ନୂଆଦିଲ୍ଲୀ: ଆର୍ଥିକ ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ‘ଏନ୍‌ସିପି’ ନେତା ନୱାବ ମଲିକ୍‌ ଫାଇଲ କରିଥିବା ଜାମିନ ଆବେଦନର ଶୁଣାଣି କରିବା ଲାଗି ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ବରଂ ଜାମିନ ପାଇଁ ସେ ‘ଟ୍ରାଏଲ୍‌ କୋର୍ଟ’ରେ ଆବେଦନ କରନ୍ତୁ ବୋଲି ସୁପ୍ରିମ୍‌ କୋର୍ଟ ତାଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ମଲିକ୍‌ଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଆଡ୍‌ଭୋକେଟ୍‌ କପିଲ୍‌ ସିବଲ ୧୯୯୯ ମସିହାରେ ଘଟିଥିବା ଅପରାଧ ନିମନ୍ତେ ୨୦୨୨ ‌ଫେବ୍ରୁଆରିରେ ମଲିକଙ୍କୁ ଗିରଫ କରାଯିବାର ବୈଧ୍ୟତା ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଦାଉଦ୍‌ ଇବ୍ରାହିମ୍‌ ଏବଂ ଅଣ୍ଡର୍‌ୱାର୍ଲଡ୍‌ ସହ ଜଡ଼ିତ ‘କଳାଟଙ୍କା ଧଳା କରାଯିବା’ ଘଟଣାରେ ମଲିକ୍‌ଙ୍କ ସମ୍ପୃକ୍ତି ସଂକ୍ରାନ୍ତରେ ତଦନ୍ତ କରିବା ପରେ ଗତ ଫେବ୍ରୁଆରି ୨୩ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।

publive-image Image Courtesy of India Today

କୁହାଯାଉଛି ଦାଉଦ୍‌ ଇବ୍ରାହିମ୍‌ଙ୍କର ସହଯୋଗୀ ସର୍ଦାର୍‌ ଶାହବ୍‌ଅଲି ଖାଁ ଏବଂ ହସୀନା ପାର୍କର୍‌ଙ୍କ ଦେହରକ୍ଷୀ ସଲିମ୍‌ ପଟେଲ୍‌ଙ୍କ ସହ ନୱାବ୍‌ ମଲିକ୍‌ ରାଜିନାମା କରିଥିଲେ। ହସୀନା ପାର୍କର ହେଉଛନ୍ତି ଦାଉଦ୍‌ ଇବ୍ରାହିମ୍‌ଙ୍କ ଭଉଣୀ।

ଜାମିନ ଆବେଦନ ଖାରଜ କରି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଲେ, ଏବେ ମାମଲାର ପ୍ରାରମ୍ଭିକ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ଆମର ହସ୍ତକ୍ଷେପ ଅନୁଚିତ। ଉପଯୁକ୍ତ ଅଦାଲତଙ୍କୁ ଆପଣ ଜାମିନ ପାଇଁ ଆବେଦନ କରିପାରିବେ।

ସିବଲ୍‌ କହିଲେ ଯେ, ହାଇକୋର୍ଟ ପର୍ଯ୍ୟବେକ୍ଷଣ କରିସାରିଛନ୍ତି। ତେଣୁ, ତଦନ୍ତର ଆବଶ୍ୟକତା ନାହିଁ। କିନ୍ତୁ, ସଲିସିଟର୍‌ ଜେନେରାଲ୍‌ ପ୍ରତ୍ୟୁତ୍ତର ଦେଇ କହିଲେ ଯେ, ଏଭଳି କୌଣସି ପର୍ଯ୍ୟବେକ୍ଷଣ ‌ହୋଇନାହିଁ।