ରାଜ୍ୟର ଧର୍ମଘଟକାରୀ ଓକିଲଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ: ବୁଧବାରରୁ କାର୍ଯ୍ୟରେ ଯୋଗ ନଦେଲେ ଲାଇସେନ୍ସ ବାତିଲ୍, ଅଦାଲତ ଅବମାନନାର ସମ୍ମୁଖୀନ ହେବ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଆଜି (ସୋମବାର) ଓଡ଼ିଶାର ଧର୍ମଘଟକାରୀ ଓକିଲମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି ଏବଂ ଆସନ୍ତା ବୁଧବାର (୧୬ ନଭେମ୍ବର) ଠାରୁ ନିୟମିତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଓକିଲମାନେ ଏଥିରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ଅଦାଲତ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରାଯିବ ଏବଂ ସେମାନଙ୍କ ଲାଇସେନ୍‌ସ ବାର୍‌ କାଉନସିଲ୍‌ ଦ୍ୱାରା ବାତିଲ୍‌ କରାଯିବ ବୋଲି ମଧ୍ୟ ଚେତାବନୀ ଶୁଣାଇଛନ୍ତି।

‘ଆପଣମାନେ ସମସ୍ତେ ରୋଜଗାର ହରାଇବ କି ନାହିଁ ତାହା ଆମେ ଚିନ୍ତା କରୁନାହୁଁ, କିନ୍ତୁ ଜନସାଧାରଣ ଏହିପରି ଯନ୍ତ୍ରଣା ଭୋଗିବା ଉଚିତ୍‌ ନୁହେଁ’ ବୋଲି ଏହି ମାମଲାର ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ କୌଲ ଆନ୍ଦୋଳନକାରୀ ଓକିଲମାନଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓଡ଼ିଶାର ବିଭିନ୍ନ ନ୍ୟାୟାଳୟରେ ଓକିଲମାନଙ୍କ ବାରମ୍ବାର କୋର୍ଟ ବର୍ଜନ ଚଳାଇଥିବା ମାମଲାର ଶୁଣାଣି ଆଜି ସୁପ୍ରିମ କୋର୍ଟ କରିଥିଲେ। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଷ୍ଟାଣ୍ଡିଂ କାଉନ୍‌ସେଲ୍‌ ଶିବଶଙ୍କର ମିଶ୍ରଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍‌ ଆସୋସିଏସନ୍‌ ସଦସ୍ୟ କୋର୍ଟ କାର୍ଯ୍ୟରେ ଯୋଗଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଦେଇଥିବା ପ୍ରତିଶ୍ରୁତିର ଉଲ୍ଲଂଘନ କରାଯାଉଥିବା ଦର୍ଶାଇ ସୁପ୍ରିମ କୋର୍ଟରେ ୬୮ ପୃଷ୍ଠାର ଏକ ଆବେଦନ କରିଥିିଲେ।

ଗତ ୨ ତାରିଖରେ ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁୟୁ ଲଳିତଙ୍କ ଖଣ୍ଡପୀଠରେ ଷ୍ଟାଣ୍ଡିଂ କାଉନସେଲ୍‌ ମିଶ୍ର ଏହି ମାମଲା ଆଗତ କରି କୋର୍ଟଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ଉଲ୍ଲଂଘନ ନେଇ ସମ୍ବନ୍ଧିତ ବାର୍‌ ଆସୋସିଏସନ୍‌ର ସଦସ୍ୟଙ୍କ ଠାରୁ ସ୍ପଷ୍ଟୀକରଣ ତଲବ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସଙ୍ଗ ଉଲ୍ଲେଖ ସମୟରେ ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କୋର୍ଟ ସମେତ ରାଜ୍ୟର ବିଭିନ୍ନ କୋର୍ଟରେ ଆଇନଜୀବୀମାନଙ୍କ ଦ୍ଵାରା କୋର୍ଟ ବର୍ଜନ କରାଯାଉଥିବା ଅଦାଲତଙ୍କୁ ଅବଗତ କରାଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ ମାମଲାକୁ ଶୁଣାଣି ପାଇଁ ନଭେମ୍ବର ୧୪ରେ ତାଲିକାଭୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର