ସୁଖୀ କରାଉଛି ‘ସୁଖବିଜ୍ଞାନ’ ପାଠ୍ୟକ୍ରମ

ଇଂଲାଣ୍ଡ୍‌ର ବ୍ରିଷ୍ଟଲ ବିଶ୍ବବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଏକ ଅଭିନବ ପାଠ୍ୟକ୍ରମ ଏବେ ଚର୍ଚ୍ଚାର ବିଷୟ ହୋଇଛି। ‘ସୁଖବିଜ୍ଞାନ’ ନାମକ ଏହି ପାଠ୍ୟକ୍ରମ ବିଦ୍ୟାର୍ଥୀମାନଙ୍କୁ ସୁଖୀ ହେବାର ଶିକ୍ଷା ଦେଉଛି। ତତ୍କାଳ ସୁଖଲାଭ ପାଇଁ ଏଠାରେ କି ବ୍ୟବସ୍ଥା ରହିଛି ବୋଲି ଜାଣିବାକୁ ସମସ୍ତେ ଉତ୍ସୁକ।
ବାସ୍ତବରେ ଏହି ପାଠ୍ୟକ୍ରମରେ ଜୀବନକୁ ପରିବର୍ତ୍ତନ କଲା ଭଳି କିଛି ନୂତନ ପଦ୍ଧତି କି ଆବିଷ୍କାର ନାହିଁ। ପୂର୍ବରୁ ସମସ୍ତେ ଜାଣିଥିବା ଏବଂ ବହୁଳ ଆଲୋଚିତ ହୋଇ ଆସୁଥିବା ପ୍ରକ୍ରିୟାଗୁଡ଼ିକ ହିଁ ଏହି ପାଠ୍ୟକ୍ରମର ଭିତ୍ତିଭୂମି। ସେଗୁଡ଼ିକ ମଧ୍ୟରେ ସାମାଜିକ ସଂଯୋଗ, ମନଯୋଗିତା, କୃତଜ୍ଞତା ଜ୍ଞାପନ, ଦୟାଶୀଳତା, ପ୍ରକୃତି କୋଳରେ ପରିଭ୍ରମଣ, ସୁଖନିଦ୍ରା, ସୀମିତ ସାମାଜିକ ଗଣମାଧ୍ୟମ ବ୍ୟବହାର ଆଦି ବିଷୟଗୁଡ଼ିକ ଉପରେ ଗୁରୁତ୍ବାରୋପ କରାଯାଉଛି।
ସୂଚନାଯୋଗ୍ୟ, ଏପରି ୮୦ରୁ ଅଧିକ ମନସ୍ତାତ୍ତ୍ବିକ ହସ୍ତକ୍ଷେପ ରହିଛି ଯାହା ଆମ ସୁଖକୁ ଅଳ୍ପ ବହୁତ ଉନ୍ନତ କରାଇବାରେ ସହାୟକ ହୋଇଥାଏ।

‘ସୁଖବିଜ୍ଞାନ’ ପାଠ୍ୟକ୍ରମ ବିଦ୍ୟାର୍ଥୀମାନଙ୍କୁ ସୁଖୀ ହେବାର ଶିକ୍ଷା ଦେଉଛି। ଏଥିରେ ରହିଛି ସାମାଜିକ ସମ୍ପର୍କ, କୃତଜ୍ଞତା, ପ୍ରକୃତିରେ ଭ୍ରମଣ, ସୀମିତ ସାମାଜିକ ଗଣମାଧ୍ୟମ ବ୍ୟବହାର ଆଦି ବିଷୟ

ସ୍ଥଳବିଶେଷରେ ଆମ ପାଇଁ କେଉଁ ଉପାଦାନଟି କାମ କରୁଛି, ତାହା ଜାଣିଗଲେ ଆଉ ସୁଖଲାଭ କରିବାର ସ୍ବତନ୍ତ୍ର ଉପାୟ ଖୋଜିବା ଦରକାର ପଡ଼ିବନି। ଏକ ଅନୁଧ୍ୟାନ ଅନୁଯାୟୀ, ବିଶେଷ କରି ଆମେରିକା ଓ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଅଧିକ ମାତ୍ରାରେ ଦୁଃଖୀ ରହୁଥିବା ଜଣାଯାଇଛି। ତାହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରୁ ଏଭଳି ପାଠ୍ୟକ୍ରମର ପରିକଳ୍ପନା କରାଯାଇଥିଲା ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ପାଠ୍ୟକ୍ରମରେ ଆଶାୟୀ ବିଦ୍ୟାର୍ଥୀମାନଙ୍କୁ ସକାରାତ୍ମକ ମନୋବିଜ୍ଞାନ ଉପରେ ଶିକ୍ଷାଦାନ କରାଯାଇଥାଏ ଏବଂ ସେମାନଙ୍କୁ ତାହା ଅଭ୍ୟାସ କରିବା ପାଇଁ ମଧ୍ୟ ସୁଯୋଗ ଦିଆଯାଇଥାଏ। ଏହି ପାଠ୍ୟକ୍ରମ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବା ସହ ପ୍ରତିବର୍ଷ ୧୦ରୁ ୧୫ ପ୍ରତିଶତ ଅଧିକ ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଉଛନ୍ତି।

ସମ୍ବନ୍ଧିତ ଖବର