ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ୭ ସହଯୋଗୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାର ଏକାଧିକ ଅଞ୍ଚଳରୁ ଆତଙ୍କବାଦୀମାନଙ୍କର ୭ଜଣ ସହଯୋଗୀଙ୍କୁ ଗିରଫ କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ ଦାବି କରିଛି।

ଏକ ବିବୃତିରେ ପୁଲିସ କହିଛି, ଚେକ୍‌ପୋଷ୍ଟ୍‍ରେ ଯାଞ୍ଚ ବେଳେ ଶୋପିଆଁ ପୁଲିସ ଆତଙ୍କବାଦୀମାନଙ୍କର ୭ଜଣ ସହଯୋଗୀଙ୍କୁ ଗିରଫ କରିଛି। ତଲାସ ସମୟରେ ସେମାନଙ୍କ ପାଖରୁ ଦୁଇଟି ହାତ ଗ୍ରେନେଡ୍‌, ତିନୋଟି ଏ.କେ. ଶ୍ରେଣୀୟ ମ୍ୟାଗାଜିନ୍‌, ୧୦୫ ରାଉଣ୍ଡ୍‌ ଅଫୁଟା ଏ.କେ. ଜବତ କରାଯାଇଛି।

୭ଜଣଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ୍‌ ମୁଜାହିଦୀନ’ର ସହଯୋଗୀ ବା ‘ଓଭର୍‌ ଗ୍ରାଉଣ୍ଡ୍‌ ଓ୍ଵାର୍କର୍‌’ ବୋଲି ଜଣାପଡ଼ିଛି। ସେମାନଙ୍କ ନାମରେ ଶୋପିଆଁ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

Image Courtesy of India TV News

ଗିରଫ ଆତଙ୍କବାଦୀଙ୍କ ସହଯୋଗୀମାନେ ହେଲେ, ମୀମେନ୍ଦର ବାସିନ୍ଦା ଫରୁକ୍‌ ଅହମଦ୍‌ ଚୋପାନ୍‌ଙ୍କ ପୁଅ ସମିଉଲ୍ଲା ଫାରୁକ୍‌, ଦଚିପୋରା ବାସିନ୍ଦା ମହମଦ୍‌ ଅମିନ୍‌ ଓ୍ଵାନିଙ୍କ ପୁଅ ହିଲାଲ୍‌ ଅହମଦ୍‌ ଓ୍ଵାନି, ମୁଜାଫର୍‌ ଅହମଦ୍‌ ଓ୍ଵାନିଙ୍କ ପୁଅ ରମୀଜ୍‌ ଓ୍ଵାନି, ରଶିଦ୍‌ ଓ୍ଵାନିଙ୍କ ପୁଅ ରୌଫ୍‌ ଅହମଦ୍‌ ଓ୍ଵାନି, ବଶିର୍‌ ଅହମଦ୍‌ ଓ୍ଵାନିଙ୍କ ପୁଅ ଜାହିଦ ହୁସେନ୍‌ ଓ୍ଵାନି, ବେହିଲ୍‌ ବାସିନ୍ଦା ମହମଦ୍‌ ୟୁସୁଫ୍‌ ଖାଁଙ୍କ ପୁଅ ଫୈୟାଜ୍‌ ଅହମଦ୍‌ ଖାଁ ଏବଂ ମହମଦ୍‌ ଇକ୍‌ବାଲ୍‌ଙ୍କ ପୁଅ ଶହିଦ ଅହମଦ୍‌ ରାଠର୍‌।

ଜଣେ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ କହିଛନ୍ତି, ମାର୍ଚ ୫ ଓ ୬ ତାରିଖ ରାତିରେ ଶୋପିଆଁ ଜିଲ୍ଲାର ବିଭିନ୍ନ ଗାଁରୁ ଶୋପିଆଁ ପୁଲିସ ଏହି ୭ଜଣଙ୍କୁ ଗିରଫ କରିଛି।

ଏହାକୁ ଏକ ବଡ଼ ସଫଳତା କହି ସମ୍ପୃକ୍ତ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ନେଟ୍‌ଓ୍ଵାର୍କ ଛିନ୍ନ ହୋଇଛି ବୋଲି ପୁଲିସ ବିଶ୍ୱାସ କରୁଛି।

ସମ୍ବନ୍ଧିତ ଖବର