ଭାରତରେ ଖୁବ୍‌ ଶୀଘ୍ର ‘ସ୍ପୁଟନିକ୍‌-ଭି’ ପରୀକ୍ଷଣ, ନଭେମ୍ବର ସୁଦ୍ଧା ଆମେରିକାରେ ମିଳିଯିବ ଫାଇଜର ଟିକା

ନୂଆଦିଲ୍ଲୀ: ରୁଷିଆର ଗମାଲେଇ ପ୍ରତିଷ୍ଠାନ ଦ୍ବାରା ବିକଶିତ କୋଭିଡ୍‌ ଟିକା ‘ସ୍ପୁଟନିକ୍‌-ଭି’ର ଫଳପ୍ରଦତା ପରଖିବା ପାଇଁ ଭାରତରେ ବ୍ୟାପକ ନୈଦାନିକ ପରୀକ୍ଷଣ ନିମନ୍ତେ ଭେଷଜ କମ୍ପାନି ଡ. ରେଡି’ସ ଲାବୋରାଟରିର ପ୍ରସ୍ତାବକୁ କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂସ୍ଥା(ସିଡିଏସ୍‌ସିଓ) ପୂର୍ବରୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ତେବେ ପରିସ୍ଥିତିର ଗମ୍ବୀରତାକୁ ଉପଲବ୍‌ଧି କରି ଭାରତରେ ଖୁବ୍‌ ଶୀଘ୍ର ଏହାର ମାନବୀୟ ପରୀକ୍ଷଣ ଆରମ୍ଭ ହେବ ବୋଲି ଜଣାଯାଇଛି। ରୁଷିଆରେ ‘ସ୍ପୁଟନିକ୍‌-ଭି’ର ଚୂଡ଼ାନ୍ତ ବା ବ୍ୟାପକ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ହୋଇନଥିବା ବେଳେ କେବଳ ଖୁବ୍‌ ଅଳ୍ପ ସଂଖ୍ୟକ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳକୁ ଭିତ୍ତି କରି ଏହାକୁ ବିଶ୍ବର ପ୍ରଥମ ଟିକା ଭାବେ ସାର୍ବଜନୀନ ବ୍ୟବହାର ପାଇଁ ଘୋଷଣା କରାଯାଇଛି। ତେବେ ଭବିଷ୍ୟତରେ ଭାରତୀୟଙ୍କଠାରେ ସାର୍ବଜନୀନ ବ୍ୟବହାର ପାଇଁ ଏହାର ବିକ୍ଷିପ୍ତ ପରୀକ୍ଷଣର ଆବଶ୍ୟକତା ଥିବାରୁ ଏବେ ଶହେ ଜଣ ସ୍ବେଚ୍ଛାସେବୀ ବିଶିଷ୍ଟ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଓ ୧,୪୦୦ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ଚୂଡ଼ାନ୍ତ ବା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସିଡିଏସ୍‌ସିଓ ଅନୁମତି ଦେଇଥିବା ଜଣାଯାଇଛି।

ଅପରପକ୍ଷେ, ଆଗାମୀ ନଭେମ୍ବର ସୁଦ୍ଧା ଆନ୍ତର୍ଜାତିକ ଭେଷଜ କମ୍ପାନି ଫାଇଜର ଦ୍ବାରା ବିକଶିତ କୋଭିଡ୍‌ ଟିକା ଆମେରିକାରେ ଉପଲବ୍‌ଧ ହୋଇପାରିବ ବୋଲି କମ୍ପାନି ପକ୍ଷରୁ ଆଶା ପ୍ରକଟ କରାଯାଇଛି। ଜର୍ମାନୀ ଅଂଶୀଦାର ବାୟୋଏନ୍‌ଟେକ୍‌ ଦ୍ବାରା ମିଳିତ ଭାବେ ପ୍ରସ୍ତୁତ ହେଉଥିବା ଉକ୍ତ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଫାଇଜର ପକ୍ଷରୁ ଏପରି ଘୋଷଣା କରାଯିବା ପରେ ଏହାର ଚୂଡ଼ାନ୍ତ ନୈଦାନିକ ପରୀକ୍ଷଣ ଚାଲିଥିବା ୪୪,୦୦୦ ସ୍ବେଚ୍ଛାସେବୀଙ୍କ ଫଳାଫଳକୁ ଗବେଷକମାନେ ଅପେକ୍ଷା କରି ରହିଛନ୍ତି। ନଭେମ୍ବର ତୃତୀୟ ସପ୍ତାହରେ ଜରୁରୀକାଳୀନ ବ୍ୟବହାର ପାଇଁ କମ୍ପାନି ପକ୍ଷରୁ ଆବଶ୍ୟକ ଅନୁମତି ଲୋଡ଼ାଯିବ ବୋଲି ସିଇଓ ଆଲବର୍ଟ ବୌର୍ଲା କହିଛନ୍ତି।

ସମ୍ବନ୍ଧିତ ଖବର