ଅଗ୍ରିମ ୧୦ କୋଟିର ହିସାବ ଦେଇପାରୁନି ବିଏମ୍‌ସି: କେହି ଦେଖୁନାହାନ୍ତି ଯାନ୍ତ୍ରିକ ସଫେଇ ବ୍ୟବସ୍ଥା

ମନିଟରିଂ କମିଟି ବୈଠକ ବସୁନି

ଭୁବନେଶ୍ୱର: ଯାନ୍ତ୍ରିକ ସଫେଇ କରୁଥିବା ଦୁଇଟି ସଂସ୍ଥାକୁ ବିଏମ୍‌ସି ୧୦ କୋଟି ଟଙ୍କା ଅଗ୍ରିମ ‌ଦେଇଛି। କିନ୍ତୁ ଅଡିଟ୍‌କୁ ହିସାବ ଦେଇପାରୁନି। ତିନିବର୍ଷ ବିତି ଯାଇଥିଲେ ମଧ୍ୟ ବିଏମ୍‌ସି ଏହି ଅଡ଼ୁଆ ଭିତରୁ ବାହାରିପାରୁନି। ପରବର୍ତ୍ତୀ ଅଡିଟ୍‌ରେ ଏହି ହିସାବ ଦେବା ପାଇଁ ବିଏମ୍‌ସି ଅଡିଟ୍‌କୁ କହିଆସୁଛି। ହେଲେ ବାଟ ବାହାର କରିପାରୁନି। ବଡ଼କଥା ହେଉଛି, ସରକାରଙ୍କ ଅନୁମତି ନଥାଇ ଏହି ମୋଟା ଅଙ୍କର ଅଗ୍ରିମ ପ୍ରଦାନ କରିଛି ବିଏମ୍‌ସି। କେବଳ ଅଡିଟ୍‌ ଏହି ଅଗ୍ରିମ କାରବାରକୁ ଧରି ନାହାନ୍ତି, ମେକାନିକାଲ୍‌ ସୁଇପିଂରେ ଥିବା ଯାବତୀୟ କେଳେଙ୍କାରୀ ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖ କରିଛନ୍ତି। କାମ ତଦାରଖ କରିବା ପାଇଁ ତିଆରି ହୋଇଥିବା କମିଟି ସ୍ଥାଣୁ ପାଲଟି ଯାଇ ଠିକା ସଂସ୍ଥାଙ୍କ ଇଙ୍ଗିତରେ କାମ କରୁଛି।

ରାଜପଥରେ ଯାନ୍ତ୍ରିକ ସଫେଇ ପାଇଁ ବିଏମ୍‌ସି ପ୍ରୋ ପାୱାର ସୁଇପିଂ କମ୍ପାନି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଲାୟନ୍ସ ସର୍ଭିସେସ୍‌ ଲିମିଟେଡ୍‌ ସହ ୨୦୧୮ ସେପ୍ଟେମ୍ବର ୨୪ ତାରିଖରେ ଚୁକ୍ତିନାମା କରିଥିଲା। ପ୍ୟାକେଜ୍‌-୨ରେ ଥିବା ରାସ୍ତାକୁ ମେସିନ୍‌ ଦ୍ବାରା ସଫା କରିବା ପାଇଁ ଏଥିରେ ଚୁକ୍ତି ରହିଥିଲା। ଠିକ୍‌ ସେହିଭଳି ୨୦୧୮ ମସିହା ଫେବ୍ରୁଆରି ୨୬ ତାରିଖ ଦିନ ଜାଗୃତି ୱେଲ୍‌ଫେୟାର ଅର୍ଗାନାଇଜେସନ୍‌ ସହ ଚୁକ୍ତି ହୋଇଥିଲା। ପ୍ୟାକେଜ୍‌-୨ରେ ରହିଥିବା ରାସ୍ତା ସଫା କରିବାକୁ ଏହି ସଂସ୍ଥା ଦାୟିତ୍ବ ନେଇଥିଲା। ଏହି ସବୁ ସଂସ୍ଥାମାନଙ୍କର କାମ ତଦାରଖ କରିବା ପାଇଁ ବିଏମ୍‌ସି ଏକ ପ୍ରୋଜେକ୍ଟ ମନିଟରିଂ କମିଟି ଗଠନ କରିଥିଲା। ଏଥିରେ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କ ସମେତ ବିଏମ୍‌ସିର ଅଧିକାରୀ ରହିଥିଲେ। ଉଦ୍ଦେଶ୍ୟ ଥିଲା ଚୁକ୍ତି ଅନୁସାରେ ସଫାକାର୍ଯ୍ୟ ହେଉଛି କି ନାହିଁ, କମିଟି ଯାଞ୍ଚ କରିବ। ଚୁକ୍ତି ମୁତାବକ ହୋଇଛି ବୋଲି ନିଶ୍ଚିତ କରିବା ପରେ ହିଁ ସମ୍ପୃକ୍ତ ସଂସ୍ଥାକୁ ପେମେଣ୍ଟ ଦିଆଯିବାକୁ ଯୋଜନା ଥିଲା।

ଏଥିପାଇଁ କମିଟିର ପ୍ରତି ୧୫ ଦିନରେ ଥରେ ବୈଠକ ବସିବ। ଏଥିରେ ସମ୍ପୃକ୍ତ ସଂସ୍ଥାର କାମର ସମୀକ୍ଷା ହେବ। ମାସକରେ ଥରେ ବୈଠକ ବସିବ ଓ ଏଥିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କିମ୍ବା କୌଣସି ସମସ୍ୟା ଥିଲେ ତାହାର ସମାଧାନ କରାଯିବ। ସମ୍ପୃକ୍ତ ସଂସ୍ଥା ପୈଠ କରିଥିବା ବିଲ୍‌ର ତର୍ଜମା କରାଯିବ। ଯଦି ସମ୍ପୃକ୍ତ ସଂସ୍ଥା ସନ୍ତୋଷଜନକ କାମ କରିନଥାଏ, ତେବେ ଧାର୍ଯ୍ୟ ଦେୟରୁ କମ୍‌ ପ୍ରଦାନ କରିବାକୁ କମିଟି ସୁପାରିସ କରିପାରିବ। ରାସ୍ତାର ଓସାର ଅନୁସାରେ ସଫା ହୋଇଛି କି ନାହିଁ ତାହାର ମଧ୍ୟ ମାପ କରାଯିବ। କେତେ କିଲୋମିଟର ସଫା କଲା ତାହାର ଜିପିଏସ୍‌ ଜରିଆରେ ମାପ କରାଯିବ। ଖାଲି ମେସିନ୍‌ ବୁଲିଲେ ବି ଜିପିଏସ୍‌ରେ କିଲୋମିଟର ଦେଖାଇବା ସମ୍ଭାବନା ଥିବାରୁ କମିଟି ସଦସ୍ୟ ଘଟଣାସ୍ଥଳକୁ ଯାଇ ସଫା ହୋଇଛି କି ନାହିଁ ଯାଞ୍ଚ କରିବେ। ସେହିଭଳି ସମ୍ପୃକ୍ତ ସଂସ୍ଥା ମଧ୍ୟ ମାସ ଆରମ୍ଭରେ ଏକ ରିପୋର୍ଟ ଦାଖଲ କରିବ। ବିଲ୍‌ ସହ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ ବିବରଣୀ, ଜିପିଏସ୍‌ ମ୍ୟାପ୍‌ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ବିଏମ୍‌ସିରେ ଉପସ୍ଥାପନ କରିବ। ଦାୟିତ୍ବରେ ଥିବା ଅଧିକାରୀ ଏହାକୁ ଯାଞ୍ଚ କରିବା ପରେ କମିଟିକୁ ଯିବ। ଏହା ପରେ ଯାଇ ଦେୟ ପୈଠ ପାଇଁ ପ୍ରକ୍ରିୟା ଆରମ୍ଭ ହେବା କଥା। କିନ୍ତୁ ପ୍ରକୃତରେ ଏ ସବୁ କିଛି ହୋଇନଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା।

ଯାଞ୍ଚ ବେଳେ ଆହୁରି ଜଣାପଡ଼ିଥିଲା, ସଂସ୍ଥାମାନଙ୍କ ସହ ବିଏମ୍‌ସି ଚୁକ୍ତି କରିଦେଇ କାମ ସିନା ଆରମ୍ଭ କରିଦେଇଥିଲା, ହେଲେ ଏମାନଙ୍କୁ ମୋଟା ଅଙ୍କର ଦେୟ ପୈଠ କରିବା ପାଇଁ ଯେଉଁ ସରକାରୀସ୍ତରରେ ପ୍ରଶାସନିକ ସ୍ବୀକୃତି ଦରକାର ଥିଲା, ତାହ‌ା ବିଏମ୍‌ସି ପାଖରେ ନଥିଲା। ଏଣୁ ଦେୟ ବାକି ପଡ଼ିଥିଲା। ସଂସ୍ଥାମାନେ ବାରମ୍ବାର ବିଏମ୍‌ସିକୁ ଚିଠି ଲେଖିବା ପରେ ବିଏମ୍‌ସି ପ୍ରୋ ପାୱାର ସୁଇପିଂ କମ୍ପାନି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଜାଗୃତି ୱେଲ୍‌ଫେୟାର ଅର୍ଗାନାଇଜେସନ୍‌କୁ ୫ କୋଟି ଲେଖାଏଁ ୧୦ କୋଟି ପ୍ରଦାନ କରିଥିଲା। କିନ୍ତୁ ଏଥିପାଇଁ ନା ବିଲ୍‌ ଥିଲା, ନା ଅଧିକାରୀଙ୍କ ପ୍ରମାଣପତ୍ର ଥିଲା, ନା ଗାଡ଼ିର ଲଗ୍‌ ବୁକ୍‌ ଥିଲା। ଏଭଳି ବିଏମ୍‌ସି କରିପାରିବ ନାହିଁ ବୋଲି ଅଡିଟ୍‌ ପ୍ରଶ୍ନ ଉଠାଇବା ସହ ସମ୍ପୃକ୍ତ ଖର୍ଚ୍ଚକୁ ବେଆଇନ ବୋଲି କହିଥିଲେ। ତେ‌ବେ କେବଳ ଏହି ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ନୁହେଁ, ବିଭିନ୍ନ ପ୍ରସଙ୍ଗରେ ବିଏମ୍‌ସି ଏଭଳି ବେଆଇନ ଭାବରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଥିବା ପ୍ରମାଣ ରହିଛି।

ସମ୍ବନ୍ଧିତ ଖବର