ଟ୍ବିଟାପ୍‌ଗ୍ରାମ୍‌ ବୁକ୍‌: ରାହୁଲଙ୍କ ପ୍ରେମରେ ପାଗଳୀ

ଏମାନଙ୍କୁ ସାର୍ଟିଫିକେଟ୍ ଦରକାର କି?

ଅରବିନ୍ଦ ଦାସ

ଅନେକ ଅବିବାହିତା ଯୁବତୀଙ୍କ ପରି ଡ. ନମ୍ରତା ଦତ୍ତା ନାମ୍ନୀ ଜଣେ ମଲିକ୍ୟୁଲାର୍ ବାୟୋଲଜିଷ୍ଟ (କେମ୍ବ୍ରିଜ୍) ତଥା ଫରେନ୍‌ସିକ ନୃତତ୍ତ୍ବବିତ୍ ରାହୁଲ ଗାନ୍ଧିଙ୍କ ପ୍ରେମରେ ପାଗଳ। ତରୁଣ ବୟସର ରାହୁଲଙ୍କ କୋଟ୍‌-ଟାଇ ପିନ୍ଧା ଏକ ସୁନ୍ଦର ପୁରୁଣା ଫଟୋ ପୋଷ୍ଟ କରି ବିଦେଶରେ ରହୁଥିବା Dr. Namrata Datta (Singa Pen), PhD@DrDatta01 ଲେଖିଛନ୍ତି, I think I am a little bit in love with @RahulGandhi. ବାସ୍। ତା’ପରେ ଆରମ୍ଭ ହୋଇଯାଇଛି ଟାହିଟାପରା, ଖୁସିକଥା.. ଏପରିକି ଚିତ୍ତ-ଚାଞ୍ଚଲ୍ୟ କଲାଭଳି କିଛି ମନ୍ତବ୍ୟ। ନିଜେ ନମ୍ରତା ମଧ୍ୟ ପ୍ରାୟ ସବୁଥିରେ ଭାଗ ନେଇ ପୂରା ମଜା ଉଠାଉଛନ୍ତି। ‘ତୁମେ ତାଙ୍କୁ ଭଲ ପାଇବା କଥା ରାହୁଲ ଜାଣନ୍ତି କି’ ପ୍ରଶ୍ନର ଉତ୍ତରରେ ନମ୍ରତା ଗୋଟିଏ ଶବ୍ଦ ‘ଜାଣିଥିବେ’ ବୋଲି ଲେଖିଥିଲେ ହେଁ ରାହୁଲଙ୍କ ସହ ତାଙ୍କର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ତେବେ ସେହି ଫଟୋଟି ସତ ନା ଫଟୋସପ୍‌ରେ ବନାଯାଇଛି ତା’ର ସିଧା ଉତ୍ତର କିନ୍ତୁ ନମ୍ରତା ଦେଇନାହାନ୍ତି।

 

ଜଣେ ନମ୍ରତାଙ୍କୁ ଚିଡ଼େଇବାକୁ ଯାଇ ପ୍ରଶ୍ନ କରିଛନ୍ତି, କାଣିଚାଏ ମାତ୍ର ଭଲ ପାଅ (little bit)? ନମ୍ରତା ଉତ୍ତରରେ କହିଛନ୍ତି, ବହୁତ ଭଲପାଏ, ହେଲେ ଇଣ୍ଟର୍‌ନେଟ୍‌କୁ ବେଶି ଗରମ କରିବା ଭଲ ନୁହେଁ। ଜଣେ ଛିଗୁଲେଇକି କହିଛନ୍ତି, ‘ଠିକ୍ ଅଛି, ଆମେ ରାହୁଲ୍‌ଙ୍କୁ ଗିଫ୍ଟ-ପ୍ୟାକ୍‌ରେ ପୂରାଇ ତମ ଜନ୍ମଦିନରେ ଉପହାର ଦେବୁ। ଘରେ ତାଙ୍କୁ ବାନ୍ଧିକି ରଖିବ। ରାହୁଲ କ’ଣ ପୂରା ଭାରତୀୟ, ସେ ତ ଭାରତ ବାହାରେ ବେଶି ସ୍ବାଭାବିକ ବୋଲି ଏକ ମନ୍ତବ୍ୟର ଉତ୍ତରରେ ନମ୍ରତା ଲେଖିଛନ୍ତି, ଠିକ୍ ମୋ ପରି, ଆମେ ଦୁହେଁ ସ୍ବର୍ଗରେ ସମାନ ଉପାଦାନରେ ଗଢ଼ା। ଜଣେ ନମ୍ରତାଙ୍କୁ ଆଶ୍ବାସନା ଦେଇ ଲେଖିଛନ୍ତି, ତମ ଟ୍ବିଟ୍‌ ଦେଖିଥିବା ୫୪ ହଜାର ଲୋକଙ୍କ ଭିତରେ ରାହୁଲ ମଧ୍ୟ ଥିବେ। ସେ ତୁମ ପ୍ରେମର ଜବାବ ପାଲଟା ପ୍ରେମରେ ନିଶ୍ଚୟ ଦେବେ। ହେଲେ ତାଙ୍କୁ ନେଇ ଏବେ ବିବାଦ ଚାଲିଛି। ୨୦୨୪ ନିର୍ବାଚନ ପରେ ଯାଇ ସେ ଫାଙ୍କା ହେବେ। ସେତେବେଳ ଯାଏ ତୁମକୁ ଅପେକ୍ଷା କରିବାକୁ ହେବ। ନମ୍ରତାଙ୍କ ପରି ଆହୁରି ଅନେକ ଝିଅ ମଧ୍ୟ ରାହୁଲଙ୍କୁ ଭଲ ପାଉଥିବା ଏହି ପୋଷ୍ଟରେ ପ୍ରକାଶ କରିଛନ୍ତି। ତେବେ ମଜାକଥା ହେଉଛି, ଏସବୁ ପ୍ରତିକ୍ରିୟା ଦେଖି ତେଣେ ମୋଦୀଙ୍କ ମନ ଖରାପ୍ ହେଉଥିବା ଜଣେ ଦର୍ଶାଇଛନ୍ତି। ମୋଦୀ ମ୍ରିୟମାଣ ଦେଖାଯାଉଥିବା ଏକ ପୁରୁଣା ଫଟୋ ପୋଷ୍ଟ କରି ଜଣେ ଲେଖିଛନ୍ତି (ମୋଦୀ କହୁଥିବା), ‘ନାଇଁ..! ଥରେ କହିଦିଅ କି ଏସବୁ ମିଛ ଥିଲା।’

ଏମାନଙ୍କୁ ସାର୍ଟିଫିକେଟ୍ ଦରକାର କି?
ସଂପ୍ରତି ଦେଶର ଏକ ଚିନ୍ତାଜନକ ରାଜନୈତିକ ଦୃଶ୍ୟାପଟ୍ଟ ହେଉଛି, ଦକ୍ଷିଣପନ୍ଥୀ ଜାତୀୟତାବାଦୀମାନେ ଗାନ୍ଧୀଙ୍କୁ ଖଳନାୟକ ଚିତ୍ରଣ କରିବାରେ ବ୍ୟସ୍ତ। ସାମାଜିକ ଗଣମାଧ୍ୟମ ଏହି ଚକ୍ରାନ୍ତର ପ୍ରମୁଖ ମାଧ୍ୟମ ପାଲଟିଛି। ଯିଏ ଯାହା ପାରିଲା, ଗାନ୍ଧୀଙ୍କ ବିରୋଧରେ ଲେଖିଲା। ଏପରିକି ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପରି ଉଚ୍ଚ ପଦବିରେ ଅଧିଷ୍ଠିତ ମନୋଜ ସିହ୍ନାଙ୍କ ପରି ପରିପକ୍ବ ରାଜନେତା ମଧ୍ୟ ଭୁଲ୍ ତଥ୍ୟ ଦେଇ ଗାନ୍ଧୀଜୀଙ୍କୁ ନୀଚା ଦେଖାଇବାରେ ଲାଗିଛନ୍ତି। ଏକ ସଭାରେ ସେ କହିଥିଲେ, ଗାନ୍ଧୀ ଆଇନରେ କୌଣସି ଡିଗ୍ରି ହାସଲ କରିନଥିଲେ। କେବଳ ସ୍କୁଲ୍‌ରେ ପାଇଥିବା ଡିପ୍ଲୋମା ବଳରେ ଆଇନ ବ୍ୟବସାୟ କରିବାକୁ ଯୋଗ୍ୟତା ହାସଲ କରିଥିଲେ। ଏପରି ଡାହା ମିଛକୁ ତଥ୍ୟପ୍ରମାଣ ସହ ଦର୍ଶାଇଦେଲେ ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ। ଇଂଲଣ୍ଡରେ ଗାନ୍ଧୀଜୀ ବାରିଷ୍ଟର ହେବାର ସାର୍ଟିଫିକେଟ୍‌ର ପ୍ରତିଲିପି, ବମ୍ବେରେ ତାଙ୍କର ଓକିଲାତି ନ ଚାଲିବାରୁ ରାଜକୋଟ୍‌ କୋର୍ଟରେ ପ୍ରାକ୍ଟିସ୍ ପାଇଁ ସେ କରିଥିବା ଆବେଦନର ପ୍ରତିଲିପି ପୋଷ୍ଟ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଜଣେ ପଦବିଧାରୀ ରାଜନେତା ଏପରି ଉଦ୍ଭଟ ଅଭିଯୋଗ ଆଣିବା ଓ ତୁଷାରଙ୍କୁ ପ୍ରମାଣ ଦେଖାଇବାକୁ ପଡ଼ିବା କଥାରେ ଦେଶର ବୁଦ୍ଧିଜୀବୀ ସାମାଜିକ ଗଣମାଧ୍ୟମରେ ଯେପରି ପ୍ରତିକ୍ରିୟା ପ୍ରକାଶ କରିବା କଥା ତାହା କରିନାହାନ୍ତି।
ଅନ୍ୟ ପକ୍ଷରେ, ମୋଦୀଙ୍କ ଉଭୟ ବିଏ ଓ ଏମ୍‌ଏ ସାର୍ଟିଫିକେଟ୍‌କୁ ନେଇ ପୂର୍ବରୁ ସୃଷ୍ଟ ବିବାଦରେ ଏବେ ଆଉ ଏକ ବିତର୍କ ଯୋଡ଼ିହୋଇଛି। ମୋଦୀଙ୍କ ଏକ ଭାଷଣର ସଂପାଦିତ ଅଂଶର ଏକ ଭିଡିଓକୁ ଟ୍ବିଟ୍‌ କରିଥିଲେ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ। ଶିକ୍ଷାନୁଷ୍ଠାନକୁ ଯାଇ ପାଠ ପଢ଼ିବା ଭାଗ୍ୟ ତାଙ୍କୁ ମ୍ୟାଟ୍ରିକ୍ ଯାଏ ଜୁଟିଥିଲା ବୋଲି ମୋଦୀ କହିଥିବା ବେଳେ ଭିଡିଓଟିକୁ ଶେଷ କରିଦିଆଯାଇଛି। ହେଲେ ତା’ ପରବର୍ତ୍ତୀ ଅଂଶରେ, ଯେଉଁଟିକୁ ପ୍ରଶାନ୍ତ କାଟିଦେଇଛନ୍ତି, ମୋଦୀ କିପରି ଦିଲ୍ଲୀ ଓ ଗୁଜରାଟ ବିଶ୍ବବିଦ୍ୟାଳୟରୁ ଘରୋଇ ଭାବେ ପରୀକ୍ଷା ଦେଇ ବିଏ ଓ ଏମ୍‌ଏ ପାସ୍ କରିଥିଲେ ତା’ର ଅବତାରଣା କରୁଥିବା ଭିଡିଓଟିକୁ କିଛି ଲୋକ ପୋଷ୍ଟ କରି ପ୍ରଶାନ୍ତଙ୍କ ଚଉଦ ପୁରୁଷ ଉଦ୍ଧାର କରିଦେଇଛନ୍ତି। ଉକ୍ତ ଭିଡିଓ ଅଂଶରେ ଅମିତ ଶାହ ମୋଦୀଙ୍କ ସାର୍ଟିଫିକେଟ୍ ଦେଖାଉଥିବା ପୁରୁଣା ଦୃଶ୍ୟ ରହିଛି। ମୋଦୀଙ୍କ ସମର୍ଥକମାନେ ବହୁ ସଂଖ୍ୟାରେ ପ୍ରଶାନ୍ତଙ୍କୁ ତିରସ୍କାର କରିଛନ୍ତି। ଏକଦା ତାଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣର ଭିଡିଓ ମଧ୍ୟ ଏକାଧିକ ଥର ପୋଷ୍ଟ ହୋଇଛି। ତେବେ ସବୁ କଥାକୁ ଗୋଳିଆ କରୁଛି ଆଉ ଏକ ପୋଷ୍ଟ। ସେତେବେଳକାର ପାସ୍ ସାର୍ଟିଫିକେଟ୍‌ କିପରି ଆଧୁନିକ ପରିପାଟୀର ହୋଇପାରିଲା? ମୋଦୀ ପିଲାଦିନେ ବାପାଙ୍କ ସହ ଏକ ଷ୍ଟେସନ୍‌ରେ ଚା ବିକୁଥିଲେ କହନ୍ତି। ତାଙ୍କର ତ ଜନ୍ମ ୧୯୪୯ରେ। କିନ୍ତୁ ୧୯୭୩ରେ ସେଇ ଷ୍ଟେସନ୍‌ ଆରମ୍ଭ ହୋଇଥିଲା। ଏହା କିପରି ସମ୍ଭବ? ଏସବୁ ଅଭିଯୋଗ ଅମୂଳକ ବୋଲି ପ୍ରମାଣ କରିବା ପାଇଁ ମୋଦୀ ସମର୍ଥକମାନେ ଠୋସ୍ ଉଦ୍ୟମ କରିଥିବା ମନେହୁଏ ନାହିଁ।

ଗାନ୍ଧୀ ଓ ମୋଦୀଙ୍କୁ ନେଇ ହୋଇଥିବା ସାର୍ଟିଫିକେଟ୍ ପ୍ରସଙ୍ଗ ଦୁଇଟିରେ ଏକ ବଡ଼ ସାମଞ୍ଜସ୍ୟ ହେଲା, ଉଭୟ ଗାନ୍ଧୀ ଓ ମୋଦୀ ସାର୍ଟିଫିକେଟ୍‌ର ମାନଦଣ୍ଡକୁ ଅତିକ୍ରମ କରିଛନ୍ତି। ତେବେ ବଡ଼ ଫରକ୍‌ଟି ହେଲା, ଗାନ୍ଧୀଙ୍କ ଜୀବଦ୍ଦଶାରେ ତ ଦୂରର କଥା, ସେ ଇଂଲଣ୍ଡରେ ଆଇନ୍‌ ସ୍ନାତକ ହେବାର ପ୍ରଥମ ଶହେବର୍ଷ ମଧ୍ୟରେ ବି ଏହି ଅଭିଯୋଗ ଆସିନଥିଲା। ହେଲେ ମୋଦୀ ଦେଶ‌ରେ କ୍ଷମତାରେ ମଙ୍ଗ ଧରିବା ଅବସ୍ଥାରେ ହିଁ ଏପରି ଏକ ଗୁରୁତର ଅଭିଯୋଗର ସାମ୍ନା କଲେ।

ସମ୍ବନ୍ଧିତ ଖବର