ରାଜ୍ୟପାଳଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଷ୍ଟାଲିନଙ୍କ ଅଭିଯୋଗପତ୍ର

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ବିବାଦ ତେଜିଲା

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରୁନାହାନ୍ତି ଏବଂ ଅଯଥା ଅନର୍ଥ ସୃଷ୍ଟି କରୁଛନ୍ତି ବୋଲି ଷ୍ଟାଲିନ ଅଭିଯୋଗ କରିଛନ୍ତି। ଯେତେବେଳେ କୌଣସି ରାଜ୍ୟପାଳ ରାଜନେତାଙ୍କ ଭଳି କାମ କରନ୍ତି, ସେତେବେଳେ ସେ ତାଙ୍କ ପଦରେ ରହିବା ଉଚିତ ନୁହେଁ। ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ଅନେକ ନିଷ୍ପତ୍ତି ବଡ଼ ଧରଣର ବିବାଦ ଓ ବିଭ୍ରାନ୍ତି ସୃଷ୍ଟି କରିଛି ଏବଂ ତାଙ୍କର ଏଭଳି କାର୍ଯ୍ୟ ରାଜ୍ୟ ପାଇଁ ବିପଦ ବୋଲି ଷ୍ଟାଲିନ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ରାଜ୍ୟପାଳ ତାମିଲନାଡ଼ୁ ସରକାରଙ୍କ ନୀତି ବିରୋଧରେ କାମ କରୁଥିବାରୁ ଏହା ରାଜ୍ୟର ସ୍ବାର୍ଥହାନି କରୁଛି।

ନାଗାଲାଣ୍ଡ୍‌ରେ ରାଜ୍ୟପାଳ ଥିବା ସମୟରେ ମଧ୍ୟ ଆର୍‌ଏନ୍‌ ରବିଙ୍କ କାର୍ଯ୍ୟକାଳ ସନ୍ତୋଷଜନକ ନଥିଲା ବୋଲି ନାଗାଲାଣ୍ଡ୍‌ ମୁଖ୍ୟମନ୍ତ୍ରୀ ସ୍ବୀକାର କରିଥିବା ଷ୍ଟାଲିନ କହିଛନ୍ତି।
ତାମିଲନାଡ଼ୁରେ ନିର୍ବାଚିତ ସରକାରକୁ ଅଡ଼ୁଆରେ ପକାଇବା ପାଇଁ ରାଜ୍ୟପାଳ ଅସାମ୍ବିଧାନିକ ପଦକ୍ଷେପ ନେଉଛନ୍ତି ଏବଂ ବିଲ୍‌ଗୁଡ଼ିକୁ ମଂଜୁରି ଦେବାରେ ଅହେତୁକ ବିଳମ୍ବ କରୁଛନ୍ତି ବୋଲି ଷ୍ଟାଲିନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ପୂର୍ବ ଏଆଇଏଡିଏମ୍‌କେ ସରକାରର କେତେକ ମନ୍ତ୍ରୀଙ୍କ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ଅନୁମତି ଦେଉନାହାନ୍ତି ବୋଲି ମଧ୍ୟ ଷ୍ଟାଲିନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହମତି ବିନା ରାଜ୍ୟପାଳ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର କରିବା ସମ୍ବିଧାନର ଉଲ୍ଲଂଘନ ଥିଲା। ଏ କ୍ଷେତ୍ରରେ ରାଷ୍ଟ୍ରପତି ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ଷ୍ଟାଲିନ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର