ଏଥର ବି ଚମକ ହରାଇବ ଖଣ୍ଡଗିରି କୁମ୍ଭମେଳା! କୋଭିଡ୍‌ ମାର୍ଗଦର୍ଶିକାରେ ଅପେରାକୁ ନା

ଖଣ୍ଡଗିରି : ଏଥର ବି ଚମକ ହରାଇବ ଭାରତ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। କୋଭିଡ୍‌ କଟକଣାରେ ସାଧୁସନ୍ଥଙ୍କ ହୋମଯଜ୍ଞ, ଭାଗବତ ନାମ ସଂକୀର୍ତ୍ତନ ଓ ରାମଚରିତ ପାରାୟଣ ଆଦି ଯଥାରୀତି ଅନୁଷ୍ଠିତ ହେବ। କିନ୍ତୁ ମେଳାର ସମସ୍ତ ମନୋରଞ୍ଜନଧର୍ମୀ ଉପାଦାନ ଦେଖିବା‌କୁ ମିଳିବ ନାହିଁ। ଭିଡ଼ ନିୟନ୍ତ୍ରଣ କରିବାକୁ ଦୋକାନ ବଜାର, ମୀନା ବଜାର ଓ ଦୋଳି ଆଦିକୁ ଅନୁମତି ମିଳିବ ନାହିଁ। ବଡ଼ କଥା ହେଉଛି, ମେଳାର ପ୍ରମୁଖ ଆକର୍ଷଣ ଅପେରା ମହାସଂଗ୍ରାମ ହେବନାହିଁ। କୋଭିଡ୍‌ ମାର୍ଗଦର୍ଶିକା ଅନୁସାରେ ପ୍ରଶାସନ ଯାତ୍ରା ମହାସମରକୁ ଅନୁମତି ଦେଉଥିଲେ ହେଁ ଆୟୋଜକମାନେ ବିପୁଳ କ୍ଷତିର ଆଶଙ୍କା କରି ଏଥିରୁ ମୁହଁ ଫେରାଇ ନେଇଛନ୍ତି। କଟକଣାକୁ ମାନିବାକୁ ପ୍ରସ୍ତୁତ ଥିଲେ ବି ଆୟୋଜକମାନେ ମାର୍ଗଦର୍ଶିକାର କିଛି ସର୍ତ୍ତକୁ ଦେଖି ଯାତ୍ରା ମହାସମରକୁ ନା କରି ଦେଇଛନ୍ତି।

ସୂଚନାନୁସାରେ ଫେବ୍ରୁଆରି ୭ରୁ ପବିତ୍ର ମାଘ ସପ୍ତମୀ ତିଥି ଅବସରରେ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା। ପାରମ୍ପରିକ ରୀତିନୀତି ଅନୁଯାୟୀ ସାଧୁସନ୍ଥମାନେ ପୂଜାର୍ଚ୍ଚନା, ହୋମଯଜ୍ଞ କରିବେ। ଏସବୁ କୋଭିଡ୍‌ କଟକଣା ଭିତରେ ହେବ। ପ୍ରଭୁ ଅନନ୍ତକେଶରୀଙ୍କ ଉଦୟଗିରି ପାହାଡ଼ସ୍ଥିତ ରାଣୀ ହଂସପୁର ଯାତ୍ରା ବି କଟକଣା ଭିତରେ ନିରାଡ଼ମ୍ବର ସହକାରେ ସମାହିତ ହେବ। ମେଳାରେ ଭିଡ଼ ହ୍ରାସ କରିବା ପାଇଁ ଦୋକାନ ବଜାର ବସିବ ନାହିଁ। ମୀନାବଜାର ପଡ଼ିବ ନାହିଁ। ସାଧୁସନ୍ଥଙ୍କ ସାନିଧ୍ୟ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧି ଆସିବେ। ତେଣୁ ସ୍ବତଃ ମେଳାର ଆକର୍ଷଣ ରହିବ ନାହିଁ। ସେହିଭଳି ମେଳାର ଅନ୍ୟତମ ଆକର୍ଷଣ ଖଣ୍ଡଗିରି ମହୋତ୍ସବ ଓ ଅପେରା ପ୍ରଦର୍ଶନ ବନ୍ଦ ହୋଇଯାଉଥିବାରୁ ଚଳିତ ବର୍ଷ କୁମ୍ଭମେଳା ପୂରା ଶ୍ରୀହୀନ ହୋଇଯିବ ବୋଲି ନିଶ୍ଚିତ ହୋଇଯାଇଛି।

ଖଣ୍ଡଗିରି ମେଳା ଅବସରରେ ୫ଟି ପେଣ୍ଡାଲରେ ଯାତ୍ରା ମହାସଂଗ୍ରାମ ହୋଇଥାଏ। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ, ସନାତନ ସେବା ସଂସ୍ଥା, ଇନ୍ଦିରା ସାଂସ୍କୃତିକ ପରିଷଦ, ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ଓ ମା’ ବାରଭୁଜା ସାଂସ୍କୃତିକ ପରିଷଦ ଯାତ୍ରା ପ୍ରତିଯୋଗିତା ପରିଚାଳନା କରନ୍ତି। ମାତ୍ର ଚଳିତ ବର୍ଷ ଏଥିପାଇଁ ଯେଉଁ ମାର୍ଗଦର୍ଶିକା ଦିଆଯାଇଛି, ସେଥିରେ ଯାତ୍ରା କରିବା ସମ୍ଭବ ନୁହେଁ ବୋଲି ଆୟୋଜକ କମିଟିମାନେ କହିଛନ୍ତି। ଆୟୋଜକମାନଙ୍କ କହିବା କଥା ଦର୍ଶକ ସଂଖ୍ୟାକୁ ଏକ ହଜାରରେ ସୀମିତ ରଖିବା ଓ ନାଇଟ୍‌ କର୍ଫ୍ୟୁ ପୂର୍ବରୁ ଯାତ୍ରା ସାରିବା ଆଦି କଟକଣା ଯାତ୍ରା ପରମ୍ପରାର ବିରୋଧୀ। ତେଣୁ ଏହି କଟକଣାରେ ଯାତ୍ରା କଲେ, ଉଭୟ ଯାତ୍ରାପାର୍ଟି ଓ ଆୟୋଜକ ବିପୁଳ କ୍ଷତିଗ୍ରସ୍ତ ହେବେ। ତେଣୁ ଗତ ୨ ବର୍ଷ ହେଲା ଯାତ୍ରା ପାର୍ଟିକୁ ଲକ୍ଷ ଲକ୍ଷ ଟଙ୍କା ବଇନା ଦେଇ କ୍ଷତି ସହି ଆସୁଥିବା ଆୟୋଜକମାନେ ଯାତ୍ରା ଆୟୋଜନ କରି ଆଉ କ୍ଷତି ସହିବାକୁ ମନ କରିବେ କିଭଳି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦର କୃଷ୍ଣଚନ୍ଦ୍ର ଜେନାଙ୍କ କହିବା କଥା ତିନି ତିନିଟି ଯାତ୍ରା ପାର୍ଟି ଉପରେ ଲକ୍ଷ ଲକ୍ଷ ଟଙ୍କାର ବଇନା ପଡ଼ିଛି। ଯାତ୍ରା ଦଳ ବି ଦୁଇ ବର୍ଷ ହେଲା ରୋଜଗାର ହରାଇ କ୍ଷତିରେ ଅଛନ୍ତି। ବହୁ କଳାକାର ପେସା ବଦଳାଇ ଦେଲେଣି। ତେଣୁ ଏଭଳି ଅବସ୍ଥାରେ ସେମାନଙ୍କଠାରୁ ବଇନା ଫେରାଇବା କାଠିକର ହୋଇପଡ଼ିଛି। ବର୍ଷ ବର୍ଷର ସମ୍ପର୍କ ଯୋଡ଼ି ହୋଇଥିବାରୁ ସମୟକୁ ଅପେକ୍ଷା କରିବାକୁ ପଡ଼ୁଛି।

ସେହିପରି ଯାତ୍ରା ମାଲିକ ସଂଘର ସମ୍ପାଦକ ଆର୍‌ କେ ହିରାଲାଲ୍‌ଙ୍କ କହିବା କଥା ପ୍ରଶାସନର କୋଭିଡ୍‌ ନିୟମ ଅନୁସାରେ ଯାତ୍ରା କରାଇବା ସମ୍ଭବ ନୁହେଁ। ଗୋଟିଏ ରାତିରେ ଯେତିକି ଖର୍ଚ୍ଚ ହୁଏ, କଟକଣାରେ ବା ମାର୍ଗଦର୍ଶିକା ଅନୁସାରେ କଲେ, ତା’ଠୁ ବହୁ କମ୍ ପଇସା ମିଳିବ। ଏମିତିରେ ତ ଦୁଇ ବର୍ଷ ହେଲା କ୍ଷତି ସହୁଛୁ, ପୁଣି ଯାତ୍ରା ଆୟୋଜନ କରି କିଏ କ୍ଷତି ସହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଖଣ୍ଡଗିରି ମେଳାରେ ୧୨ ଦିନ ଧରି ଯାତ୍ରା ମହାସଂଗ୍ରାମ ହୋଇଥାଏ। ରାଜ୍ୟର ସବୁ ବଡ଼ବଡ଼ ଯାତ୍ରା ଦଳ ପ୍ରତିଯୋଗିତା କଲା ଭଳି ନାଟକ ପରିବେଷଣ କରନ୍ତି। ରାଜ୍ୟର ବିଭିନ୍ନ କୋଣରୁ ଅପେରାପ୍ରେମୀମାନଙ୍କ ଭିଡ଼ ହୁଏ। କୋଟି କୋଟି ଟଙ୍କାର କାରବାର ହୁଏ। ଏହା ଦ୍ବାରା ଯାତ୍ରା କଳାକାର, ମାଲିକ, ଆୟୋଜକ ଓ ବ୍ୟବସାୟୀମାନେ ଲାଭବାନ ହୋଇଥାନ୍ତି। କିନ୍ତୁ କରୋନା କଟକଣା ସବୁ ଖାଇଗଲା ବୋଲି ସବୁ ମହଲରୁ କ୍ଷୋଭ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର