ଛତିଶଗଡ଼ରେ ବେକାରମାନଙ୍କୁ ମିଳିବ ମାସିକ ଅଢେଇ ହଜାର ଟଙ୍କା

ରାୟପୁର : ଛତିଶଗଡ଼ରେ ବେକାରମାନଙ୍କୁ ଏବେ ଅଢେଇ ହଜାର ଟଙ୍କା ମାସିକ ଭତ୍ତା ମିଳିବ । ରାଜ୍ୟ ବିଧାନସଭାରେ ଉପସ୍ଥାପିତ ବଜେଟରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ଆଗକୁ ରାଜ୍ୟରେ ନିର୍ବାଚନ ଥିବାରୁ ଯୁବପିଢିଙ୍କୁ ଆକଷ୍ଟ କରିବାକୁ ଏହି ଘୋଷଣା କରାଯାଇଥିବା ଅନୁମାନ କରାଯାଉଛି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଜି ଗୃହରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ୧୮ରୁ ୩୫ ବର୍ଷ ର ବେକାର ଯୁବକଯୁବତୀଙ୍କୁ  ମାସକୁ ୨୫୦୦ ଟଙ୍କା ବେକାରୀ ଭତ୍ତା ଦେବାକୁ ଘୋଷଣା କରିଥିଲେ । ତେବେ ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ଅଢ଼େଇ ଲକ୍ଷରୁ କମ୍ ସେମାନଙ୍କୁ ଏହି ଭତ୍ତା ମିଳିବ । ସେହିପରି ଅଙ୍ଗନବାଡି ସହାୟିକାଙ୍କ ଭତ୍ତା ୩୫୫୦ରୁ ୫ ହଜାରକୁ ବୃଦ୍ଧି କରାଯାଇଛି ।

ବଜେଟରେ ରାୟପୁରସ୍ଥିତ ଡାକ୍ତର ବିଆର ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ୭୦୦ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ପାଇଁ ୮୫ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି । ରାଜ୍ୟର ଦୁର୍ଗମ ଅଂଚଳରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ସ୍ଥାପନ ପାଇଁ ବଜେଟରେ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଛତିଶଗଡ ସମେତ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଚଳିତ ବର୍ଷ ଶେଷଭାଗରେ ବିଧାନସଭା ନିର୍ବାଚନ ହେବ ।

ସମ୍ବନ୍ଧିତ ଖବର