୭୮ ବର୍ଷ ବୟସରେ ବି ହାରିଯାଇନାହାନ୍ତି: ପାହାଡ ଶିଖରରେ ପହଞ୍ଚି ଯବାନଙ୍କୁ ଯୋଗ ଶିଖାଉଛନ୍ତି ଏହି ଯୋଗ ଗୁରୁ

ଶ୍ରୀନଗର: ବୟସ ବଢିବା ସଙ୍ଗେ ସଙ୍ଗେ ଯେତେବେଳେ ଜଣେ ଘରେ ବସି ରହିବାକୁ ଭାବିଥାନ୍ତି, ଠିକ ସେହି ବୟସରେ ଏବେ ମିଶନ କାଶ୍ମୀରରେ ବାହାରିଛନ୍ତି ଜଣେ ୭୮ ବର୍ଷ ବୟସ୍କା ମହିଳା | ଏହି ମହିଳାଙ୍କ ନାମ ହେଉଛି ପଦ୍ମିନୀ ଜୋଗ | ନିକଟରେ ସେ ଯବାନମାନଙ୍କୁ ଯୋଗ ଶିକ୍ଷା ଦେବା ପାଇଁ ସମୁଦ୍ର ପତନଠାରୁ ୧୨,୩୦୦ ଫୁଟ ଉଚ୍ଚତାରେ ପହଞ୍ଚିଥିଲେ | ତାଙ୍କର ଯୋଗ ଶିବିର ଜମ୍ମୁକଶ୍ମୀରର କୁପୱାରାରେ ଆୟୋଜିତ ହୋଇଥିଲା | ଏହି ଶିବିରରେ ୧୬୦୦ରୁ ଅଧିକ ଯବାନ ଅଂଶଗ୍ରହଣ କରିଥିଲେ | ବିଶେଷ କଥା ହେଉଛି ପଦ୍ମିନୀଙ୍କ ସ୍ୱାମୀ ଏହି ଅଞ୍ଚଳରେ ଦୁଇଥର ଯୁଦ୍ଧ କରିଥିଲେ। ଯଦିଓ ପଦ୍ମିନୀ ଦଶନ୍ଧି ଧରି ମାଗଣା ଯୋଗ ଶିବିର ଆୟୋଜନ କରିଆସୁଛନ୍ତି କିନ୍ତୁ କୁପୱାରାରେ ଯବାନମାନଙ୍କୁ ଯୋଗ ଶିକ୍ଷା ଦେବା ତାଙ୍କ ପାଇଁ କିଛି ସ୍ୱତନ୍ତ୍ର ଥିଲା |

ଆଉ ପଦ୍ମିନୀଙ୍କ କହିବା ଅନୁଯାୟୀ ଏହି ସେନା ଶିବିର ତାଙ୍କ ପାଇଁ ଅତ୍ୟନ୍ତ ଖାସ | କାରଣ ତାଙ୍କ ସ୍ୱାମୀ ସ୍ବର୍ଗତଃ କର୍ଣ୍ଣେଲ ପ୍ରତାପ ଜୋଗ ଏଠାରେ ୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଭାଗ ନେଇଥିଲେ। ତାଙ୍କ ସ୍ୱାମୀ ଯେଉଁଠାରେ ମୁତୟନ ଥିଲେ ସେଠାରେ କିଭଳି ଯୋଗ ଶିକ୍ଷା ଦେବେ ଏହା ତାଙ୍କ ଜୀବନର ଲକ୍ଷ୍ୟ ଥିଲା ବୋଲି ପଦ୍ମିନୀ କହିଛନ୍ତି । ସେ କହିଛନ୍ତି ଯେ ଏହି ବୟସରେ ମଧ୍ୟ ସେ ଅତି ଆରାମରେ ପର୍ବତ ଉପରକୁ ଚଢିପାରିବେ। ପଦ୍ମିନୀ ୧୯୮୦ ମସିହାରେ ନାଗପୁରର ଜନାର୍ଦ୍ଦନସ୍ୱାମୀ ଯୋଗଭାସୀ ମଣ୍ଡପରେ ଯୋଗ ପ୍ରଶିକ୍ଷଣ ନେଇଥିଲେ।

ଏହା ପରେ, ୨୦୦୫ରେ, ସେ ହରିଦ୍ୱାରରେ ଯୋଗ ଗୁରୁ ରାମଦେବଙ୍କଠାରୁ ମଧ୍ୟ ତାଲିମ ନେଇଥିଲେ। ଏହା ପରେ ସେ ସେନା ବିଦ୍ୟାଳୟ, ସଙ୍ଗଠନ ଏବଂ ସମାଜ ପାଇଁ ମାଗଣା ଶିବିର ଆରମ୍ଭ କରିଥିଲେ | ୨୦୧୪ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ସ୍ୱାମୀ-ସ୍ତ୍ରୀ ଏକତ୍ର ୫୬୨ ଶିବିର ଆୟୋଜନ କରିଥିଲେ। ପଦ୍ମିନୀଙ୍କ କହିବା ଅନୁଯାୟୀ, ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ସେ ଏହି ପ୍ରକ୍ରିୟା ଜାରି ରଖିଥିଲେ। ପଦ୍ମିନୀଙ୍କ ଅନୁଯାୟୀ, ବର୍ତ୍ତମାନ ଏହି ଶିବିର ସଂଖ୍ୟା ୯୫୦କୁ ବୃଦ୍ଧି ପାଇଛି |

ସମ୍ବନ୍ଧିତ ଖବର