ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା: ଆଉ ଜଣେ ତୃଣମୂଳ କର୍ମୀ ନିହତ

ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଲା

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ବି ନିର୍ବାଚନୀ ହିଂସା ବନ୍ଦ ହୋଇନାହିଁ। ଶନିବାର ରାତିରେ ମାଲଦାରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି। ଫଳରେ ନିର୍ବାଚନୀ ହିଂସାରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। ମୃତକ ଜଣକ ହେଉଛନ୍ତି ମାତିଉର ରହମାନ। ଶନିବାର ସେ ଭୋଟ ଦେବାକୁ ଆସିଥିବା ବେଳେ ରାତିରେ କିଛିଲୋକ ତାଙ୍କୁ ଘେରିଯାଇ ଛୁରି ଭୁଷି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପାଇଁ ତୃଣମୂଳ କଂଗ୍ରେସ ବିରୋଧୀ କଂଗ୍ରେସକୁ ଦାୟୀ କରିଛି।

ଏହି ସମୟରେ ହୋଇଥିବା ସଂଘର୍ଷରେ ୬ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ପୁଲିସ ଏହା ଉପରେ ତଦନ୍ତ କରୁଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ଉତ୍ତେଜନା ଜାରି ରହିଛି। ଭୋଟ୍‌ ଗ୍ରହଣ ପରେ ମଧ୍ୟ କଂଗ୍ରେସ ଓ ଟିଏମ୍‌ସି ସମର୍ଥକମାନେ ୫୦ରୁ ଅଧିକ ଗ୍ରାମରେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଶନିବାର ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଅନେକ ଜାଗାରେ ହିଂସାକାଣ୍ଡ ଘଟିଛି। ଅନେକ ଲୋକ ଭୋଟବାକ୍ସ ଭଙ୍ଗାରୁଜା କରିବା ସହ କେତେକ ଗାଁରେ ବିରୋଧୀଙ୍କ ଘର ଉପରକୁ ବୋମା ପକାଇଥିଲେ। ଏହାକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି କେତେକ ବୁଥ୍‌ରେ ପୁନଃନିର୍ବାଚନ ପାଇଁ ଦାବି କରିଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ମଧ୍ୟ ବିଜେପି ଦାବି କରିଛି।

ସମ୍ବନ୍ଧିତ ଖବର