କମିସନଙ୍କ ବିଶ୍ୱସନୀୟତା ସର୍ବନିମ୍ନ ସ୍ତରରେ: କଂଗ୍ରେସ

ନୂଆଦିଲ୍ଲୀ: ନିର୍ବାଚନ କମିସନଙ୍କ ବିଶ୍ୱସନୀୟତା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ରହିଛି ବୋଲି କହି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ଇଣ୍ଡି-ମେଣ୍ଟର ନେତାମାନଙ୍କୁ ଏକ ଚିଠି ଲେଖି କହିଛନ୍ତି। ସେ ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରକାଶିତ ମତଦାନ ତଥ୍ୟରେ ଅସଙ୍ଗତି ଥିବା ଦର୍ଶାଇଛନ୍ତି। ଲୋକସଭା ନିର୍ବାଚନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ମତଦାନ ପ୍ରତିଶତ ପ୍ରକାଶରେ ବିଳମ୍ବକୁ ନେଇ ମଧ୍ୟ ଖଡ଼ଗେ ପ୍ରଶ୍ନ ଉଠାଇବା ସହ ଏଭଳି ଘଟଣା ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରକାଶିତ ତଥ୍ୟର ଗୁଣବତ୍ତା ଉପରେ ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି।

ଖଡ଼ଗେ କହିଛନ୍ତି, ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ନିର୍ବାଚନ କମିସନ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଚୂଡ଼ାନ୍ତ ମତଦାନ ହାର ପ୍ରକାଶ କରିବାରେ ବିଳମ୍ବ କରିଥିଲେ। ପ୍ରଥମ ପର୍ଯ୍ୟାୟ ମତଦାନର ୧୧ ଦିନ ପରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ୪ ଦିନ ପରେ ଏପ୍ରିଲ ୩୦ ତାରିଖରେ ନିର୍ବାଚନ ଆୟୋଗ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡ଼ାନ୍ତ ମତଦାନ ତଥ୍ୟ ପ୍ରକାଶ କରିଥିଲେ। ସାଧାରଣତଃ ମତଦାନର ୨୪ ଘଣ୍ଟା ମଧ୍ୟରେ ମତଦାନ ତଥ୍ୟ ପ୍ରକାଶ କରାଯାଇଥାଏ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ମତଦାନ ହାର ପ୍ରକାଶରେ ଅହେତୁକ ବିଳମ୍ବ ତଥ୍ୟର ଗୁଣବତ୍ତା ଉପରେ ଗଭୀର ସନ୍ଦେହ ସୃଷ୍ଟି କରିଛି। ମୋର ୫୨ ବର୍ଷର ନିର୍ବାଚନୀ ଜୀବନରେ ମୁଁ କେବେ ବି ଚୂଡ଼ାନ୍ତ ତଥ୍ୟରେ ମତଦାନ ପ୍ରତିଶତରେ ଏତେ ଅଧିକ ବୃଦ୍ଧି ଦେଖିନାହିଁ ବୋଲି ଖଡ଼ଗେ କହିଛନ୍ତି।

ପ୍ରଥମେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦% ଓ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୬୦.୯୬% ମତଦାନ ହୋଇଥିଲା। କିନ୍ତୁ ଏପ୍ରିଲ ୩୦ରେ ନିର୍ବାଚନ କମିସନଙ୍କ ଚୂଡ଼ାନ୍ତ ରିପୋର୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ବିତୀୟ ପର୍ଯ୍ୟାୟରେ ୬୬.୭୧% ମତଦାନ ହୋଇଛି। ବିଳମ୍ବ ବ୍ୟତୀତ ଆୟୋଗ ଜାରି କରିଥିବା ମତଦାନ ତଥ୍ୟରେ ପ୍ରତ୍ୟେକ ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ସମ୍ପୃକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଭୋଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ ନାହିଁ ବୋଲି ଖଡ଼ଗେ ତାଙ୍କ ଚିଠିରେ କହିଛନ୍ତି। ତୃତୀୟ ପର୍ଯ୍ୟାୟରୁ ଚୂଡ଼ାନ୍ତ ପଞ୍ଜୀକୃତ ଭୋଟର ତାଲିକା ପ୍ରକାଶ ପାଇନଥିବା ଖବର ଅତ୍ୟନ୍ତ ଚିନ୍ତାଜନକ ବୋଲି କଂଗ୍ରେସ ସଭାପତି କହିଛନ୍ତି। ସମଗ୍ର ଦେଶ ଜାଣେ ଯେ ଏକ ଏକଚ୍ଛତ୍ରବାଦୀ କ୍ଷମତାରେ ରହିବା ପାଇଁ ଯେକୌଣସି ସୀମାକୁ ଯାଇପାରେ। ମତଦାନ ତଥ୍ୟରେ ଅସଙ୍ଗତି ବିରୋଧରେ ଏକଜୁଟ ହେବାକୁ ଖଡ଼ଗେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର