ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧର କଳାବାଦଲ; ଆମେରିକୀୟ ନାଗରିକଙ୍କୁ ଅବିଳମ୍ବେ ଇରାକ୍‌ ଛାଡ଼ିବାକୁ ପରାମର୍ଶ ଦେଲା ଆମେରିକା

ବାଗଦାଦ୍ : ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ଶୁକ୍ରବାର ଇରାନ୍‌ର କୁଦସ୍‌ ଫୋର୍ସର ମୁଖ୍ୟ ଜେନେରାଲ କାଶିମ୍‌ ସୁଲେମାନିଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ରକରି ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ଏହି ଘଟଣାର ପ୍ରତିଶୋଧ ନିଆଯିବ ବୋଲି ଘୋଷଣା କରାଯିବା ପରେ ଆମେରିକା ଶଙ୍କାଗ୍ରସ୍ତ ହୋଇପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଗ୍‌ଦାଦ୍‌ରେ ଥିବା ଆମେରିକୀୟ ଦୂତାବାସ ଓ ଇରାକ୍‌ରେ ରହୁଥିବା ସମସ୍ତ ଆମେରିକୀୟ ନାଗରିକଙ୍କୁ ଅବିଳମ୍ବେ ଇରାକ୍‌ ଛାଡ଼ି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ଆସିବାକୁ ନିର୍ଦ୍ଦେଶନାମା ଜାରି କରିଛି।

Metro

ବାଗ୍‌ଦାଦ୍‌ରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ଏକ ‘ଆଡ୍‌ଭାଇଜାରି’ରେ କୁହାଯାଇଛି ଯେ ସାଂପ୍ରତିକ ଘଟଣାବଳି ପରିପ୍ରେକ୍ଷୀରେ ଆମେରିକା ସହ ତିକ୍ତ ହୋଇପଡ଼ିଛି।  ଆମେରିକୀୟମାନେ ବର୍ତ୍ତମାନ ପାଇଁ ଇରାକ୍‌ରେ ସୁରକ୍ଷିତ ନ ଥିବା ଆମେରିକୀୟ ପ୍ରଶାସନ ହୃଦବୋଧ କରୁଛି। ତେଣୁ, ଇରାକ୍‌ରେ ରହୁଥିବା ସମସ୍ତ ଆମେରିକୀୟ ନାଗରିକଙ୍କୁ ଅବିଳମ୍ବେ ଇରାକ୍‌ ଛାଡ଼ି ବିମାନ ଯୋଗେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ଆସନ୍ତୁ ବୋଲି ଏଥିରେ ପରାମର୍ଶ ଦିଆଯାଇଛି।  ନଚେତ୍‌ ଅନ୍ୟ କୌଣସି ରାଷ୍ଟ୍ରକୁ ପଳାଇଯିବା ପାଇଁ ପରାମର୍ଶ ଦେଇଛି ବାଗ୍‌ଦାଦ୍‌ ସ୍ଥିତ ଆମେରିକୀୟ ଦୂତାବାସ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଯୁକ୍ତରାଷ୍ଟ୍ର ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନର କୁଦ୍‌ସ୍‌ ଫୋର୍ସର ମୁଖ୍ୟ ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ମୃତ୍ୟୁ ଘଟିବା ପରେ ‘ଭୟବହ ପ୍ରତିଶୋଧ’ ନେବାକୁ ଇରାନ୍‌ ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଅଲି ଖାମିନି ଶପଥ ନେଇଛନ୍ତି। ଇରାନର ଏହି ଘୋଷଣା ପରେ ଉପସାଗରୀୟ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବ ବୋଲି ଆଶଙ୍କା କରାଯାଉଛି। ଖାମିନି ଆମେରିକାର ନାମ ନ ନେଇ ସୁଲେମାନିଙ୍କ ହତ୍ୟାକାରୀଙ୍କ ବିରୋଧରେ ଜିହାଦ ଜାରି ରହିବ ବୋଲି ଘୋଷଣା କରିଛନ୍ତି।

Hindustan Times

ଖାମିନି ଟୁଇଟ୍‌ କରି କହିଛନ୍ତି, ସୁଲେମାନି ସହିଦ ହୋଇଛନ୍ତି। ତାଙ୍କ ମୃତ୍ୟୁ ନିମନ୍ତେ ତିନି ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ସେ ଚାଲି ଯାଇଥିଲେ ବି ତାଙ୍କ କାର୍ଯ୍ୟ ଓ ଧାରା ବନ୍ଦ ହେବ ନାହିଁ। ତାଙ୍କର ଏବଂ ଅନ୍ୟ ସହିଦମାନଙ୍କର ରକ୍ତରେ ନିଜର ହାତକୁ ରକ୍ତରଞ୍ଜିତ କରିଥିବା ଅପରାଧୀମାନଙ୍କ ଉପରେ ଭୟାନକ ପ୍ରତିଶୋଧ ନିଆଯିବ। ଦ୍ୱିଗୁଣତ ବେଗରେ ଜିହାଦ ଚାଲିବ। ସମସ୍ତ ଶତ୍ରୁ ଏହା ଜାଣି ରଖିବା ଉଚିତ। ଏହି ପବିତ୍ର ଯୁଦ୍ଧରେ ଲଢୁଆମାନଙ୍କର ନିଶ୍ଚୟ ବିଜୟ ହେବ।

Hindustan Times

ଅନ୍ୟପକ୍ଷରେ ବିଦେଶରେ ଥିବା ଆମେରିକୀୟମାନଙ୍କ ସୁରକ୍ଷା ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ‘ଇରାନ୍‌ ରିଭୋଲ୍ୟୁସ୍‌ନାରି ଗାର୍ଡସ୍‌’ କମାଣ୍ଡର୍‌ କାଶିମ୍‌ ସୁଲେମାନିଙ୍କୁ ହତ୍ୟା କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଆଦେଶ ଦେଇଥିଲେ ବୋଲି ଆମେରିକୀୟ ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ କହିଛି। ଇରାକ୍‌ ଏବଂ ଉପସାଗରୀୟ  ଅଞ୍ଚଳରେ ଥିବା ଆମେରିକୀୟ କୁଟନୀତିଜ୍ଞ ଏବଂ ସରକାରୀ-ବେସରକାରୀ ଚାକିରି କରିଥିବା କର୍ମଚାରୀମାନଙ୍କୁ ଆକ୍ରମଣ କରିବାକୁ ଜେନେରାଲ୍‌ ସୁଲେମାନି ଷଡ଼ଯନ୍ତ୍ର କରିଥିଲେ। ଶହ ଶହ ଆମେରିକୀୟ ଏବଂ ମିଳିତ ସେବା ସଦସ୍ୟମାନଙ୍କ ମୃତ୍ୟୁ  ଲାଗି ଜେନେରାଲ୍‌ ସୁଲେମାନି ଏବଂ ତାଙ୍କ ‘କୁଦ୍‌ସ୍‌ ଫୋର୍ସ’ ଦାୟୀ। ତେଣୁ ଆମେରିକା ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଥିବା ସ୍ପଷ୍ଟ କରିଛି ପେଣ୍ଟାଗନ୍।

ସମ୍ବନ୍ଧିତ ଖବର