‘ଭାରତ ରଙ୍ଗ ମହୋତ୍ସବ’

ତାଜ୍‌ ମହଲର ଟେଣ୍ଡର ମାମଲା

ଭୁବନେଶ୍ବର: କାମ୍‌ କୈସା ଚଲ୍‌ ରହା ହୈ…? କାମ୍‌ ବିଲ୍‌କୁଲ୍‌ ତର୍‌କି ମେ ଚଲ୍‌ ରାହା ହୈ…। ସମ୍ରାଟ ଶାହ ଜାହାନଙ୍କ ପ୍ରଶ୍ନରେ ପ୍ରତିଥର ଏଭଳି ଉତ୍ତର ରଖନ୍ତି ପୂର୍ତ୍ତବିଭାର ମୁଖ୍ୟଯନ୍ତ୍ରୀ ଗୁପ୍ତାଜୀ। ଆଉ ଶାହ ଜାହାନଙ୍କ ଭଣ୍ଡାର ଘର ଖାଲି କରିବାରେ ଲାଗି ପଡ଼ନ୍ତି। ସ୍ବର୍ଗତଃ ପତ୍ନୀ ମମତାଜ୍‌ଙ୍କ ସ୍ମୃତିରେ ଏକ ସ୍ମାରକୀ ‘ତାଜ ମହଲ’ ନିର୍ମାଣ କରିବାର ଅଭିଳାଷ ଶାହ ଜାହାନଙ୍କୁ ବିବ୍ରତ କରୁଥାଏ। ଅନ୍ୟପଟେ ତାଜ ମହଲ ନିର୍ମାଣ କରିବାକୁ କହି ଗୁପ୍ତାଜୀଙ୍କ ଭଳି ଜଣେ ଚତୁର ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ନିଜ ସ୍ବାର୍ଥକୁ ଚରିତାର୍ଥ କରେ। ସମ୍ରାଟଙ୍କୁ ନାନା ଶକ୍ତିହୀନ ଅମଲାତନ୍ତ୍ର ଫାଶରେ ଛନ୍ଦି ସୃଷ୍ଟି କରେ ଅନେକ ହାସ୍ୟାସ୍ପଦ ପରିସ୍ଥିତି। ବର୍ଷ ପରେ ବର୍ଷ ଗଡ଼ି ଚାଲେ, ହେଲେ ତାଜ ମହଲ ନିର୍ମାଣ ଦୂରେ ଥାଉ ଟେଣ୍ଡର ହୋଇ ପାରେନାହିଁ। ଏମିତିକି ତାଜ ମହଲର ଟେଣ୍ଡର ନୋଟିସ ପ୍ରସ୍ତୁତ ହେବାକୁ ହିଁ ଲାଗିଯାଏ ଦୀର୍ଘ ୨୫ ବର୍ଷ। ସେତେବେଳେକୁ ଶାହ ଜାହାନଙ୍କର ଦେହାନ୍ତ ହୋଇଯାଏ। ଏହି ଲୋକପ୍ରିୟ ବ୍ୟଙ୍ଗ ନାଟକ ‘ତାଜ୍ ମହଲ କା ଟେଣ୍ଡର’ରେ ଅମଲାତାନ୍ତ୍ରିକ ବ୍ୟବସ୍ଥାର ନିଚ୍ଛକ ସତକୁ ସାମ୍ନାକୁ ଅଣାଯାଇଛି। ଯଦି ବର୍ତ୍ତମାନ ତାଜ ମହଲ ନିର୍ମାଣ କରାଯାଇଥାନ୍ତା ତେବେ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ନେତା କିଭଳି ଖଟ ଖାଇ ଖଟୁଲି ଖାଇବାର ବ୍ୟବସ୍ଥା‌ କରିଥାନ୍ତେ ତାହା ହେଉଛି ଏହି ନାଟକର ମୂଳ କଥା।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ୍ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି) ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଆଜିଠାରୁ ଆରମ୍ଭ ହେଇଥିବା ‘ଭାରତ ରଙ୍ଗ ମହୋତ୍ସବ’ର ପ୍ରଥମ ସନ୍ଧ୍ୟାରେ ମଞ୍ଚସ୍ଥ ଏହି ନାଟକ ଦର୍ଶକଙ୍କୁ ଅଭିଭୂତ କରିଛି। ଅଜୟ ଶୁକ୍ଳାଙ୍କ ରଚିତ ଓ ଚିତ୍ତରଂଜନ ତ୍ରିପାଠୀଙ୍କ ସଂଗୀତ ସଂଯୋଜନା, ନିର୍ଦ୍ଦେଶନା ଓ ସାଜସଜାରେ ନିର୍ମିତ ହିନ୍ଦୀ ନାଟକ ‘ତାଜ୍ ମହଲ କା ଟେଣ୍ଡର’ରେ ପ୍ରାୟ ୩୦ ଜଣ ଦକ୍ଷ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ୨ ଘଣ୍ଟା ଧରି ବାନ୍ଧି ରଖିଥିଲା। ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭା‌ଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସମ୍ମାନିତ ଅତିଥି ‘କା‌ଦମ୍ବିନୀ ଓ କୁନିକଥା’ର ସମ୍ପାଦିକା ଇତି ସାମନ୍ତ, ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପା‌ଠୀ, କଣ୍ଠଶିଳ୍ପୀ ସୁବାସ ଦାସ, ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇଥିଲେ। ଏନଏସ୍‌ଡି ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ ଅତିଥିଙ୍କୁ ସ୍ବାଗତ କରିବାଥିବା ବେଳେ ଅଭିନେତା ସମରେଶ ରାଉତରାୟ ଧନ୍ୟବାଦ ଦେଇଥିଲେ। ଆସନ୍ତାକାଲି (ଶୁକ୍ରବାର) ହିନ୍ଦୀ ନାଟକ ‘ଅଗ୍ନି ଔର ବର୍ଖା’ ମଞ୍ଚସ୍ଥ ହେବ।

ସମ୍ବନ୍ଧିତ ଖବର