ଭୁବନେଶ୍ୱର ଡାଏରି: ଅନନ୍ତ ବନାମ ୱି ଫର୍‌ ଭୁବନେଶ୍ବର

ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଶାସକ ଦଳର ଆଭ୍ୟନ୍ତରୀଣ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବିଧାୟକ ଅନନ୍ତଙ୍କୁ ମୁକାବିଲା ପାଇଁ ବହୁ ପୂର୍ବତନ କର୍ପୋରେଟର୍‌ ମେଳି କରିଛନ୍ତି। ବିଏମ୍‌ସି ନିର୍ବାଚନରେ ଏହିମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଟିକେଟ୍‌ ଅନନ୍ତ କାଟିଥିଲେ ବୋଲି ଚର୍ଚ୍ଚା ହୁଏ। ଏହି ପୂର୍ବତନମାନଙ୍କ ମେଳି ଆଉ ଲୁଚାଛପା ନାହିଁ, ଖୋଲାଖୋଲି ଚାଲିଛି। ବିଧାୟକଙ୍କୁ ବିରୋଧ କରିବାକୁ ବଜ୍ର ଶପଥ ନେଇଥିଲେ ବି ଦଳବିରୋଧୀ କାମ ଖୋଲାଖୋଲି କରୁନାହାନ୍ତି। ‘ୱି ଫର୍‌ ଭୁବନେଶ୍ବର’ ନାମରେ ଏମାନେ ଏକ ସାମାଜିକ ସଂଗଠନ ଗଢ଼ିଛନ୍ତି। ଏ ଯାଏ କେବଳ ସାମାଜିକ କାର୍ଯ୍ୟରେ ସେମାନେ ସୀମିତ ରହୁଛନ୍ତି। ଅବଶ୍ୟ ମଧ୍ୟ ନିର୍ବାଚନମଣ୍ଡଳୀର ବର୍ତ୍ତମାନର କର୍ପୋରେଟର୍‌ମାନେ ଏହି ମେଳିରୁ ନିରାପଦ ଦୂରତାରେ ରହୁଛନ୍ତି। ସେମାନେ ବିଧାୟକଙ୍କ ସହ ବାଟ ଚାଲୁଥିବା ଦେଖିବାକୁ ମିଳୁଛି। କେବଳ ଅନନ୍ତଙ୍କ ବିରୋଧୀ ଭାବେ ଜଣାଶୁଣା କର୍ପୋରେଟର୍‌ ଅମରେଶ ଜେନା ଏହି ଗୋଷ୍ଠୀ ସହ ହାତ ମିଳାଇଛନ୍ତି। ଏପ‌ଟେ ବିଧାୟକ ଅନନ୍ତ ବି ଦୁର୍ବଳ ନୁହନ୍ତି କି ଛାଡ଼ିବାର ଲୋକ ନୁହନ୍ତି। ବିଜେଡିର କୋର୍‌ ଗ୍ରୁପ୍‌ ସହିତ ତାଙ୍କ ସମ୍ପର୍କ ସର୍ବଜନବିଦିତ। ୨୦୧୯ରେ ଶେଷ ମୂହୁର୍ତ୍ତରେ କେମିତି ଟିକେଟ୍‌ ନେଲେ, ତାହା କେହି ଭୁଲିନାହାନ୍ତି। ପୁଣି ବିଏମ୍‌ସି ନିର୍ବାଚନରେ ଟିକେଟ୍‌ ବାଣ୍ଟିଲା ବେଳେ ଦଳର ପ୍ରଭାବଶାଳୀ ନେତାଙ୍କ ସୁପାରିସ୍‌କୁ ବି ସେ ଆଡ଼ ଆଖିରେ ଚାହିଁ ନଥିଲେ। ଦୁଇ ଥର ମେୟର, ଥରେ ବିଧାୟକ ହୋଇଥିବା ଅନନ୍ତ ବିରୋଧୀଙ୍କୁ ଡାକି ଆପୋସ ବୁଝାମଣା ସପକ୍ଷରେ ନାହାନ୍ତି। ତେଣୁ ୨୦୨୪ ବେଳକୁ ଅନନ୍ତଙ୍କ ବାଟ ଓଗାଳିବାକୁ ‘ୱି ଫର୍ ଭୁବନେଶ୍ବର’(ବାସ୍ତବରେ ‘ୱି ଏଗ୍‌ନେଷ୍ଟ୍‌ ଏମ୍‌ଏଲ୍ଏ’) କେତେ ସକ୍ଷମ ହେଉଛି, ତାହାକୁ ଅପେକ୍ଷା।

ଧରାପଡ଼ୁନି ଚନ୍ଦନ ଚୋର
ରାଜଭବନ। ରାଜ୍ୟର ପ୍ରଥମ ନାଗିରକଙ୍କ ବାସଭବନ। ରାଜଧାନୀର ଅନ୍ୟତମ ଅଭେଦ୍ୟ ଦୁର୍ଗ। ୨୪ ଘଣ୍ଟା କଡ଼ା ସୁରକ୍ଷା ବଳୟରେ। ପୁଣି ସିସିଟିଭି ଚାରିଆଡ଼େ ଖଞ୍ଜାଯାଇଛି। ଏତେ ସବୁ ସତ୍ତ୍ବେ ତା’ ଭିତରୁ ଚନ୍ଦନ ଗଛ କିଏ କାଟି ନେଇଗଲା। ନା ସିସିଟିଭି କଏଦ୍ କରିପାରିଲା ନା ସୁରକ୍ଷା କର୍ମୀ ଦେଖିପାରିଲେ। ୬ ମାସ ତଳେ ଚୋରି ହେଲା। ରାଜଭବନରୁ ଏତଲା ଦିଆଗଲା। କିନ୍ତୁ ପୁଲିସ୍‌ ଏ ଯାଏ ଟେର୍‌ ପାଉନି। ସେତେବେଳେ ପୁଲିସ୍‌ କହିଲା, ସବୁ ଆଡ଼ୁ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ଚୋର ଧରାପଡ଼ିବେ। କିନ୍ତୁ ଆଶ୍ଚର୍ଯ୍ୟ କଥା ୬ ମାସ ହେଲା ଚୋରକୁ ପୁଲିସ୍‌ ଠାବ କରିପାରୁ ନାହିଁ। ରାଜ୍ୟର ପ୍ରଥମ ନାଗରିକଙ୍କ ବଗିଚାରୁ ଚୋରି କରି ବି ଚୋର ଆରାମରେ ଖସିଯାଉଛି, ତେବେ ରାଜଧାନୀର ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ? ନିରାପତ୍ତା ବଳୟ ଭେଦ କରି ଗଛକୁ କାଟି ବୋହି ନେଇଯିବା ପରି ତାକତ୍‌ ରଖୁଥିବା ଚୋରକୁ ଚିହ୍ନିବା ପାଇଁ ସହରବାସୀ ଚାତକ ପରି ଚାହିଛନ୍ତି। କିନ୍ତୁ ନା ଘଟଣାରୁ ପରଦା ଉଠୁଛି ନା ଚୋର ଧରାପଡ଼ୁଛି। କେବଳ ପଦାକୁ ଆସୁଛି କମିସନରେଟ୍‌ ପୁଲିସ୍‌ର ପାରିବାପଣିଆ।

ଡାକିକି ଭାଣ୍ଡିଆ କରୁଛ
ଏଇ ନିକଟରେ ଡୁମୁଡୁମାରେ ମହିଳା ଭେଣ୍ଡିଂ ଜୋନ୍‌ ଉଦ୍‌ଘାଟନ ହେଲା। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାକୁ ଗଲେ। ଏଥର ଗଣମାଧ୍ୟମ ଉପରେ ପ୍ରଶାସନର ଶୁଭଦୃଷ୍ଟି ପଡ଼ିଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଫଟୋ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ମାନେ ଠିକ୍ ସମୟରେ ପହଞ୍ଚିଲେ। ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ବି ନିର୍ଦ୍ଧାରଣ କରାଯାଇଥିଲା। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେହି ସୀମା ଭିତରେ ରହିବାକୁ କୁହାଗଲା। ସମସ୍ତେ ତାହାକୁ ମାନିଲେ। କିନ୍ତୁ ୮/୧୦ ଜଣ ଫଟୋଗ୍ରାଫର୍ ବେଧଡ଼କ ଭାବେ ମୁଖ୍ୟମନ୍ତ୍ରୀଙ୍କ ଆଖପାଖରେ ବୁଲୁଥିଲେ। ବୁଝୁ ବୁଝୁ ଜଣାପଡ଼ିଲା ଯେ ସେମାନେ ହେଲେ ସରକାରୀ କିମ୍ବା ସରକାରୀ ଲୋକଙ୍କ ଫଟୋଗ୍ରାଫର୍‌। ମାନେ ଆଜିକାଲି ସୂଚନା ଓ ଲୋକସମ୍ପର୍କ ବିଭାଗ ବାଦ୍ ବିଭିନ୍ନ ବିଭାଗ, ମନ୍ତ୍ରୀ, ସଚିବମାନେ ଜଣେ ଜଣେ ଫଟୋଗ୍ରାଫର୍‌ଙ୍କୁ ନିୟୋଜିତ କରୁଛନ୍ତି। ସେହିମାନଙ୍କୁ ସାତ ଖୁଣ୍‌ ମାଫ୍‌। ସେମାନେ ସେଦିନ ଏମିତି ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ଫଟୋ ଉଠାଉଥିଲେ ଗଣମାଧ୍ୟମ ପ୍ରତିନିଧିମାନେ ଠିକ୍ ଭାବେ ଫଟୋ ଉଠାଇ ପାରିନଥିଲେ। ଏହା ବାଦ୍ କିଛି କର୍ପୋରେଟର୍‌ ଓ ଦଳୀୟ ନେତା ବି ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯଦି ଗଣମାଧ୍ୟମ ପାଇଁ ଲକ୍ଷ୍ମଣରେଖା ଥିଲା, ତେବେ ଅନ୍ୟମାନଙ୍କୁ ଏତେ ଖୋଲା ଛାଡ଼ିଦିଆଯାଇଥିଲା କିପରି? ଗଣମାଧ୍ୟମକୁ ଡାକିକି ଭାଣ୍ଡିଆ କାହିଁକି କରାଯାଉଛି, ତାହା ବୁଝାପଡ଼ୁନି। ସତରେ ଏମିତି କରିବାକୁ କିଛି ନିର୍ଦ୍ଦେଶ ଅଛି ନା ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀମାନେ ନିଜ ଆଡ଼ୁ ଅଧିକ ଉତ୍ସାହିତ ହୋଇପଡ଼ୁଛନ୍ତି। ଯେମିତି ରମାଦେବୀ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ବାରଣ ନେଇ ବିଶ୍ବବିଦ୍ୟାଳୟ କୁଳପତି କହିଥିଲେ ଯେ ଉପରୁ ନିର୍ଦ୍ଦେଶ ଅଛି। କିନ୍ତୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିଧାନସଭାରେ କହିଲେ ଯେ ସରକାର ଏମିତି କିଛି ନିଷ୍ପତ୍ତି ନେଇ ନଥିଲେ। ତେଣୁ କିଏ ସତ, କିଏ ମିଛ ତାହା ରହସ୍ୟାବୃତ ହୋଇ ରହିଗଲା।

ଅମିତାଭ

ସମ୍ବନ୍ଧିତ ଖବର