ଡଷ୍ଟବିନ୍‌ ନ ରଖିଲେ ସିଲ୍‌ ହେବ ଦୋକାନ

ଭୁବନେଶ୍ବର: ସ୍ମାର୍ଟ ଜନପଥରେ ଥିବା କିଓସ୍କଗୁଡ଼ିକ ଏଥର ଦୁଇଟି ଡଷ୍ଟବିନ୍‌ ରଖିବେ। ଗୋଟିଏରେ ଓଦା ଓ ଗୋଟିଏରେ ଶୁଖିଲା ଆବର୍ଜନା ସଂଗ୍ରହ କରିବେ। ଏଭଳି ନ କଲେ ମାଲିକଙ୍କ ଠାରୁ ମୋଟା ଅଙ୍କର ଜରିମାନା ସଂଗ୍ରହ କରାଯିବା ସହ କିଓସ୍କ ସିଲ୍‌ କରି ଦିଆଯିବ ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଚେତାଇ ଦେଇଛି। ଏ ନେଇ ଆଜି ସମସ୍ତ ଦୋକାନୀଙ୍କୁ ନୋଟିସ୍‌ କରାଯାଇଛି। କେବଳ ଡଷ୍ଟବିନ୍‌ ନୁହେଁ, କିଓସ୍କ ସୀମା ବାହାରେ ସାମଗ୍ରୀ ଗଦା କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ବିଏସ୍‌ସିଏଲ୍‌ ଏବେ ସ୍ମାର୍ଟ ଜନପଥ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଲାଗିପଡ଼ିଛି। ସ୍ବତନ୍ତ୍ର ଦଳ ସହ ଖୋଦ୍‌ ସିଇଓ ସଞ୍ଜୟ ସିଂହ ଲଗାତାର ଚଢ଼ଉ କରୁଛନ୍ତି। ଆବର୍ଜନା ଏଣେ ତେଣେ ପଡ଼ିବା ସହ ଦୋକାନୀ ଦୋକାନ ଆଗରେ ପସରା ମେଲାଉଛନ୍ତି।

ବେଆଇନ ଭାବରେ ଦୋକାନ ଆଗରେ ଗାଡ଼ି ପାର୍କିଂ ହେବା ସହ ସନ୍ଧ୍ୟା ହେଲେ ଖଟି ଜମୁଛି। ବିଶେଷକରି ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା ବହି ବଜାରରେ ଦୋକାନ ଠାରୁ ଅନେକ ଦୂର ପର୍ଯ୍ୟନ୍ତ ପସରା ମେଲିବା ସହ ବେଆଇନ ପାର୍କିଂ ହେଉଥିବା ଅଭିଯୋଗ ହୋଇଛି। ସେହିଭଳି ବାପୁଜୀନଗରରେ ମଧ୍ୟ ବଡ଼ ବଡ଼ ବ୍ୟବସାୟୀ ଜନପଥରେ ପସରାର ମେଲାଇବା ସହ ପାର୍କିଂ କରୁଛନ୍ତି। ପବ୍ଲିକ୍‌ ପ୍ଲାଜାକୁ ମଧ୍ୟ ବ୍ୟବସାୟୀ ଛାଡ଼ୁ ନାହାନ୍ତି। ପସରା ମେଲାଇବା ସହ ପାର୍କିଂ କରୁଛନ୍ତି। ଚଢ଼ଉ ହେବା ପରେ ପରେ ପୁଣି ପୂର୍ବାବସ୍ଥାକୁ ଫେରିଆସୁଛି। ସେହିଭଳି ରାଜମହଲରେ ଏକାଧିକ ଫଳ ଦୋକାନୀ ରାସ୍ତା ପର୍ଯ୍ୟନ୍ତ ପସରା ମେଲାଉଛନ୍ତି। ଗ୍ରାହକ ଗାଡ଼ି ପାର୍କିଂ କରି ଫଳ କିଣିବା ବେଳେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଡଷ୍ଟବିନ୍‌ ରଖୁନଥିବାରୁ ଜନପଥ ଆବର୍ଜନା ମୟ ହୋଇପଡ଼ୁଛି। ଏସବୁ ଅଭିଯୋଗକୁ ଆଧାର କରି ବିଏସ୍‌ସିଏଲ୍‌ ବ୍ୟାପକ ଚଢ଼ଉ କରିବ‌େ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର