକୁ ନିର୍ଯାତନା ଦେଇଥିଲେ। କିଛି ଦିନ ପରେ ଜ୍ବାଇଁ ଆରିଫ ଓ ତାଙ୍କ ମା ସୀତାରା ଫୋନ୍ କଲ୍ କରି ଝିଅ ଗୁରୁତର ଥିବା ସୂଚନା ଦେଇଥିଲେ। ତାର କିଛି ସମୟ ପରେ ପୁଣି ଖବର ଆସିଲା ଯେ ତାଙ୍କ ଝିଅର ମୃତ୍ଯୁ ହୋଇଯାଇଛି। ପରିବାର ଲୋକେ ଉତ୍ତରପ୍ରଦେଶରୁ ହେମଗିର ଆସି ହସ୍ପିଟାଲରେ ଝିଅର ମୃତଦେହକୁ ଦେଖିଲେ। ବେକ ଓ ଦେହରେ କଳା ଦାଗ ପଡ଼ିଥିବା ଦେଖି ଯୌତୁକ ପାଇଁ ଜ୍ବାଇଁ ଆରିଫ ଓ ତାଙ୍କ ବାପାମା ଝିଅକୁ ହତ୍ଯା କରିଥିବା ନେଇ ହେମଗିର ଥାନାରେ ଏତଲା ଦେଇଥିଲେ। ପୁଲିସ ୪୯୮ (ଏ), ୩୦୪(ବି), ୩୦୬, ୩୦୨, ୩୪ରେ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ୧୩.୧୨.୨୦୧୯ରେ ଗିରଫ କରିଥିଲେ। ମାମଲାର ବିଚାର ଚାଲିଥିବାବେଳେ ଅତିରିକ୍ତ ଦୌରାଜଜ ପୁଲିସର ସବିଶେଷ ତଦନ୍ତ ରିପୋର୍ଟ, ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୯.୫.୨୦୨୪ ଗୁରୁବାର ଭାରତୀୟ ଦଣ୍ଡବିଧି ଧାରା ୪୯୮ (ଏ), ୩୦୪ (ବି),୩୪ ଓ ଡିପି ଆଇନର ଉପଧାରା ୪ରେ ରାୟ ଶୁଣାଇଛନ୍ତି। ମାମଲାକୁ ଏପିପି ପ୍ରଶାନ୍ତ ପଟେଲ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର