ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ହାଇକୋର୍ଟ ରାୟ ଉପରେ ରୋକ୍

ସରକାରକୁ ଭର୍ତ୍ସନା; ବ୍ୟବସ୍ଥାଗତ ଠକେଇ ହୋଇଛି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨୫,୭୫୩ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରିବା ପାଇଁ ଏପ୍ରିଲ ୨୨ ତାରିଖରେ କଲିକତା ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମ୍‌କୋର୍ଟ ଆଜି ରୋକ୍ ଲଗାଇଛନ୍ତି। ତେବେ ସୁପ୍ରିମକୋର୍ଟ ସିବିଆଇକୁ ଏହି ଦୁର୍ନୀତିର ତଦନ୍ତ ଜାରି ରଖିବାକୁ ଅନୁମତି ଦେଇଛନ୍ତି ଏବଂ ପ୍ରାର୍ଥୀ କିମ୍ବା ସରକାରୀ ଅଧିକାରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଗୁରୁତ୍ବାରୋପ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୬କୁ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ସରକାରୀ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସମଗ୍ର ବ୍ୟବସ୍ଥାରେ ଠକେଇ ଓ ବିଶୃଙ୍ଖଳା ଦେଖିବାକୁ ମିଳିଛି ଏବଂ ଏଭଳି ସ୍ଥିତିରେ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ସରକାରକୁ ଭର୍ତ୍ସନା; ବ୍ୟବସ୍ଥାଗତ ଠକେଇ ହୋଇଛି
ତଦନ୍ତ ଜାରି ରଖିବାକୁ ସିବିଆଇକୁ ଅନୁମତି

ଜନସାଧାରଣଙ୍କ ଆସ୍ଥା ସହିତ ସରକାର ଖେଳିଥିବାରୁ ଏହା ବ୍ୟବସ୍ଥାଗତ ଠକେଇ ବୋଲି ମତ ଦେଇ କୋର୍ଟ କହିଛନ୍ତି ଯେ ସରକାରୀ ଚାକିରି ଏବେ ଦୁର୍ଲଭ ହୋଇଯାଇଥିବା ବେଳେ ଏ କ୍ଷେତ୍ରରେ ଏଭଳି ବିଭ୍ରାଟ ଓ ଅବ୍ୟବସ୍ଥା କଦାପି ଗ୍ରହଣୀୟ ହେବନାହିଁ। ଯଦି ପ୍ରାର୍ଥୀଙ୍କ ନିଯୁକ୍ତିକୁ ମଧ୍ୟ ବଦନାମ କରାଯାଏ ତେବେ ବ୍ୟବସ୍ଥା ପ୍ରତି ଲୋକମାନେ ବିଶ୍ୱାସ ହରାଇବା ନିଶ୍ଚିତ। ଆପଣମାନେ ଏହାକୁ କିପରି ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ପଶ୍ଚିମବଙ୍ଗ ସରକାରଙ୍କ ଓକିଲମାନଙ୍କୁ ପଚାରିଥିଲେ। ତଦାରଖ ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବା ପ୍ରମାଣ ରହିଛି ବୋଲି ମଧ୍ୟ କୋର୍ଟ କହିଛନ୍ତି। ‘ହୁଏତ ସରକାରଙ୍କ ପାଖରେ ଡାଟା ଅଛି କିମ୍ବା ଏହା ନାହିଁ । କାଗଜପତ୍ରକୁ ଡିଜିଟାଲ ଫର୍ମରେ ରକ୍ଷଣାବେକ୍ଷଣ କରିବା ସରକାରଙ୍କ କର୍ତ୍ତବ୍ୟ ଥିଲା । ଏବେ କୌଣସି ତଥ୍ୟ ନଥିବା ସ୍ପଷ୍ଟ ହୋଇଛି। ସରକାର ସେବା ପ୍ରଦାନକାରୀ ଅନ୍ୟ ଏକ ଏଜେନ୍ସିକୁ ନିୟୋଜିତ କରିଥିବା ସଂପର୍କରେ ନିଜେ ବିଭ୍ରାନ୍ତିରେ ଥିବା ଦେଖିବାକୁ ମିଳିଛି ବୋଲି କୋର୍ଟ କହିଛନ୍ତି। ଗତ ଶୁଣାଣିରେ ସୁପ୍ରିମକୋର୍ଟ କଲିକତା ହାଇକୋର୍ଟଙ୍କ ଏପ୍ରିଲ ୨୨ ରାୟ ଉପରେ ରୋକ ଲଗାଇବା ପାଇଁ କୌଣସି ଅନ୍ତରୀଣ ଆଦେଶ ଦେବାକୁ ମନା କରିଦେଇଥିଲେ। ଏହି ଦୁର୍ନୀତି ମାମଲାରେ ଏବେ ସିବିଆଇ ତଦନ୍ତ ଯଥାରୀତି ଜାରି ରହିବ, କିନ୍ତୁ ଅଧିକାରୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଥିବାରୁ ରାଜ୍ୟ ସରକାରଙ୍କ ପାଇଁ ଏହା ଆଶ୍ବସ୍ତି ଆଣିଛି। ଗତ ମାସରେ କଲିକତା ହାଇକୋର୍ଟ ୨୦୧୬ ବିଦ୍ୟାଳୟ ସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିବା ସହ ବାର୍ଷିକ ୧୨ ପ୍ରତିଶତ ସୁଧ ସହିତ ନିଆଯାଇଥିବା ସମ୍ପୂର୍ଣ୍ଣ ଦରମା ଫେରସ୍ତ କରିବାକୁ କହିଥିଲେ। କୋର୍ଟ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସଏସସି)କୁ ନୂତନ ଭାବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ସହ ସିବିଆଇକୁ ଏହି ମାମଲାର ତଦନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର