ମହାକାଶକୁ ସୁନୀତା ୱିଲିୟମ୍ସଙ୍କ ଉଡ଼ାଣ ବାତିଲ: ନାସା ଘୋଷଣା କଲା ନୂଆ ଲଞ୍ଚ୍ ତାରିଖ

ୱାସିଂଟନ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ମଙ୍ଗଳବାର ମହାକାଶକୁ ଉଡ଼ାଣ ଭରିବାର କିଛି ଘଣ୍ଟା ପୂର୍ବରୁ ନାସା ଓ ବୋଇଂ ତାଙ୍କର ମହାକାଶ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ୟୁନାଇଟେଡ୍ ଲଞ୍ଚ୍ ଆଲାଏନ୍ସ ଆଟଲାସ୍ ଭି ରକେଟ୍‌ର ଦ୍ବିତୀୟ ପର୍ଯ୍ୟାୟରେ ଅକ୍ସିଜେନ୍ ରିଲିଫ୍ ଭାଲ୍ଭରେ ତ୍ରୁଟି ଥିବା ଜଣାପଡ଼ିବା ପରେ ଷ୍ଟାରଲାଇନର୍‌ର ପ୍ରଥମ ମାନବ ମହାକାଶଯାତ୍ରାକୁ ବାତିଲ କରାଯାଇଛି। ଏହାର କିଛି ମିନିଟ୍ ପରେ ମହାକାଶଚାରୀ ବୁଚ୍ ୱିଲ୍‌ମୋର ଓ ସୁନୀତା ୱିଲିୟମ୍ସ ଫ୍ଲୋରିଡାର କେପ୍ କାନାବେରାଲ ସ୍ପେସ୍ ଫୋର୍ସ ଷ୍ଟେସନର ସ୍ପେସ୍ ଲଞ୍ଚ କମ୍ପ୍ଲେକ୍ସ-୪୧ରେ ଷ୍ଟାରଲାଇନର ମହାକାଶଯାନରୁ ବାହାରି ମହାକାଶଚାରୀ କ୍ରୁ କ୍ୱାର୍ଟର୍ସକୁ ଫେରିଥିଲେ। ୟୁଏଲ୍ଏ ପ୍ରଥମ ଥର ପାଇଁ ନିଜ ରକେଟରେ ମହାକାଶଚାରୀଙ୍କୁ ମହାକାଶକୁ ପଠାଉଥିବା କାରଣରୁ ପ୍ରଚୁର ସତର୍କତା ଅବଲମ୍ବନ କରାଯାଉଛି। କାର୍ଗୋ ଏବଂ ପେଲୋଡ୍ ଲଞ୍ଚ୍ କ୍ଷେତ୍ରରେ ଏହାର ସଫଳତା ହାର ଶତ ପ୍ରତିଶତ ରହିଛି। ନାସା ଘୋଷଣା କରିଛି ଯେ ବୋଇଂ ଷ୍ଟାରଲାଇନର ଦୁଇ ମହାକାଶଚାରୀଙ୍କୁ ନେଇ ମେ ୧୦ରେ ୟୁଏଲଏ ରକେଟରେ ଉଡ଼ାଣ କରିବ। ମହାକାଶକୁ ମନୁଷ୍ୟ ପ୍ରେରଣ ଓ ପ୍ରତ୍ୟାବର୍ତ୍ତନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବିତୀୟ ମହାକାଶଯାନକୁ ଅର୍ବିଟାଲ କ୍ଷମତାସମ୍ପନ୍ନ କରିବାକୁ ଚାହୁଛି। ବର୍ତ୍ତମାନ ସୁଦ୍ଧା ସ୍ପେସ୍ ଏକ୍ସର କ୍ରୁ ଡ୍ରାଗନ୍ ବାଣିଜ୍ୟିକ ମହାକାଶ ଦୌଡ଼ରେ ଅଗ୍ରଣୀ ରହିଛି।

ସମ୍ବନ୍ଧିତ ଖବର