କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତର ପତ୍ତା ପାଉନି ପୁଲିସ

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ରାଜା ମଧୁସୂଦନ ଦେଓ ଡିଗ୍ରି କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ଘଟଣାକୁ ୭୨ ଘଣ୍ଟା ବିତି ସାରିଲାଣି। ହାତୁଡ଼ି ପାହାର ଯୋଗୁଁ ମୁଣ୍ଡ‌‌ରେ ଗଭୀର ଆଘାତ ଲାଗିଥିବା ଅଧ୍ୟକ୍ଷ ଶ୍ରୀ ରାଉତଙ୍କୁ କିମସ୍ ହସ୍ପିଟାଲ୍‌ରେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଏବେ ସେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। କିନ୍ତୁ ଇନ୍‌ଫୋସିଟି ଥାନା ପୁଲିସ ଅଭିଯୁକ୍ତ ଛାତ୍ର ସୋମନାଥ ସୂତାରର ପତ୍ତା ପାଇନାହିଁ। ପୁଲିସର ବିଳମ୍ବ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତ ସୋମନାଥ ‌ଫେରାର୍ ହେବାରେ ସକ୍ଷମ ହୋଇପାରିଛି ବୋଲି କଲେଜର ଛାତ୍ରମାନେ ଅଭିଯୋଗ କରିଛନ୍ତି। ସେହିଭଳି ଜଣେ ଶିକ୍ଷକଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ଏତେସମୟ ପୁଲିସ ହାତରେ ଧରା ପଡ଼ୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାନୁସାରେ, ଯାଜପୁର ଅଞ୍ଚଳର ସୋମନାଥ ନିଜ ପରିବାର ସହ ରଙ୍ଗମାଟିଆ ଗ୍ରାମରେ ଭଡ଼ାରେ ରହୁଥିଲା। ସେ ପଟିଆ କଲେଜରେ ପଢ଼ୁଥିଲା। ପଢ଼ିବା ବେଳେ ବି ସେ କଲେଜରେ ଅଶାନ୍ତ ପରିବେଶ ସୃଷ୍ଟି କରୁଥିଲା। ଗତବର୍ଷ କଲେଜରେ ପରୀକ୍ଷା ଚାଲିଥିବା ବେଳେ ସେ କପି କରୁଥିବା ଅବସ୍ଥାରେ ଧରାପଡ଼ିଥିଲା। କପି ଧରିଥିବା ସ୍କ୍ବାଡ୍‌କୁ ସେ ଧମକ ଦେବାରୁ ତା’ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଫଳରେ ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନଥିଲା। ଏଥିପାଇଁ ସୋମନାଥ କଲେଜ ଅଧ୍ୟକ୍ଷ ଶ୍ରୀ ରାଉତଙ୍କୁ ଦାୟୀ କରି ତାଙ୍କ ଉପରେ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲା ଓ ଆକ୍ରମଣ କରିବା ପାଇଁ ସୁଯୋଗ ଖୋଜୁଥିଲା। ମଙ୍ଗଳବାର ଦିନ କଲେଜରେ ଅଧ୍ୟକ୍ଷ ଶ୍ରୀ ରାଉତ ଏକୁଟିଆ ପାଇ ସେ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା। ଏକ ହାତୁଡ଼ିରେ ତାଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲା। ଫଳରେ ସେ ସେହିଠାରେ ହିଁ ସଂଜ୍ଞାହୀନ ହୋଇ ଟଳି ପଡ଼ିଥିଲେ।

ସମ୍ବନ୍ଧିତ ଖବର