ଅନୁଦାନ ଟଙ୍କାକୁ ନେଇ ବିବାଦ: ୫ ଦିନ ହେଲା ମନ୍ଦିରରେ ତାଲା

ନୀତିକାନ୍ତି ବନ୍ଦ, ଉପବାସରେ ଠାକୁର

ଜଟଣୀ: ଉନ୍ନତୀକରଣ ପାଇଁ ଆସିଥିବା ୬ ଲକ୍ଷ ଟଙ୍କାକୁ କେନ୍ଦ୍ର କରି ଜଟଣୀ ବାଛରାପାଟଣାର ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ବିବାଦ ଦେଖାଦେଇଛି। ମନ୍ଦିର ଦାୟିତ୍ୱରେ ଥିବା ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ମହିଳା ସଂଘ ମଧ୍ୟରେ ବିଦାଦ ଉଗ୍ରରୂପ ନେବାରୁ ୫ଦିନ ହେଲା ମନ୍ଦିରର ତାଲା ଖୋଲାଯାଉ ନାହିଁ। ଫଳରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି ଓ ଠାକୁର ଉପବାସରେ ରହିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ଗୋଟିଏ ଗୋଷ୍ଠୀର ଲୋକଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ୧୭ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନାନୁସାରେ, ୧୯୮୪ ମସିହାରେ ଗ୍ରାମବାସୀଙ୍କ ଦ୍ବାରା ଗୋଟିଏ ଛୋଟ ଜଗନ୍ନାଥ ନିର୍ମାଣ କରାଯାଇଥିଲା। ଧୀରେ ଧୀରେ ଏହି ମନ୍ଦିରର ଉନ୍ନତୀକରଣ କରାଯାଇ ବଡ଼ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଗ୍ରାମବାସୀମାନେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଅନୁସାରେ ପରିଚାଳନା କରିଆସୁଛନ୍ତି। କିନ୍ତୁ କିଛି ମାସ ପୂର୍ବରୁ ଜଣେ ବ୍ୟକ୍ତି ଜୋରଜବରଦସ୍ତ ମନ୍ଦିର ଦାୟିତ୍ୱ ନିଜ ଅକ୍ତିଆରକୁ ନେଇଥିଲେ। ଟ୍ରଷ୍ଟର ନିଷ୍ପତ୍ତି ଅନୁସାରେ ମନ୍ଦିର ନିର୍ମାଣ ହେବାଠାରୁ ପ୍ରତିବର୍ଷ ଏଠାରେ ବାର୍ଷିକ ଉତ୍ସବ ଓ ହୋମଯଜ୍ଞ ହୋଇ ଆସୁଛି। ଗତ ଜାନୁଆରି ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବାର୍ଷିକ ଉତ୍ସବ ଓ ହୋମଯଜ୍ଞ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପୁଣି ବିବାଦ ପରେ ସମସ୍ୟା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସାହିର ବାସିନ୍ଦାମାନେ ରାତିରେ ଥାନା ଆଗରେ ଧାରଣା ଦେଇଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିବା ସହ ପରଦିନ ଏକ ବୈଠକ ଡକାଇଥିଲା। ଉଭୟ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବ ଓ ହୋମଯଜ୍ଞ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୫-ଟି ଅଧୀନରେ ମନ୍ଦିରର ଉନ୍ନତୀକରଣ ପାଇଁ ଆସିଥିବା ୬ଲକ୍ଷ ଟଙ୍କାକୁ କେନ୍ଦ୍ର କରି ଉଭୟ ସଂଘ ଓ ଟ୍ରଷ୍ଟ ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା।

ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୌରାଧ୍ୟକ୍ଷ ଓ ତହସିଲଦାରଙ୍କ ଉପସ୍ଥିତିରେ ସଂଘର ସଦସ୍ୟମାନେ ଏକାଠି ହୋଇ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଥିଲା। ଫେବ୍ରୁଆରି ୬ ତାରିଖ ଦିନ ବୈଠକ ଚାଲିଥିବା ବେଳେ କେତେକ ଅସାମାଜିକ ଲୋକ ଆସି ସେମାନଙ୍କୁ ଗାଳିଗୁଲଜ କରି ଧମକଚମକ ଦେବା ସହ ମନ୍ଦିର ତାଲା ଖୋଲିବାକୁ ନିର୍ଦ୍ଦେଶ ଦେଇ ପଳାଇଥିଲେ। ପରଦିନ ଅର୍ଥାତ୍ ଗତକାଲି ସକାଳେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଘେରିଯାଇ ଆକ୍ରମଣ କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଘଟଣାକୁ ରାଜନୈତିକ ମୋଡ଼ ନଦେଇ ବିବାଦ ସମାଧାନ କରି ତୁରନ୍ତ ମନ୍ଦିର ତାଲା ଖୋଲିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର