କିଟ୍‌ରେ ୨ ଦିନିଆ ଓଡ଼ିଆ କବି ସମ୍ମିଳନୀ: କବିତା ହୃଦୟରୁ ଫୁଟେ; ପାଣ୍ଡିଆନ୍‌

ଚନ୍ଦ୍ରଶେଖରପୁର: ଯିଏ ଯେଉଁସ୍ତରରେ କାମ କରୁ, କର୍ମକ୍ଷେତ୍ରରେ ସମସ୍ତେ ଜଣେ ଜଣେ କବି। ସମସ୍ତଙ୍କ ଭିତରେ କବିତା ସୃଷ୍ଟି କରିବାର କ୍ଷମତା ରହିଛି। କବିତା ହୃଦୟର ଭାଷା ଓ ହୃଦୟରୁ ଫୁଟେ। ଆଜି କିଟ୍‌ରେ ଉଦ୍‌ଘାଟିତ ୨ ଦିନିଆ ଓଡ଼ିଆ କବି ସମ୍ମିଳନୀର ଏକ ସ୍ୱତନ୍ତ୍ର ଅଧିବେଶନରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି। ମସ୍ତିଷ୍କ ବ୍ୟବହାର କରି ମଣିଷ ଅନେକ କିଛି କାମ କରିପାରୁଛି, କିନ୍ତୁ କବିତା କେବଳ ହୃଦୟରୁ ପରିପ୍ରକାଶ ହୋଇଥାଏ ବୋଲି ସେ କହିଥିଲେ। ଏହି ଅବସରରେ ସେ ସ୍ୱରଚିତ ଓଡ଼ିଆ କବିତା ପାଠ କରିଥିଲେ।

ଜନତା ମଇଦାନରେ ଚାଲିଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଜି କିଟ୍‌ରେ ଏହି କବି ସମ୍ମିଳନୀ ଆୟୋଜନ କରାଯାଇଛି। ସ୍ୱାଗତ ଭାଷଣ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କହିଲେ ଯେ ଭାଷା ହିଁ ଆମ ଅତୀତ ଓ ଭବିଷ୍ୟତ। ଭାଷା ଯେତିକି ସମୃଦ୍ଧ ହେବ, ଆମ ଭବିଷ୍ୟତ ସେତିକି ସୁଦୃଢ଼ ହେବ। ପୂର୍ବାହ୍ନରେ ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ ଓଡ଼ିଆ ଭାଷା ସମ୍ମିଳନୀ ଯୁବଗୋଷ୍ଠୀଙ୍କୁ ଓଡ଼ିଆ ଭାଷାର ବିକାଶ ଦିଗରେ ପ୍ରେରଣା ଯୋଗାଇବ। ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର କହିଲେ ଓଡ଼ିଆ ଭାଷା ଅନ୍ୟାନ୍ୟ ଭାଷାଠାରୁ ଆଗରେ ରହିଆସିଛି। କବି ରମାକାନ୍ତ ରଥ କହିଲେ ଯେ ବିଲୁପ୍ତ ହେବାକୁ ବସିଥିବା ଓଡ଼ିଆ ଗ୍ରନ୍ଥାବଳୀ ଓ ରଚନାବଳୀକୁ ପୁନଃମୁଦ୍ରଣ କରିବା ଜରୁରି। ଅନୁବାଦ ସାହିତ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ କବି ଦେବଦାସ ଛୋଟରାୟ କହିଥିଲେ। କବିମାନେ ସବୁବେଳେ ସ୍ପଷ୍ଟବାଦୀ ଏବଂ ନିରବତା ହେଉଛି ସବୁଠାରୁ ବଡ଼ ଭାଷା ବୋଲି କବି ଡ. ପ୍ରସନ୍ନ ପାଟ୍ଟଶାଣୀ ମତବ୍ୟକ୍ତ କରିଥିଲେ। କବି ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କ ଅଭିଭାଷଣରେ ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। କବି ଶ୍ରୀନିବାସ ଉଦ୍‍ଗାତା ସ୍ୱରଚିତ କବିତା ପାଠ କରିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର