ଆଜିଠାରୁ ପୁରୁଷ ବିଶ୍ବକପ୍‌ ହକି ଟୁର୍ଣ୍ଣାମେଣ୍ଟ, ଜମିବ ମାହୋଲ୍‌

କମିସନରେଟ୍‌ ପୁଲିସ୍‌ର ପ୍ରସ୍ତୁତି, ଆତିଥେୟତା ଓ ସୁରକ୍ଷାକୁ ପ୍ରାଧାନ୍ୟ

ଭୁବନେଶ୍ବର : ବାରବାଟୀରେ ରୋମାଞ୍ଚଭରା ଉଦ୍‌ଘାଟନ ସରିଛି। ଆଜି(ଶୁବକ୍ରବାର)ଠାରୁ ଆରମ୍ଭ ହେବ ପୁରୁଷ ବିଶ୍ବକପ୍‌ ହକି ଟୁର୍ଣ୍ଣାମେଣ୍ଟ। ଉଭୟ ଭୁବନେଶ୍ବର ଓ ରାଉରକେଲା‌ରେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ‌‌ରେ ପହଞ୍ଚିଛି। ଖେଳାଳିଙ୍କଠାରୁ ଆରମ୍ଭ କରି ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁରକ୍ଷାକୁ ରାଜ୍ୟ ସରକାର ସବୁଠୁ ଅଧିକ ପ୍ରାଧାନ୍ୟ ଦେଇଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହାସହ ଲୋକଙ୍କୁ ଉତ୍ତମ ବ୍ୟବହାର ଓ ଉଚ୍ଚମାନର ଆତିଥେୟତା ପ୍ରଦାନ ଉପରେ ପୁଲିସ ଗୁରୁତ୍ବାରୋପ କରିଛି। ଗୁରୁବାର ଦିନ ପୁଲିସ୍‌ କମିସନର୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ସମୀକ୍ଷା କରିବା ସହ ଡିସିପି ପ୍ରତୀକ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି।

ଷ୍ଟାଡିୟମ୍‌ର ଫୁଟ୍‌ବଲ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ, ଆଡିସନାଲ୍‌ ସିପି ଉମାଶଙ୍କର ଦାସ, ଟ୍ରାଫିକ୍‌ ଡିସିପି ଠାକୁର ପାତ୍ର ପ୍ରମୁଖ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନକୁ ନେଇ ବିଶଦ୍‌ ସୂଚନା ପ୍ରଦାନ କରିଛନ୍ତି। ପୁଲିସ କମିସନର୍‌ ଶ୍ରୀ ପ୍ରିୟଦର୍ଶୀ କହିଥିଲେ ଯେ ଶୁକ୍ରବାର ଭୁବନେଶ୍ୱରରେ ଦୁଇଟି ମ୍ୟାଚ୍‌ ଅଛି। ଭୁବନେଶ୍ବରର ୯ଟି ହୋଟେଲ୍‌ରେ ଖେଳାଳି ରହିଛନ୍ତି। ଟିମ୍‌ ପଡ଼ିଆକୁ ଆସିବାଠାରୁ ଆରମ୍ଭ କରି ଫେରିବା, ଦର୍ଶନୀୟ ସ୍ଥାନ ବୁଲିବାକୁ ଯିବା ଆଦି ପାଇଁ ଆବଶ୍ୟକ ପୁଲିସ ବ୍ୟବସ୍ଥା ହୋଇଛି। ସେହିପରି ଲୋକେ ଯେପରି ସୁରୁଖୁରୁରେ ମ୍ୟାଚ୍‌ ଦେଖି ଘରକୁ ଫେରିବେ, ସେଥିପାଇଁ ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ‘ଡଟ୍‌ ଫେଷ୍ଟ’, ଏକାମ୍ର ହାଟରେ ଖୋଲିବାକୁ ଥିବା ନାଇଟ୍‌-ବଜାର, ସ୍ବତନ୍ତ୍ର ଖାଦ୍ୟ ଷ୍ଟଲ୍‌‌ରେ ଲୋକଙ୍କ ଭିଡ଼ ଜମିବ। ଏ ଦିଗରେ ମଧ୍ୟ ପୁଲିସ ସଜାଗ ରହିବ। ସେହିପରି ରାତିରେ ବ୍ଲକିଂ, ଚେକିଂ ମଧ୍ୟ ଜାରି ରହିବ। ଏହାବ୍ୟତୀତ, ପର୍ଯ୍ୟଟନସ୍ଥଳୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ପାଣି ବୋତଲ, ଖାଦ୍ୟକୁ ନା
ମ୍ୟାଚ୍‌ ସମୟରେ ପାୱାର ବ୍ୟାଙ୍କ୍‌, ଲାଇଟର୍‌, ସେଲ୍‌ଫି ଷ୍ଟିକ୍‌, ପାଣି ବୋତଲ ଛତା, କ୍ୟାମେରା, ଧାରୁଆ ଅସ୍ତ୍ର, ଖାଦ୍ୟ ସାମଗ୍ରୀ, ହେଲ୍‌ମେଟ୍‌ ଓ କଏନ୍‌ ନେବାକୁ ବାରଣ କରାଯାଇଛି। ଖାଦ୍ୟ ଓ ପାନୀୟ ଆବଶ୍ୟକ ହେଲେ ପ୍ରତ୍ୟେକ ଗ୍ୟାଲେରିରେ ବ୍ୟବସ୍ଥା ରହିଛି। ଦର୍ଶକ ସେଠାରେ କିଣି ଖାଇପାରିବେ। ଏଥିସହ ଓଲି ଲ୍ୟାଣ୍ଡରେ ମଧ୍ୟ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଛି।

୮୦ ପ୍ଲାଟୁନ୍‌ ଫୋର୍ସ ଓ ୪୦୦ରୁ ଊର୍ଦ୍ଧ୍ବ ଅଧିକାରୀ ମୁତୟନ
ଡିସିପି ପ୍ରତୀକ ସିଂ କହିଥିଲେ, ରାଜଧାନୀରେ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ୭୫ରୁ ୮୦ ପ୍ଲାଟୁନ୍‌ ଫୋର୍ସ ଓ ୪୦୦ ପୁଲିସ ଅଧିକାରୀ ନିୟୋଜିତ ହେବେ। ଡିସିପିଙ୍କ ନେତୃତ୍ୱରେ ୧୩ଜଣ ଅତିରିକ୍ତ ଡିସିପି, ୩୩ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବ୍‌-ଇନ୍ସ‌ପେକ୍ଟର୍‌ ଏସବୁର ଦାୟିତ୍ବରେ ରହିବେ। ଖେଳାଳିଙ୍କ ପାଇଁ ବିମାନବନ୍ଦରରେ ଜଣେ ଅତିରିକ୍ତ ଡିସିପି, ଦୁଇଜଣ ଏସିପି, ୪ଜଣ ଇନ୍ସପେକ୍ଟର ଓ ୧୦୩ ପୁଲିସ କର୍ମଚାରୀ ନିୟୋଜିତ ହେବେ। ୩ଜଣ ଅତିରିକ୍ତ ଡିସିପି, ୯ଏସିପି, ୯ ଇନ୍ସପେକ୍ଟର ଓ ସମୁଦାୟ ୧୮ ପ୍ଲାଟୁନ ଫୋର୍ସ ହୋଟେଲ ଦାୟିତ୍ୱରେ ରହିବେ। କଳିଙ୍ଗ ଷ୍ଟାଡିୟମ୍‌ରେ ୬ ଅତିରିକ୍ତ ଡିସିପି, ୧୪ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ଏହାସହ ଓଡ୍ରାଫ, ଅଗ୍ନିଶମ୍‌ ଟିମ୍‌ ମଧ୍ୟ ଦିନରାତି ସଜାଗ ରହିବ। ସେହିଭଳି ଟ୍ରାଫିକ୍‌ ଦାୟିତ୍ବରେ ୩ ଏସିପି, ୬ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଗତଥର ହକି ବିଶ୍ବକପ୍‌ ସମୟରେ ଉନ୍ନତ ପରିଚାଳନା ପାଇଁ କମିସନରେଟ୍‌ ପୁଲିସ୍‌ ଅନେକ ପ୍ରଶଂସା ସାଉଁଟିଥିଲା। ଏଥର ତାହାକୁ ଦ୍ବିଗୁଣିତ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ତେଣୁ ଆଇନଶୃଙ୍ଖଳା, ସୁରକ୍ଷା, ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯିବ। ଡଟ୍ ଫେଷ୍ଟ ପାଇଁ ମଧ୍ୟ ପୁଲିସ ବ୍ୟବସ୍ଥା ଓ ଅଲଗା ପାର୍କିଂ ବ୍ୟବସ୍ଥା କରାଯାଇଛି। ନାଇଟ୍‌ ବଜାର ପାଇଁ ମଧ୍ୟ କମିସନରେଟ ପୁଲିସ ପକ୍ଷରୁ ଭଲ ବ୍ୟବସ୍ଥା କରାଯାଇଛି।

ପ୍ରଶିକ୍ଷଣରେ ତାଗିଦ୍‌; ବ୍ୟବହାର ବିଶ୍ବସ୍ତରୀୟ କର
ବଡ଼ ବଡ଼ କାର୍ଯ୍ୟକ୍ରମରେ, ସାଧାରଣତଃ ବିଭିନ୍ନ କଥାକୁ କେନ୍ଦ୍ର କରି ପୁଲିସ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥାଏ। ପୁଲିସ୍‌ର ନାଲି ଆଖି ସାଧାଣର ଲୋକକୁ ମର୍ମାହତ କରିବାର ଅନେକ ଉଦାହରଣ ରହିଛି। କିନ୍ତୁ ଏଥର ହକି ବିଶ୍ବକପ୍‌ ସମୟରେ, ଲୋକେ ଯେପରି ସେଭଳି ତିକ୍ତ ଅନୁଭୂତିର ସମ୍ମୁଖୀନ ନ ହେବେ, ସେଥିପାଇଁ ପୁଲିସ ବାବୁମାନଙ୍କୁ କମିସନର୍‌ ଶ୍ରୀ ପ୍ରିୟଦର୍ଶୀ ତାଗିଦ୍‌ କରିଛନ୍ତି। ଆଜି ପ୍ରଶିକ୍ଷଣ ସମୟରେ କମିସନର୍‌ ଶ୍ରୀ ପ୍ରିୟଦର୍ଶୀ କହିଥିଲେ ଯେ ଆମେ ବିଶ୍ବସ୍ତରୀୟ ହକି ବିଶ୍ବକପ୍‌ର ଆୟୋଜନ କରୁଛେ। ତେଣୁ ପୁଲିସ୍‌ର ବ୍ୟବହାର ବି ବିଶ୍ବସ୍ତରୀୟ ହେବା ଆବଶ୍ୟକ। ଯଥାସମ୍ଭବ ସାଧାରଣ ଲୋକଙ୍କୁ ସମ୍ମାନ ଦେଖାଇବାକୁ ସେ ପରାମର୍ଶ ଦେଇଥିଲେ। ସାଧାରଣ ଲୋକଙ୍କୁ ବି ବନ୍ଧୁ ଭଳି ସହାୟତା ଯୋଗାଇ ଦେବାକୁ ସେ କହିଥିଲେ।

‘ଓଲିସ୍‌ ଲ୍ୟାଣ୍ଡ’ବୁଲିଲେ ମୁଖ୍ୟମନ୍ତ୍ରୀ

ଇନ୍‌ଫରମେସନ୍‌ ଡିଜିଟାଲ୍‌ ବୁକ୍‌ଲେଟ୍‌ ଲୋକାର୍ପିତ
ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ ପାଇଁ ‘ଇନ୍‌ଫରମେସନ୍‌ ଡିଜିଟାଲ୍‌ ବୁକ୍‌ଲେଟ୍‌’କୁ ‌ଲୋକାର୍ପଣ କରାଯାଇଛି। ଏହି ବୁକ୍‌ଲେଟ୍‌ରେ କେମିତି ମ୍ୟାଚ୍‌ ପାଇଁ ଟିକେଟ୍‌ କରିବେ, କେଉଁ ଦିନ କେଉଁ ମ୍ୟାଚ୍‌ ଅଛି, ଷ୍ଟାଡିୟମ୍‌କୁ କ’ଣ ନେବେ ଓ କ’ଣ ନେବେ ନାହିଁ, କେମିତି ଓ କେଉଁ ସ୍ଥାନରେ ପାର୍କିଂ କରିବେ, କେଉଁଠି ଖାଇବା ଓ ପିଇବାର ବ୍ୟବସ୍ଥା ରହିଛି, କଳିଙ୍ଗ ଷ୍ଟାଡିୟମ୍‌ର ସମ୍ପୂର୍ଣ୍ଣ ମ୍ୟାପ୍‌ ରହିଛି। ଏ ସମସ୍ତ ସୁବିଧା ପାଇଁ ୭୩୭୭୭୭୦୦୭୦ ଏକ ହ୍ବାଟ୍‌ସ୍‌-ଆପ୍ ନମ୍ବର ଜାରି କରାଯାଇଛି। ଜଣେ ହ୍ବାଟସ୍‌ଆପ୍‌ କରି ସମସ୍ତ ସୂଚନା ପାଇ ପାରିବେ। ଜରୁରୀକାଳୀନ ସେବା ପାଇଁ ୧୧୨, ଟ୍ରାଫିକ୍‌ ହେଲ୍‌ପ୍‌ ଲାଇନ୍‌ ପାଇଁ ୮୨୮୦୩୩୮୩୦୫ ଏବଂ ଅନ୍ୟ ସହାୟତା ପାଇଁ ଡିସିପି ଟ୍ରାଫିକ୍‌ ଟୁଇଟର୍‌ ଆକାଉଣ୍ଟରେ ଅଭିଯୋଗ କରିପାରିବେ। ଏଥିସହ ଡଟ୍‌ ଫେଷ୍ଟ ସମ୍ପର୍କିତ ସମସ୍ତ ସୂଚନା ରହିଛି।

‘ଇନ୍‌ ଖାକି ଫର୍‌ ହକି’ ବ୍ୟାଜ୍‌
ଏଥର ଟିକେ ନିଆରା ଢ଼ଙ୍ଗରେ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କୁ ଦେଖିବାକୁ ମିଳିବ। ଅଧିକାଂଶ ପୁଲିସ ସାଦା ପୋଷାକରେ ନିୟୋଜିତ ହେବେ ଓ କିଛି ଅଧିକାରୀ ଖାକି ପିନ୍ଧିବେ। କିନ୍ତୁ ସମସ୍ତେ ‘ଇନ୍‌ ଖାକି ଫର୍‌ ହକି’ ବ୍ୟାଜ୍‌ ପିନ୍ଧିବେ।

କଣ୍ଟ୍ରୋଲ୍‌ ରୁମ୍‌ରୁ ନଜର ରଖିବ ପୁଲିସ
ହକି ଖେଳ ସମୟରେ ଅମାନିଆଙ୍କ ଉପରେ କଡ଼ା ନଜର ରଖାଯିବ। ଡିସିପିଙ୍କ କାର୍ଯ୍ୟାଳୟ ସମେତ ହକି ପାଇଁ ଥିବା ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ରୁ ଅମାନିଆ ଗାଡ଼ି ଚାଳକ, ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀ, ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବ କମିସନରେଟ୍‌ ପୁଲିସ।

ସମ୍ବନ୍ଧିତ ଖବର