ଚମକ ହରାଉନି ପୁରୁଣା ନାଟକ: ଆଜି ଅଶୋକ ସମ୍ରାଟ୍‌ର ‘ବାଦାମବାଡ଼ିର ରିକ୍ସାବାଲା’

ଖଣ୍ଡଗିରି: ଖଣ୍ଡଗିରି ଯାତ୍ରା ଯୁଦ୍ଧର ତୃତୀୟ ରାତିରେ ବି ପୁରୁଣା ନାଟକର କ୍ରେଜ୍‌ ରହିଛି। କେବଳ ମହାତାବ ପେଣ୍ଡାଲକୁ ବାଦ୍‌ ଦେଲେ ଅନ୍ୟ ସବୁ ପେଣ୍ଡାଲ୍‌ରେ ପ୍ରଥମ ରାତିର ନାଟକ ରିପିଟ୍‌ ହୋଇଛି। ଦର୍ଶକମାନଙ୍କ ଆଦୃତି ଥିବାରୁ ତୃତୀୟ ରାତିରେ ବି ସବୁ ପେଣ୍ଡାଲରେ ଭରପୂର ଦର୍ଶକ ହେଉଛନ୍ତି। ଏହି ଯାତ୍ରା ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଆଉ ୨ ରାତି ପରେ ସରିବ ଏବଂ ଅନ୍ତିମ ପର୍ଯ୍ୟାୟରେ ନୂଆ ପାର୍ଟିମାନେ ସାମିଲ ହେବେ। ତୁଳସୀ ଓ ଶିବାନୀ ଗଣନାଟ୍ୟକୁ ଊତ୍ସୁକତାର ସହ ଅପେକ୍ଷା କରିଛନ୍ତି ଯାତ୍ରାପ୍ରେମୀମାନେ।

ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ କେହି କାହାକୁ ବଳେଇଗଲା ଭଳି ଲାଗୁନାହିଁ। ଏକକୁ ଆରେକ ବଳି ନ୍ୟାୟରେ ସବୁ ପେଣ୍ଡାଲରେ ଯାତ୍ରା ଜମୁଛି। କିନ୍ତୁ ଗୌରୀ ଗଣନାଟ୍ୟ ସାମାନ୍ୟ ଆଗରେ ରହୁଥିବା ଚର୍ଚ୍ଚା ହେଉଛି। ୩ ରାତି ମଧ୍ୟରୁ ୨ ରାତି ମଞ୍ଚ ପୂରା ହାଉସ୍‌ଫୁଲ୍‌ ହୋଇଛି। ନାଟକ ‘ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’ରେ ଖୋଦ୍‌ ରାଣୀ ପଣ୍ଡାଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ଦର୍ଶକମାନେ ଲମ୍ବା ଧାଡ଼ି ବାନ୍ଧୁଛନ୍ତି। ନାଟକର କଥାବସ୍ତୁ ଯେମିତି, ରାଣୀ ଓ ଖଳନାୟକ ଅଶୋକ ଲଣ୍ଡାଙ୍କ ସଂଳାପ ଓ ଅଭିନୟ ସେତିକି ମନଛୁଆଁ ହେଉଛି। ସେହିପରି ସନାତନ ସେବା ସମିତି ପେଣ୍ଡାଲରେ କୋଣାର୍କ ଗଣନାଟ୍ୟ ପୁଣି ମଞ୍ଚସ୍ଥ କରିଛି ‘ସେଇ ଗୋଟିଏ ଭୁଲ୍‌ ପାଇଁ’। ଖଳନାୟକ ଦୈତାରି ପଣ୍ଡାଙ୍କ ଆକର୍ଷଣ ଦର୍ଶକଙ୍କୁ ଏହି ପେଣ୍ଡାଲକୁ ଟାଣି ନେଉଛି। ଜାଗମରା ପଡ଼ିଆରେ ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ପେଣ୍ଡାଲରେ କଳିଙ୍ଗ ଗଣନାଟ୍ୟ ବି ପଛରେ ପଡ଼ିନାହିଁ। ନାଟକ ‘କାନ୍ଦେନାରେ ବାଇଆମନ’ ଲୋକଙ୍କୁ କନ୍ଦାଇ ଦେଉଛି। ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ମଞ୍ଚରେ ଅପେରା ଦୁର୍ଗାମନ୍ଦିର ପୁଣି ମଞ୍ଚସ୍ଥ କରିଛି ନାଟକ ‘କାନ୍ଦେନା ଲୁହ ସରିଯିବ’।

ନୂଆ ନାଟକ କରି ବିଦାୟ ନେଲା ସାଇସମ୍ରାଟ୍‌
ଆଜି ମହତାବ ପେଣ୍ଡାଲରୁ ବିଦାୟ ନେଇଛି ସାଇସମ୍ରାଟ୍‌। ‌ଏକ ସୁନ୍ଦର ପ୍ରେମ କାହାଣୀ ଆଧାରିତ ନୂଆ ନାଟକ ‘ତୁ ଯୋଉଠି ଥିଲେ ବି ମୋର’ ମଞ୍ଚସ୍ଥ କରି ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରିଦେଇଛି। ଏହି ନାଟକ ଦେଖିବାକୁ ମନ ବଳାଇଥିବା ଦର୍ଶକଙ୍କୁ ଏହି ନାଟକ ଦେଖିବାକୁ ପୁଣି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ପ୍ରଥମ ରାତିରୁ ନାଟକ ‘ଦେବଦାସୀ ହେବି ତୋରି ପାଇଁ’ ଭଲ ବ୍ୟବସାୟ କରିଥିଲେ ବି ବିଦାୟ ରଜନୀରେ ପାର୍ଟି ନୂଆ ନାଟକ ଭେଟି ଦେଇଛି। ସୁଧାଂଶୁ ନାୟକଙ୍କ ରଚିତ ଓ ଅଶ୍ରୁମୋଚନ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ନୂଆ ନାଟକରେ ଖଳନ‌ାୟକ ଶଙ୍ଖାରୀଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଅର୍ଥାତ୍‌ ୨୧ ତାରିଖରୁ ମହାତାବ ପେଣ୍ଡାଲକୁ ଆସୁଛି ‌ଅଶୋକ ସମ୍ର‌ାଟ। ପ୍ରଥମ ରାତିରେ ଦର୍ଶକଙ୍କୁ ଭେଟିଦେବ ନୂଆ ହିଟ୍‌ ନାଟକ ‘ବାଦାମ୍‌ ବାଡ଼ିର ରିକ୍ସାବାଲା’। ଜଲିଉଡ୍‌ ଫେମ୍‌ ନାୟକ ପ୍ରତାପ ରାଉତ ଓ ଚନ୍ଦନଙ୍କ ଅଭିନୟ ବେଶ୍ ଭଲ ହୋଇଛି।

୧୦ ବର୍ଷ ତଳର ପ୍ରଶଂସା ଗୋଟାଉଛି ଗୌରୀ
ଦିନ ଥିଲା ଖଣ୍ଡଗିରି ଯାତ୍ରା ମହାସମରରେ ଗୌରୀ ଗଣନାଟ୍ୟ ଆଗରେ ରହୁଥିଲା। ଓଡ଼ିଶା ଅପେରା, ଜନତା ଗଣନାଟ୍ୟ ଓ ସାତଶଙ୍ଖ ଗଣନାଟ୍ୟ, ତୁଳସୀ ଓ ଶିବାନୀ ଭଳି ଆଗ ଧାଡ଼ି ଅପେରା ପାର୍ଟିଙ୍କ ସହ ସମକକ୍ଷ ଥିଲା। ଏବେ ବି ଲୋକେ ଭୁଲିନାହାନ୍ତି ସେଦିନରବହୁ ଚର୍ଚ୍ଚିତ ନାଟକ ‘ସ୍ବାମୀ ବି ବାକି‌ରେ ମିଳୁଛି’। କିନ୍ତୁ କାଳକ୍ରମେ ସାତଶଙ୍ଖ, ଓଡ଼ିଶା ଅପେରା ଓ ଜନତା ଗଣନାଟ୍ୟ ଭାଙ୍ଗିଗଲା। ଗୌରୀ ଗଣନାଟ୍ୟ ବି ପଛରେ ପଡ଼ିଗଲା। ପରିସ୍ଥିତି ଏମିତି ହେଲା ଯେ ଗୌରୀ ଖଣ୍ଡଗିରି ଯାତ୍ରା ଯୁଦ୍ଧରୁ ବାଦ୍‌ ପଡ଼ିଗଲା। କିନ୍ତୁ ଚଳିତବର୍ଷ ଗୌରୀ ପୁରୁଣା ଗୌରବ ଫେରିପାଇଛି।

ସମ୍ବନ୍ଧିତ ଖବର